ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ଲାଗି ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) ଟ୍ୟାଙ୍କର ବ୍ୟବସ୍ଥା କରିଛି। ଏହି ସ୍ଥିତିକୁ ଲକ୍ଷ୍ୟ କରି ପରିବେଶବିତ୍‌ ଡ.ହରିଚରଣ ଚନ୍ଦ୍ରଶେଖରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ରେନ୍‌ ରିଚ୍‌ ପ୍ରୋଗ୍ରାମ ଜଳ ସଂରକ୍ଷଣ କ୍ଷେତ୍ରରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଏହି କାର୍ଯ୍ୟକ୍ରମ ବିବିଏମ୍‌ପି ୪୦ଟି ସ୍କୁଲରେ ୯-୧୫ ବର୍ଷ ବୟସର ପିଲାମାନଙ୍କୁ ବର୍ଷାଜଳ ଅମଳ କରିବା, ସ୍ବେରେଜ ଓ୍ବାଟର ଟ୍ରିଟ୍‌ କରିବା ଏବଂ ଉଭୟ ବର୍ଷା ଓ ଓ୍ବେଷ୍ଟ ଓ୍ବାଟରର ପୁନଃ ବ୍ୟବହାର କରିବା ଲାଗି ଉତ୍ସାହିତ କରିପାରିଛି। ଉଲ୍ଲେଖନୀୟ ଯେ, ବେଙ୍ଗାଲୁରୁରେ ୯୦% ବର୍ଷାଜଳ ଏବେ ସୁଦ୍ଧା ନଷ୍ଟ ହେଉଛି। ସେହି ଦୃଷ୍ଟିିରୁ ଡ. ହରିଚରଣ ବର୍ଷା ଜଳ ସଂରକ୍ଷଣ ପଦ୍ଧତି ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବା ପରେ ସେମାନେ ଏ ଦିଗରେ ସଫଳ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡ. ହରିଚନ୍ଦନ ସ୍କୁଲଗୁଡ଼ିକରେ ବର୍ଷାଜଳ ସଂରକ୍ଷଣ ପଦ୍ଧତି ସ୍ଥାପନ କରିଛନ୍ତି। ଏହା ବ୍ୟତୀତ ବର୍ଷା ପରିମାଣ ମାପ କରିବା ଲାଗି ସ୍କୁଲଗୁଡ଼ିକରେ ରେନ୍‌ ଗଜ୍‌ ଓ୍ବେଦର ଷ୍ଟେଶନ ଏବଂ ଡିଜିଟାଲ ମିଟର ଲଗାଇଛନ୍ତି। ଏବେ ସୁଦ୍ଧା ବେଙ୍ଗାଲୁରୁର ଏହି ସବୁ ସ୍କୁଲ ଦୈନିକ ୩୪ ମିଲିୟନ ଲିଟର ଜଳ ସଂରକ୍ଷଣ କରିବାକୁ ସକ୍ଷମ ହୋଇପାରୁଛନ୍ତି।