ଏଇ ଭାରତରେ

କରୋନା ଦ୍ୱିତୀୟ ଲହର ଏବେ ଭୟଙ୍କର ହୋଇଛି। ଦେଶରେ ଦୈନିକ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଏଭଳି ଏକ ସଙ୍କଟ ସମୟରେ ଉତ୍ତରପ୍ରଦେଶ ଏବଂ ହରିୟାଣାର ୩୫ରୁ ଅଧିକ ଦୁର୍ଗମ ଗାଁକୁ ଭୂତାଣୁ ମୁକ୍ତ କରିବା ପାଇଁ ଡ.ପ୍ରବୀଣ କୁଣ୍ଡୁଙ୍କ ନେତୃତ୍ୱରେ ମିିଶନ ମଞ୍ଜରୀ ନାମକ ସିଟିଜେନ ଗ୍ରୁପ ଦିନରାତି କାମରେ ଲାଗିଛି। ଏହି ଅଭିଯାନରେ ଏହା ମଧ୍ୟ ସଫଳ ହୋଇପାରିଛି। ମାଗଣାରେ ଡାକ୍ତର ପରାମର୍ଶ କରାଇବା ସହ ଏମାନେ ଲୋକମାନଙ୍କୁ ଅକ୍ସିମିଟର, ମାସ୍କ ଏବଂ ଓ୍ୟଷଧ ବିତରଣ କରୁଛନ୍ତି। ଡ.ପ୍ରବୀଣଙ୍କ ସମେତ ବହୁ ପ୍ରତିଷ୍ଠିତ ହସ୍ପିଟାଲର ଚିକିତ୍ସକ ଏବଂ ତାଙ୍କ ଟିମ୍‌ ବିଗତ ୩-୪ ସପ୍ତାହ ମଧ୍ୟରେ ଉତ୍ତରପ୍ରଦେଶ ଏବଂ ହରିୟାଣାର ୩୫ରୁ ଊର୍ଦ୍ଧ୍ୱ ଗାଁରେ ଏ ବାବଦରେ ୨୦,୦୦,୦୦୦ ଟଙ୍କା ବ୍ୟୟ କରି ସାରିଲେଣି। ଏହି ସବୁ ଗାଁରେ ଟିକା ବିଷୟରେ ଲୋକମାନଙ୍କୁ ସଚେତନ କରାଯାଉଛି ଓ ବିଭିନ୍ନ ସାମାଜିକ ସମସ୍ୟା ତଥା ଟିକା ସମ୍ପର୍କିତ ନକାରାମତ୍କ ଚିନ୍ତାଧାରା ପ୍ରତ୍ୟାଖ୍ୟାନ କରି ଲୋକମାନେ ଟିକା ନେବାକୁ ବାହାରି ଆସୁଛନ୍ତି। ପ୍ରତିଦିନ ଏହି ଗ୍ରୁପ ପାଳି କରି ୩-୪ଟି ଗାଁରେ ସ୍ଥାନୀୟ ପ୍ରଶାସନ ସହଯୋଗରେ ସେମାନଙ୍କ ସେବା ଯୋଗାଇ ଦେଉଛନ୍ତି। ଡ. ପ୍ରବୀଣଙ୍କ ସହ କୋଭିଡ୍‌-୧୯ କେୟାର୍‌ ସେଣ୍ଟରରେ କାର୍ଯ୍ୟରତ ଡ. ସନ୍ଦୀପ ଅଗ୍ରଓ୍ବାଲ ଏବଂ ମୁକେଶ ଧିଲନ ଭିଡିଓ କନ୍‌ସଲ୍‌ଟାଣ୍ଟ ପାଇଁ ସମୟ ବାହାର କରୁଛନ୍ତି।