ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫। ସେ ସକ୍ରିୟ ଭାବେ ଏବେ ପିଲାଙ୍କୁ ଖେଳ ଶିଖାଇବା ସହ ନିଜକୁ ଫିଟ୍ ରଖିଛନ୍ତି। ନତୂନ ଗାଁରେ ୧ ଏପ୍ରିଲ ୧୯୪୧ରେ ଜନ୍ମିତ ଅନ୍ଧୁରାମ ଜରିରୋଡ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇତିହାସ, ଭୂଗୋଳ ପଢ଼ାଉଥିବା ସମୟରେ ୧୯୬୫ରେ ଫିଜିକାଲ ଫିଟ୍ନେସ୍ ଉପରେ ପ୍ରଶିକ୍ଷଣ ନେଇଥିଲେ। ପରେ ସେ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପରେ ଖୋ ଖୋ ଶିଖାଇବାକୁ ଆରମ୍ଭ କରିଥିଲେ। ୧୯୬୭ ମସିହାରୁ ସେ ଏହି ପଦକ୍ଷେପ ନେଇଥିଲେ ଓ ବିଭିନ୍ନ ସରକାରୀ ପ୍ରଶିକ୍ଷଣରେ ପିଲାଙ୍କୁ ଏହି ଖେଳ ବିଷୟରେ ଶିକ୍ଷା ଦେଇଥିଲେ। ଏପରିକି ୧୯୯୯ରୁ ସେ ଚାକିରିରୁ ଅବସର ନେବା ପରେ ବିଭିନ୍ନ ଖେଳ ପଡ଼ିଆରେ ପ୍ରଶିକ୍ଷଣ ଦେଉଛନ୍ତି। ତେବେ ୧୯୬୭ରୁ ଦୀର୍ଘ ୬ ଦଶନ୍ଧି ମଧ୍ୟରେ ସେ ୧୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଖୋ ଖୋ ପ୍ରଶିକ୍ଷଣ ଦେଇସାରିଲେଣି। ସେମାନଙ୍କ ମଧ୍ୟରୁ ଅନେକେ ଜିଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିସାରିଛନ୍ତି। ୮୫ ବର୍ଷ ବୟସରେ ସେ ମଧ୍ୟ ଜିଲା ସ୍ତରରେ ୭୦ ଏବଂ ୭୫ରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଆୟୋଜିତ ୧୦,୦୦୦ ଓ ୫,୦୦୦ ମିଟର ଦୌଡ଼ରେ ପଦକ ହାସଲ କରିଛନ୍ତି। ଅନ୍ଧୁରାମ ଫିଟ୍ ରହିବା ପାଇଁ ପ୍ରତିଦିନ ସକାଳ ୫.୩୦ରୁ ଉଠି ୧୦ କିଲୋମିଟର ଦୌଡୁଛନ୍ତି।