ଏଇ ଭାରତରେ

ସକାଳୁ ଉଠି ମହମ୍ମଦ ଆବାଦ ଅଟୋ ନେଇ ବାହାରି ଯାଉଛନ୍ତି ଲୋକସେବା ପାଇଁ। ରାଜସ୍ଥାନ ଛୁରୁ ଜିଲା ସୁଜାନଗଡ଼ ନିବାସୀ ଆବାଦ ଅଟୋରେ ଲୋକମାନଙ୍କୁ ନେଉନାହାନ୍ତି ବରଂ ନେଉଛନ୍ତି ପାଣି। ସହରର ଜନଗହଳି ସ୍ଥାନରେ ମାଗଣାରେ ଲୋକମାନଙ୍କୁ ଥଣ୍ଡା ଫିଲ୍‌ଟର ପାଣି ପିଇବାକୁ ଦେଉଛନ୍ତି। ଆବାଦ ସୌରଶକ୍ତିଚାଳିତ ଅଟୋକୁ ଚଳନ୍ତି ପାଣିଟାଙ୍କି କରିଦେଇଛନ୍ତି ଓ ଏହାର ନାମ ଦେଇଛନ୍ତି ‘ଶୁଦ୍ଧ ଫିଲ୍‌ଟର ପାଣି’। ଏହାକୁ ସେ ‘ଓ୍ବାଟର ହଟ୍‌’ ବି କହନ୍ତି। ଆବାଦଙ୍କୁ ବର୍ତ୍ତମାନ ବୟସ ୪୮। ସେ ଏହି ସେବା ଗତ ୫ ବର୍ଷ ହେବ କରି ଆସୁଛନ୍ତି। ସକାଳ ୬ରୁ ପାଣି ନେଇ ବାହାରି ଯାଆନ୍ତି ଓ ଫେରନ୍ତି ସନ୍ଧ୍ୟାରେ। ପ୍ରତିଦିନ ତାଙ୍କ ଓ୍ବାଟର ହଟ୍‌ରୁ ପାଖାପାଖି ୩,୦୦୦ ଲୋକ ପାଣି ପିଉଛନ୍ତି ବୋଲି କହନ୍ତି ଆବାଦ। ସରକାରୀ ଅଫିସ, ଡାକ୍ତରଖାନା ଓ କୋର୍ଟ ପାଖରେ ୩୦ ମିନିଟ୍‌ ପାଖାପାଖି ରହନ୍ତି। ଏହାପରେ ପରିବା ହାଟ, ବସ୍‌ଷ୍ଟାଣ୍ଡ ଓ ରେଲଓ୍ବେ ଷ୍ଟେଶନ୍‌କୁ ଯାଇଥାନ୍ତି। ସେ ଅଟୋରେ ଓ୍ବାଟର ଟ୍ୟାଙ୍କର, କୁଲର୍‌ ଓ ୫୦୦ ଓ୍ବାଟ୍‌ ସୋଲାର ପ୍ୟାନେଲ ଲଗାଇଛନ୍ତି। ପିଇବା ପାଣି ଦେବାରେ ସେ ଦୈନିକ ୨,୦୦୦ ହିିସାବରେ ମାସକୁ ୬୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଆର୍‌କ୍ୟୁ ପ୍ଲାଣ୍ଟ୍‌ରୁ ପାଣି ଆଣୁଛନ୍ତି। ଏହି କାର୍ଯ୍ୟରେ ପରିବାରର ସହଯୋଗ ମଧ୍ୟ ରହିଛି। ତାଙ୍କ ତିନି ପୁଅ ଚାକିରି କରିଛନ୍ତି ଓ ଆର୍ଥିକ ସହଯୋଗ କରିଆସୁଛନ୍ତି। ଲୋକାମାନେ ବି ଏଥିପାଇଁ ଦାନ କରୁଛନ୍ତି।