ଏଇ ଭାରତରେ

କେବଳ ଦକ୍ଷତା ନୁହେଁ , ନିଷ୍ଠା ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଝାଡ଼ଖଣ୍ଡର ଆଇଏଫ୍‌ଏସ୍‌ ଅଧିକାରୀ ବିକାଶ ଉଜ୍ଜାଓ୍ବାଲ। ସେ ୪ ବର୍ଷରେ ୩ ଲକ୍ଷରୁ ଊଦ୍ଧ୍ୱର୍ର୍ ଗଛ ଲଗାଇ ୫୦୦୦ ହେକ୍ଟର ଜମିରେ ଜଙ୍ଗଲ ଠିଆ କରିପାରିଛନ୍ତି। ବିକାଶ ଝାଡ଼ଖଣ୍ଡର ଲୋହାରଦାଗା ଫରେଷ୍ଟ ଡିଭିଜନରେ ୨୦୧୬ରେ ନିଯୁକ୍ତି ପାଇବା ପରେ ଏହି ଅଭିଯାନ ଆରମ୍ଭ କରିଥିଲେ। ଏବେ ସେ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ସହ ସ୍ଥାନୀୟ ଅଞ୍ଚଳରେ ଆଣିଛନ୍ତି ନିଯୁକ୍ତି ସୁଯୋଗ। କେବଳ ଏତିକି ନୁହେଁ ,ବିକାଶ ମଧ୍ୟ ପରିବେଶ ଭିତ୍ତିକ ପର୍ଯ୍ୟଟନର ଉନ୍ନତି କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଜଙ୍ଗଲର ଆଖପାଖ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ବାଉଁଶ କାରିଗରି ଉପରେ ପ୍ରଶିକ୍ଷଣ ଦେଇ ରୋଜଗାର କରିବାର ବାଟ ଦେଖାଇଛନ୍ତି। ଜଙ୍ଗଲ ପାଇଁ ବର୍ଷାପାଣି ଅଟକାଇବା ଲାଗି ୨୦ଟି ଚେକ୍‌ଡ୍ୟାମ୍‌ ନିର୍ମାଣ କରିବା ସହ ବହୁ ପୋଖରୀ ମଧ୍ୟ ଖୋଳାଇଛନ୍ତି। ଏହି ଅଞ୍ଚଳକୁ ଏବେ ସୁଦ୍ଧା ୨.୫ ଲକ୍ଷ ପର୍ଯ୍ୟଟକ ଆସିସାରିଲେଣି। ପର୍ଯ୍ୟଟକଙ୍କ ଆଗମନ ଓ ପୋଲିସ ଉପସ୍ଥିତି ଏହି ମାଓପ୍ରବଣ ଅଞ୍ଚଳରୁ ୯୦% ଅପରାଧ କମାଇ ଦେଇଛି।