ଏଇ ଭାରତରେ

ଶିକ୍ଷା ସମ୍ପର୍କିତ ୟୁଟ୍ୟୁବ୍‌ ଚ୍ୟାନେଲ ‘କଥଡି’ ମାଧ୍ୟମରେ ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବାରେ ଲାଗିଛନ୍ତି ଦୀପକ ଚନ୍ଦ୍ର ଓ ମାୟା ନାଥନ୍‌। ଏହି ଦମ୍ପତି ଆଇଆଇଟି ମାଡ୍ରାସରୁ ଡିଗ୍ରୀ ହାସଲ କରିବା ପରେ ଗତ ଦୁଇବର୍ଷ ହେବ ବିଶ୍ୱଭାରତୀ ବିଦ୍ୟୋଦୟା ଟ୍ରଷ୍ଟ (ଭିବିଭିଟି) ସହ ସାମିଲ ହୋଇ ଏହି କାର୍ଯ୍ୟ କରୁଛନ୍ତି। ଭିବିଭିଟି ତାମିଲନାଡୁ ଗୁଡାଲୁର୍‌ର ଆଦିବାସୀଙ୍କ ପିଲାମାନଙ୍କୁ ମାଗଣାରେ ବିଦ୍ୟୋଦୟା ସ୍କୁଲ ମାଧ୍ୟମରେ ଶିକ୍ଷା ଦେଉଛିି। ଆଇଆଇଟିରୁ ଡିଗ୍ରୀ ହାସଲ କରିବା ପରେ ଦୀପକ ଓ ମାୟା ଟିଚ୍‌ ଫର୍‌ ଇଣ୍ଡିଆ ଫେଲୋଶିପରେ ଚେନ୍ନାଇର ଏକ ସରକାରୀ ସ୍କୁଲରେ ପଢାଇବା ସମୟରେ ଗାଁ ଓ ସହରର ଶିକ୍ଷା ବ୍ୟବସ୍ଥାରେ ଥିବା ପାର୍ଥକ୍ୟକୁ ଜାଣିପାରିଥିଲେ। ଏହାପରେ ସେମାନେ ଗୁଡାଲୁରସ୍ଥିତ ବିଦ୍ୟୋଦୟା ସ୍କୁଲ ସହ ସାମିଲ ହୋଇଥିଲେ। ୧୯୯୬ରେ ଏହି ସ୍କୁଲ ପ୍ରତିଷ୍ଠା ହେବା ପରେ ଆଦିବାସୀ ସମ୍ପ୍ରଦାୟରୁ ୧୫ ଜଣ ଲୋକଙ୍କୁ ପଢାଇବା ଲାଗି ପ୍ରଶିକ୍ଷଣ ଦିଆଯାଇଥିଲା। ଭାଷାଗତ ବାଧକ ଥିବାରୁ ପିଲାମାନେ ଗଣିତ ଓ ବିଜ୍ଞାନ ବୁଝିପାରୁ ନ ଥିଲେ। ଏଣୁ ୨୦୧୯ରେ ଏହି ଦମ୍ପତି କଥଡି ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରି ବିଭିନ୍ନ ପରୀକ୍ଷା ଓ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷା ଦେବା ଆରମ୍ଭ କରିଛନ୍ତି। ଉକ୍ତ ଚ୍ୟାନେଲରେ ୯୦ଟି ଭିଡ଼ିଓ ରହିଛି ଓ ଏହାର ୪୦୦ ସବ୍‌ସ୍କ୍ରାଇବର ରହିଛନ୍ତି। ତାମିଲନାଡୁ ସରକାରଙ୍କ ସିଲାବସ୍‌ ଅନୁଯାୟୀ ଏମାନେ ଶିକ୍ଷା ଦେଉଛନ୍ତି। ଲକ୍‌ଡାଉନରେ ସବୁ ପରିବାରକୁ ସ୍ମାର୍ଟ ଫୋନ୍‌ ଯୋଗାଇଦେବା ସମ୍ଭବ ନ ହେବାରୁ ଏବେ ୭୦ ପ୍ରତିଶତ ପିଲା ଉପକୃତ ହେଉଛନ୍ତି। ଏହି ଦମ୍ପତି ଦଶମରୁ ଦ୍ୱାଦଶ ପିଲାଙ୍କୁ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ଦେବା ପାଇଁ ଯୋଜନା କରିଛନ୍ତି। ସ୍କୁଲରେ ତିନୋଟି ଆଦିବାସୀ ସମ୍ପ୍ରଦାୟର ୮୩ ପିଲା ପଢୁଛନ୍ତି। ୫ ଜଣ ଶିକ୍ଷକ ଓ ୩ ଜଣ ସ୍ବେଚ୍ଛାସେବୀ ଶିକ୍ଷକ ମଧ୍ୟ ରହିଛନ୍ତି।