ଏଇ ଭାରତରେ

ବେଳେବେଳେ ଗୋଟିଏ ଗୋଟିଏ ଘଟଣା ଜଣଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିଥାଏ, ଯାହା ଘଟିଛି ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ କନଷ୍ଟେବଳ ରୋହିତଙ୍କ କ୍ଷେତ୍ରରେ। ତାଙ୍କର ପୂରା ନାମ ରୋହିତ କୁମାର ଯାଦବ। ଉତ୍ତରପ୍ରଦେଶ ଉନାଓର ଅଧିବାସୀ ରୋହିତଙ୍କୁ ବୟସ ୩୫। ଉନାଓରୁ ରାୟବରେଲି ଯାତ୍ରା କରୁଥିବା ସମୟରେ ଜଣେ ଅସହାୟ ଶିଶୁକୁ ଭିକ ମାଗିବାର ଦେଖିବା ପରେ ସେ ଏଭଳି ଶିଶୁମାନଙ୍କୁ ମାଗଣାରେ ପଢାଇବା ଲାଗି ବାହାରି ପଡିଥିଲେ। ଶିଶୁମାନଙ୍କ ପରିବାରକୁ ବୁଝାଇ ଶୁଝାଇ ପ୍ରଥମେ ଶିକ୍ଷାର ଧାରାକୁ ଆଣିବା ଲାଗି ବହୁ କଷ୍ଟ ସେ ସ୍ବୀକାର କରିଥିଲେ । ଜୁଲାଇ,୨୦୧୮ରେ ରୋହିତ ଉନାଓ ଷ୍ଟେଶନ ନିକଟ ଟ୍ରେନ୍‌ ଲାଇନ କଡ଼ରେ ଖୋଲା ଆକାଶ ତଳେ ୫ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ଏକ ଏନ୍‌ଜିଓ ତାଙ୍କୁ ଘରଟିଏ ଯୋଗାଇ ଦେଇଥିଲା। ଏବେ ପିଲାଙ୍କ ସଂଖ୍ୟା ବୃଦ୍ଧିପାଇ ୯୦ରେ ପହଞ୍ଚିଛି। ରୋହିତଙ୍କ ରାତି ଡ୍ୟୁଟି ଥିବାରୁ ସେ ୨.୩୦ରୁ ୫.୩୦ ଯାଏ ସୋମବାରରୁ ଶନିବାର ଯାଏ ପଢାଉଛନ୍ତି। ପଢାଇବା ଲାଗି ସେ ଆଉ ଦୁଇଜଣଙ୍କୁ ନିଯୁକ୍ତ କରିଛନ୍ତି। ସେମାନଙ୍କୁ ଦରମା ବି ଦେଉଛନ୍ତି। ଏଥିପାଇଁ ପ୍ରତି ମାସର ତାଙ୍କ ଦରମାରୁ ସେ ୧୦,୦୦୦ ଟଙ୍କା ବ୍ୟୟ କରୁଛନ୍ତି। ପିଲାମାନଙ୍କ ପାଠ୍ୟ ଉପକରଣ ତଥା ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରୁଛନ୍ତି। ୨୦୧୯ର ଶେଷ ଭାଗରୁ ରୋହିତ ଉନାଓ ଷ୍ଟେଶନ ନିକଟବର୍ତ୍ତୀ କୋରାରି ପଞ୍ଚାୟତ ଭବନ ବିଲ୍ଡିଂରେ ପିଲାମାନଙ୍କୁ ପଢ଼ାଉଛନ୍ତି।