ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି ଗାଁରେ ଜନ୍ମଗ୍ରହଣ କରିଥିଲେ। ବଲ୍ଧାନା ଜିଲାର ଏହି ଗାଁର ଗ୍ରାମବାସୀ କୃଷି ଉତ୍ପାଦନ ବୃଦ୍ଧି କରିବାକୁ ଅଧିକ ଜମି ପାଇଁ ଦେଶୀ ଗଛ ସବୁ କାଟି ଦେଇଥିଲେ। ଏବେ ସେସବୁ ଗଛର ପୁନରୁଦ୍ଧାର କରିବା ଲାଗି କାର୍ଯ୍ୟ କରୁଛନ୍ତି। ୨୦୧୮ରେ ସେ ‘୮ ନାଚୁରାଲ୍ସ’ ସଂସ୍ଥା ଗଠନ କରି ଦୁଇଜଣ କର୍ମଚାରୀଙ୍କୁ ନେଇ ଏକ ନର୍ସରି କରିଥିଲେ। ପରେ ସେ ଦେଶର ବିଭିନ୍ନ ଭାଗରୁ ଦେଶୀ ଗଛର ମଞ୍ଜି ସଂଗ୍ରହ କରି ଆଉ ଦୁଇଟି ନର୍ସରି କରିଛନ୍ତି। ତିନୋଟି ନର୍ସରିରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଦେଶୀ ଗଛର ଚାରା ରହିଛି। ଏଗୁଡ଼ିକୁ ଲୋକଙ୍କୁ ଶସ୍ତାରେ ଦିଆଯାଉଛି। ଏବେ ଏହି ସଂସ୍ଥା ୩ଟି ନର୍ସରିରେ ୩୫୦ ପ୍ରଜାତିର ଦେଶୀ ଗଛ ସଂରକ୍ଷିତ କରିପାରିଛି। କେବଳ ଏତିକି ନୁହେଁ, ଅନନ୍ତ ଏକ ସିଡ୍ ବ୍ୟାଙ୍କ ମଧ୍ୟ କରିଛନ୍ତି, ଯେଉଁଥିରେ ୨୫୦ରୁ ଅଧିକ କିସମର ଦେଶୀ ଗଛ ମଞ୍ଜି ରଖାଯାଇଛି। ସେ ଦେଶୀଗଛ ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳରେ ରୋପଣ କରିଛନ୍ତି। ବୃକ୍ଷରୋପଣ ଓ ନର୍ସରି କାର୍ଯ୍ୟ ପାଇଁ ୨୫ ଜଣଙ୍କୁ ନିଯୁକ୍ତ କରିଛନ୍ତି।