ଏଇ ଭାରତରେ

ବିଲୁପ୍ତପ୍ରାୟ ବାଘ ଓ ଶାଗୁଣାଙ୍କୁ ରକ୍ଷା କରିଆସୁଛନ୍ତି ରାଜସ୍ଥାନର ପରିବେଶବିତ୍‌ ଡ. ଧର୍ମେନ୍ଦ୍ର ଖଣ୍ଡାଲ। ସେ ‘ଟାଇଗର ଓ୍ବାଚ୍‌’ ସଂସ୍ଥା ଗଠନ କରି ରାଜସ୍ଥାନର ରଣ୍‌ଥୋମ୍ବର ଟାଇଗର ରିଜର୍ଭରେ ବାଘ ଓ ଶାଗୁଣାଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ ଆଜକୁ ୧୭ ବର୍ଷ ହେବ କରିଆସୁଛନ୍ତି। ୨୦୦୨ରେ ଡ.ଖଣ୍ଡାଲ ମୁମ୍ବାଇ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି( ବିଏଚ୍‌ଏନ୍‌ଏସ୍‌)ରେ ପରିବେଶ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଶାଗୁଣା ଉପରେ ସର୍ଭେ କରିବା ନିମନ୍ତେ ମୁମ୍ବାଇରୁ ରାଜସ୍ଥାନର ଚୁର୍‌ ସହର ଯାଏ ୧୨୦୦ କି.ମି. ମୋଟର ସାଇକେଲ ଯାତ୍ରା ମଧ୍ୟ କରିଥିଲେ। ରଣ୍‌ଥୋମ୍ବର ଟାଇଗର ରିଜର୍ଭରେ ଶିକାର କରି ଚଳୁଥିବା ମୋଜିିିୟା ସମ୍ପ୍ରଦାୟର ଆଦିବାସୀମାନଙ୍କୁ ‘ଟାଇଗର ଓ୍ବାଚ’ ମାଧ୍ୟମରେ ଥଇଥାନ କରିବା ସହ ନୂତନ ପିଢିକୁ ପ୍ରଭାବିତ କରି ବାଘ ଓ ଅନ୍ୟ ବିରଳ ପ୍ରାଣୀ ଶିକାରଠାରୁ ଦୂରେଇ ପାରିଛନ୍ତି। ଏହି ସଂସ୍ଥାରେ ସ୍ବେଚ୍ଛାସେବୀ ଓ ସଂଯୋଜକଙ୍କୁ ନେଇ ୪୦ ଜଣ କାମ କରୁଛନ୍ତି। ଶିକାର ବଦଳରେ ସେମାନଙ୍କ ପିଲାମାନଙ୍କୁ ନୂଆ ଜୀବିକା ପାଇଁ କୌଶଳ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଶିକ୍ଷାର ପ୍ରସାର ଲାଗି ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଏକ ସ୍କୁଲ୍‌ ପ୍ରତିଷ୍ଠା କରିଛନ୍ତି ଖଣ୍ଡାଲ। ଏଠାରେ ୪୦ ଜଣ ପିଲା ହଷ୍ଟେଲ୍‌ରେ ରହି ପଢ଼ୁଛନ୍ତି। ପରିବାରରେ ପିଲାମାନେ ରହିଲେ ସେମାନଙ୍କୁ ଶିକାରକୁ ଯିବା ଲାଗି ବାଧ୍ୟ କରାଯାଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ପଢ଼ାଇବା ଲାଗି ୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଲକ୍‌ଡାଉନ ସମୟରେ ସେମାନେ ପାଖରେ ଥିବା ୧୨ଟି ଗାଁକୁ ଯାଇ ପିଲାମାନଙ୍କୁ ପଢ଼ାଉଛନ୍ତି । ଏହି ସମ୍ପ୍ରଦାୟରେ ଜଗୁ ବାଓ୍ବାରିୟା ନାମକ ଜଣେ ଛାତ୍ର ବାଣିଜ୍ୟ ସ୍ନାତକରେ ନାମ ଲେଖାଇବା ପ୍ରଥମ ଓ ଏହା ସେମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି।