ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଶିକ୍ଷାକୁ ପ୍ରଭାବିତ କରିଛି। ପିଲାଏ ସ୍କୁଲ୍‌ ନ ଯାଇ ଘରେ ଅନ୍‌ଲାଇନ କ୍ଲାସ୍‌ କରୁଛନ୍ତି। କେରଳରେ ଜୁନ୍‌ ୧ରୁ ଏହି ଧାରା ଜାରି ରହିଥିବାବେଳ ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ କୋଚିର ଏକ ପୋଲ ତଳେ ରହୁଥିବା କିଛି ପିଲାଙ୍କୁ ଶିକ୍ଷକମାନେ ପଢ଼ାଉଛନ୍ତି। ମହୀଶୂରରୁ ଆସିିଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ୧୦ ବର୍ଷ ହେବ ଏଠାରେ ରହୁଛନ୍ତି। ଏମାନଙ୍କର ୬ ପିଲା ସେଣ୍ଟ ଜନ ବସ୍‌କୋ ୟୁ.ପି. ସ୍କୁଲ୍‌ରେ ମାଗଣାରେ ପଢୁଛନ୍ତି। ପ୍ରତିବର୍ଷ ଜୁନ୍‌ରେ ସେମାନେ ଛୁଟିରେ ପରିବାର ସହ ମହୀଶୂର ଯାଆନ୍ତି କିନ୍ତୁ ଏଥର କରୋନା ଯୋଗୁ ଘରକୁ ଯାଇ ନ ପାରି ରହିଯାଇଛନ୍ତି। ପଞ୍ଚମ, ଷଷ୍ଠ ଓ ସପ୍ତମରେ ପଢୁଥିବା ଏହି ପିଲାଙ୍କ ପାଖରେ ମୋବାଇଲ କି ଲାପ୍‌ଟପ ନ ଥିବାରୁ ଅନ୍‌ଲାଇନରେ ପଢିପାରୁନାହାନ୍ତିି। ତେଣୁ ସେଣ୍ଟ ଜନ୍‌ ବସ୍‌କୋ ୟୁ.ପି. ସ୍କୁଲର ୪ ଜଣ ଶିକ୍ଷକ ଜୁନ ୨ରୁ ପୋଲ ତଳେ ସେମାନଙ୍କୁ ପଢ଼ାଇବା ଆରମ୍ଭ କରିଛନ୍ତି। ଅନ୍‌ଲାଇନରେ ଯେଉଁ ଦିନ ଯାହା ପଢ଼ାଯାଉଛି ତା’ପର ଦିନ ଏହି ଶିକ୍ଷକମାନେ ପିଲାମାନଙ୍କୁ ତାହା ପଢ଼ାଉଛନ୍ତି। ପଢାଇବା ସମୟରେ କରୋନା ସମ୍ବନ୍ଧିତ ସମସ୍ତ ନିୟମ ପାଳନ କରୁଛନ୍ତି। ପିଲାମାନଙ୍କୁ କଲମଖାତା ଯୋଗାଇ ଦିଆଯିବା ସହ ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯାଉଛି ବୋଲି କହନ୍ତି ପ୍ରଧାନଶିକ୍ଷୟିତ୍ରୀ ଏଲିଜାବେଥ୍‌ ପର୍ନାଡିଜ।