ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ ପାଳିପୋଷି ବଡ଼ କଲେ। ତେବେ ଦେବେନ୍ଦ୍ର ୮ ବର୍ଷ ବୟସରେ ଶିଶୁ ଶ୍ରମିକ ପାଲଟିଗଲେ ଏବଂ ରାସ୍ତାରେ ବେଲୁନ୍ ବିକି ରୋଜଗାର କଲେ। ଏଭଳି ସ୍ଥିତିରେ ଦେବେନ୍ଦ୍ର ଶିକ୍ଷାରୁ ବଞ୍ଚିତ ହେବା ସହ ରାସ୍ତାରେ ବେଲୁନ୍ ବିକିବା ସମୟରେ ହିଂସାର ସମ୍ମୁଖୀନ ହୋଇଥିଲେ। ସମୟକ୍ରମେ ନିଜର ଓ ଭଉଣୀର ଜୀବନ ଜୀବିକାର ସୁରକ୍ଷା ନିଶ୍ଚିତ କରିବା ସକାଶେ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଆଯାଉଥିବା ସୁରକ୍ଷା ପଦକ୍ଷେପରେ ସ୍ବେଚ୍ଛାସେବୀ ଭାବେ କାମ ଆରମ୍ଭ କରିଥିଲେ। ଏହିଠାରୁ ତାଙ୍କ ଜନସେବକ ହେବାର ପ୍ରବଳ ଇଚ୍ଛା ଆସିଥିଲା, ତାହାକୁ ସେ ସାକାର କରିଛନ୍ତି। ୨୦୧୦ରେ ସେ ଲାଡ୍ଲି ଫାଉଣ୍ଡେଶନ ଗଠନ କରି ବିପଜ୍ଜନକ ସ୍ଥିତିରେ ରହୁଥିବା ଝିଅ ଓ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କାମ ଆରମ୍ଭ କରିଥିଲେ। ଏହା ବାଲ୍ୟ ବିବାହକୁ ରୋକିବା ସହ ବାଳିକା ଶିକ୍ଷା ଉପରେ କାମ କରୁଛି। ଲାଡ୍ଲି ଫାଉଣ୍ଡେଶନ ମଧ୍ୟ କମ୍ପ୍ୟୁଟର ଲାବ କରି ଲକ୍ଷାଧିକ ପିଲାଙ୍କୁ ଶିକ୍ଷା ଦେଇସାରିଲାଣି। ଏହା ଏବେ ଭାରତ ତଥା ଭାରତ ବାହାରେ କାର୍ଯ୍ୟ ଜାରି ରଖିଛି। ଦେବେନ୍ଦ୍ରଙ୍କ ସ୍ତ୍ରୀ ପାଙ୍ଖୁରୀ ସିଂଘଲ ଏହି କାର୍ଯ୍ୟରେ ଦେବେନ୍ଦ୍ରଙ୍କୁ ସହଯୋଗ କରୁଛନ୍ତି।