ଏଇ ଭାରତରେ

ଗୁଗ୍‌ଲରେ ସର୍ଚ୍ଚ କରିବା ସମୟରେ ‘ଲିଓପାର୍ଡ କଣ୍ଟ୍ରି’ରେ କୌଣସି ଦେଶ ପାଇବେ ନାହିଁ , ବରଂ ରାଜସ୍ଥାନର ଜଓ୍ବାଇ ଭଳି ଏକ ଛୋଟ ଅଞ୍ଚଳ ପାଇବେ । ଏଠାରେ ବହୁସଂଖ୍ୟାରେ କଳାରାପତରିଆ ବାଘ ରହନ୍ତି। ଏହି ଅଞ୍ଚଳରେ ବାଘଙ୍କ ସୁରକ୍ଷା ପାଇଁ ନିଜ କ୍ୟାରିୟରକୁ ପଛ କରି ସେମାନଙ୍କ ବାସସ୍ଥାନର ସୁରକ୍ଷା କରୁଛନ୍ତି ଶତ୍ରୁଞ୍ଜୟ ପ୍ରତାପ ସିଂ। ସେ ମଧ୍ୟ ସେଠାକାର ଖଣି ଖନନକୁ ବିରୋଧ କରିବା ସହ ବନ୍ଦ କରିପାରିଛନ୍ତି। ଜଓ୍ବାଇର ବେରା ଗାଁରେ ୮ ଏକର ଜମିରେ ‘ବେରା ସଫାରି ଲଜ୍‌’ ନିର୍ମାଣ କରି ସେହି ଅଞ୍ଚଳକୁ ପର୍ଯ୍ୟଟକ ଏବଂ ବାଘଙ୍କ ପାଇଁ ସ୍ବର୍ଗଟିଏ ଗଢିପାରିଛନ୍ତି। ଏହି ଅଞ୍ଚଳରେ ପ୍ରାୟ ହଜାରେ ବର୍ଷ ପୂର୍ବେ ଇରାନରୁ ଭାରତକୁ ଆସିଥିବା ରାବରି ସମ୍ପ୍ରଦାୟର ଲୋକେ ଜଙ୍ଗଲରେ ବାଘ ସହ ବିନା ସଂଘର୍ଷରେ ରହିଆସିଛନ୍ତି। ଭାରତର ବିଭିନ୍ନ ଅଞ୍ଚଳରେ ବାଘ ଆକ୍ରମଣ ବିଷୟ ସାମ୍ନାକୁ ଆସୁଥିବା ବେଳେ ଏହି ଅଞ୍ଚଳରେ ତାହା ଦେଖାଯାଏ ନାହିଁ ବୋଲି କୁହନ୍ତି ଶତ୍ରୁଞ୍ଜୟ। ସେ ୩ ବର୍ଷ ଲଗାତର ସରକାରୀ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରି ଶତାଧିକ ମାଇନିଂ ବନ୍ଦ କରିବାରେ ସକ୍ଷମ ହୋଇଚନ୍ତି। ଶତ୍ରୁଞ୍ଜୟ ଓ୍ବାଇନମେକିଂରେ ଚାକିରି କରିଥିଲେ। ସେ ବି ଜଣେ ଚଳଚ୍ଚିତ୍ର ନିର୍ମାତା। କିନ୍ତୁ ସବୁ ଛାଡ଼ି ଦେଇ ସେ ଏବେ ଏହି କାର୍ଯ୍ୟରେ ଲାଗିଛନ୍ତି।