ଏଇ ଭାରତରେ

ଝାଡ଼ଖଣ୍ଡର ଦୁଇ ଗାଁ ଆରା ଓ କେରାମର ଆୟ ୪ ବର୍ଷରେ ୫ଗୁଣ ବଢ଼ାଇ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ବନସେବା ଅଧିକାରୀ ସିଦ୍ଧାର୍ଥ ତ୍ରିପାଠୀ। ରାଞ୍ଚି ନିକଟବର୍ତ୍ତୀ ଏହି ଦୁଇ ଆଦିବାସୀ ଗାଁରେ ମୋଟରେ ୬୦୦ ଲୋକ ରହନ୍ତି। ସିଦ୍ଧାର୍ଥ ଏମ୍‌ଜିଏନ୍‌ଆର୍‌ଇଜିଏର କମିଶନର ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୭ରେ ସ୍ବତନ୍ତ୍ର ଭାବେ ଏହି ଦୁଇ ଗାଁର ବିକାଶ କାମ ହାତକୁ ନେଇ ଏବେ ସୁଦ୍ଧା ଗ୍ରାମବାସୀଙ୍କ ଆୟ ୫ ଗୁଣ ବଢ଼ାଇପାରିଛନ୍ତି। ଗାଁ ନିଶାମୁକ୍ତ ହୋଇଛି। ଗାଁରୁ ଅନ୍ଧବିଶ୍ୱାସ, ବାଲ୍ୟ ବିବାହ ବି ବନ୍ଦ ହୋଇପାରିଛିି ।
ସବୁ ପିଲା ପଢୁଛନ୍ତି । ଦୁଇ ଗାଁ ପୂରା ସ୍ବଚ୍ଛ ହୋଇଯାଇଛି। ପ୍ରତିଦିନ ଭୋର ୪.୪୦ରେ ଉଠି ଗ୍ରାମବାସୀ ଝାଡୁ ଧରି ସଫା କରିବାରେ ଲାଗି ପଡ଼ନ୍ତିି। ସେମାନେ ଅଳିଆ ଗୋଟାଇ ବାଉଁଶରେ ନିର୍ମିତ ୬୦ଟି ଡଷ୍ଟବିନ୍‌ରେ ପକାନ୍ତି। ଏହି କାର୍ଯ୍ୟ ଶେଷ ହେବା ପରେ କେତେଜଣ ଟ୍ୟୁଟର ପିଲାମାନଙ୍କୁ ପଢ଼ାନ୍ତି। ଅନ୍ୟମାନେ ସମସ୍ତେ ସେମାନଙ୍କ କ୍ଷେତରେ କାମ କରିବାକୁ ବାହାରି ଯାଆନ୍ତି। ଝରଣା ଉପରେ ପଥର ଖଞ୍ଜି ୧.୭୫ କୋଟି ଟଙ୍କାର ୭୦୦ଟି ଚେକ୍‌ଡ୍ୟାମ ନିର୍ମାଣ କରିଛନ୍ତି । ୧୮୦ ଜଣ ଗ୍ରାମବାସୀ ଲଗାତର ୭୫ ଦିନ କାମ କରି ଏହା କରିଛନ୍ତି। ଜଳସେଚନ ସୁବିଧା କରିବା ସହ ମୃତ୍ତିକା କ୍ଷୟକୁ ବି ରୋକୁଛି ଏହି ଡ୍ୟାମ୍‌। ଗାଁର ବିକାଶ କାର୍ଯ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୃଷି, କୁକୁଡା ଓ ଗୋ ପାଳନ ପାଇଁ ବି ସାହାଯ୍ୟ ଯୋଗାଇ ଦିଆଯାଇଛି ଓ ଏଥିରୁ ସେମାନେ ପ୍ରଚୁର ଆୟ କରୁଛନ୍ତି। ଏହି ଦୁଇ ଗାଁ ପରେ ଏବେ ସିଦ୍ଧାର୍ଥ ଆଉ କିଛି ଗାଁରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିଛନ୍ତି।