ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭ ଏକର ଫାର୍ମରେ ସେ ୪୫ ପ୍ରକାର ଡ୍ରାଗନ ଫ୍ରୁଟ୍ସ ଚାଷ କରୁଛନ୍ତି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରାଯାଉଛି। ଏହି ଚାଷରୁ ସେ ବର୍ଷକୁ ୨.୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ମାଧବରାମ ୬,୫୦୦ କୃଷକଙ୍କୁ ଡ୍ରାଗନ ଫ୍ରୁଟ୍ସ ଚାଷ ସମ୍ପର୍କରେ ମାଗଣାରେ ପ୍ରଶିକ୍ଷଣ ଦେଇ ସାରିଲେଣି। ଏହି ଚାଷ ଲାଗି ସେ ତୁମକୁରସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହର୍ଟିକଲଚରର ସହଯୋଗ ନେଉଛନ୍ତି। ସେ ୨୦୧୬ରେ ଭିଏଟନାମ୍‌, ତାଇଓ୍ବାନ, ଫିଲିପାଇନ୍ସ ସମେତ ୧୩ଟି ଦେଶ ଭ୍ରମଣ କରି ଡ୍ରାଗନ ଫ୍ରୁଟ୍ସ ଚାଷ ସମ୍ପର୍କରେ ଜ୍ଞାନ ହାସଲ କରିବା ପରେ ୨୦୧୭ରେ ଭାରତକୁ ଫେରି ଚାଷ ଆରମ୍ଭ କରିଥିଲେ। ବାସ୍ତବରେ ୨୦୧୬ରେ ସେ ଯେତେବେଳେ ଡ୍ରାଗନ ଫ୍ରୁଟ୍ସ ଖାଇଥିଲେ ସେତେବେଳେ ତା’ ସ୍ବାଦ ତାଙ୍କୁ ଏହି ଚାଷ କରିବା ଲାଗି ପ୍ରେରିତ କରିଥିଲା ବୋଲି କହନ୍ତି ମାଧବରାମ।