ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ ସମସ୍ୟା ଦେଖାଯାଏ। ଗରିବ ଲୋକମାନେ ଏହା କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ବିଶେଷକରି କ୍ୟାନ୍‌ସରରେ ପୀଡ଼ିତ ପିଲାମାନଙ୍କ ପାଇଁ ଅଧିକ ସମସ୍ୟା ଦେଖାଯାଏ। ଏଭଳି ସମସ୍ୟା ଦୂର କରିବା ଲାଗି ଅଙ୍କିତ ଡାଭେ ଓ ଗିରିଶ ନାୟରଙ୍କ ଚେଷ୍ଟା ପ୍ରଶଂସନୀୟ। ସେମାନେ କ୍ୟାନ୍‌ସର ପୀଡ଼ିତ ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଏହି ଦୁଇ ବନ୍ଧୁ ମୁମ୍ବାଇରେ ୩ଟି, ପୁଣେ, ଅହମଦାବାଦ, ଚଣ୍ଡିଗଡ଼, ବେଙ୍ଗାଲୁରୁ ଏବଂ ମଣିପାଲରେ ଗୋଟିଏ ଲେଖାଏ କେନ୍ଦ୍ର ଖୋଲିଛନ୍ତି । ସେଠାରେ କ୍ୟାନ୍‌ସର ପୀଡ଼ିତ ପିଲା ଓ ସେମାନଙ୍କ ମାତାଙ୍କୁ ରହିବାର ବ୍ୟବସ୍ଥା କରିଛନ୍ତି। ଫଳରେ ସେମାନେ କମ୍‌ ଖର୍ଚ୍ଚରେ ଚିକିତ୍ସା କରାଇପାରୁଛନ୍ତି। ଏଠାରେ ରହିବାକୁ କୌଣସି ଦେୟ ପଡ଼ୁନାହିଁ। ସେଠାରେ ଲୋକମାନେ ସେମାନଙ୍କ ଆଞ୍ଚଳିକ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଲାଗି କିଚେନ ବ୍ୟବସ୍ଥା କରାଯାଇଛି। ଏବେ ସବୁ କେନ୍ଦ୍ରରେ ୧୫୦ଟି ପରିବାର ରହୁଛନ୍ତି ଓ ପାଖାପାଖି ୨୦୦୦ ପିଲା ଉପକୃତ ହୋଇଛନ୍ତି। ଆସେସ୍‌ ଲାଇଫ୍‌ ସଂସ୍ଥା ମାଧ୍ୟମରେ ସେମାନେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି।