ଏଇ ଭାରତରେ

ସ୍ୱାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ଏହି ବୟସରେ ସେମାନେ ପଶ୍ଚିମବଙ୍ଗ ସୁନ୍ଦରବନର ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମହମ୍ମଦ ଅବ୍‌ଦୁଲ ଓ୍ବହାବ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ପାଲ ୧୯୮୦ରେ ସଦର୍ନ ହେଲ୍‌ଥ ଇମ୍ପ୍ରୁଭ୍‌ମେଣ୍ଟ ସମିତି (ଏସ୍‌ଏଚ୍‌ଆଇଏସ୍‌) ସଂସ୍ଥା ଗଠନ କରି ଏହା ସାହାଯ୍ୟରେ ୪୩ ବର୍ଷ ହେଲା ସେମାନେ ଏହି ସେବା ଅଭିଯାନ ଚଳାଇଛନ୍ତି। ମହମ୍ମଦ ଜଣେ ଆଇନଜୀବୀ ଓ ସାବିତ୍ରୀ ଜଣେ ଶିକ୍ଷକ ଥିଲେ। ସେମାନେ ନିଜ ପେସାକୁ ଛାଡ଼ି ଏହି କାର୍ଯ୍ୟରେ ଲାଗିଛନ୍ତି। ସୁନ୍ଦର ବନରେ ଥିବା ଛୋଟବଡ଼ ୩୦ଟି ଟାପୁରେ ବୋଟ କ୍ଲିନିକ ଦ୍ୱାରା ଏହା କରୁଛନ୍ତି। ପ୍ରତ୍ୟେକ କ୍ଲିନିକ୍‌ରେ ଡାକ୍ତର, ନର୍ସ, ଜଣେ ଏକ୍ସ-ରେ ଟେକ୍‌ନିସିଆନ, ଜଣେ ଲାବୋରେଟାରି ଟେକ୍‌ନିସିଆନ ଓ ଜଣେ ଫାର୍ମାସିଷ୍ଟ ରହିଛନ୍ତି। ଏହି କ୍ଲିନିକ୍‌ରେ ଦୁଇଟି ମେଡିକାଲ ବେଡ୍‌, ମୋବାଇଲ ଏକ୍ସ-ରେ, ପାଥୋଲୋଜିକାଲ ୟୁନିଟ, ମେଡିକାଲ ଷ୍ଟୋର୍‌ ରୁମ୍‌ ଏବଂ ଏକ ଅକ୍ସିଜେନ ସିଲିଣ୍ଡର ରଖାଯାଇଛି। ଏହିଭଳି ୪ଟି ବୋଟ କ୍ଲିନିକ ରହିଛି। ମୁଖ୍ୟତଃ ଯକ୍ଷ୍ମାରୋଗ ଚିହ୍ନଟ ଲାଗି ଏହା ଅଧିକ ଗୁରୁତ୍ୱ ଦେଉଛି। ମାସକୁ ପ୍ରାୟ ୩୫ ହଜାର ରୋଗୀଙ୍କର ଚିକିତ୍ସା କରାଯାଇପାରୁଛି। ଏଥିରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଏହି ଦମ୍ପତି ଦରମା ଦେଉଛନ୍ତି।