ଏଇ ଭାରତରେ

ମହାରାଷ୍ଟ୍ରରେ ଶିକ୍ଷକମାନେ ଚଳାଉଛନ୍ତି ଏକ ଅଜବ ସ୍କୁଲ। ଏହି ସ୍କୁଲରେ କେବଳ ଆଈମା’ମାନେ ପଢୁଛନ୍ତି। ଏହି ସ୍କୁଲର ନାମ ରଖାଯାଇଛି ‘ଅଜିବାଇଚିଶାଳା’ ବା ଆଈମା’ଙ୍କ ସ୍କୁଲ। ଏହାକୁ ୪ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ମହିଳା ଦିବସରେ ଖୋଲାଯାଇଥିଲା। ଏବେ ଏହି ସ୍କୁଲ କୋଭିଡ୍‌ ମହାମାରୀ ଯୋଗୁ ବନ୍ଦ ରହିଛି। ୭୬ ବର୍ଷୀୟା ଶାନ୍ତାବାଈ କହନ୍ତି, ମରାଠୀ ଭାଷାରେ ଲିଖିତ ପବିତ୍ର ଗ୍ରନ୍ଥ ପଢିବା ଲାଗି ଭାଷା ଶିଖିତ୍ବାକୁ ୨୦୧୬ରୁ ଏହି ସ୍କୁଲକୁ ସେ ଯାଉଛନ୍ତି। ଶାନ୍ତବାଈଙ୍କ ପରି ଫାଙ୍ଗେନି ଗାଁରେ ଥିବା ଏହି ସ୍କୁଲରେ ୬୦ରୁ ୯୦ ବର୍ଷ ବୟସର ୩୦ଜଣ ମହିଳା ପଢୁଛନ୍ତି। ଏହି ସ୍କୁଲରେ ନାମଲେଖାଇବା ପାଇଁ ସର୍ବନିମ୍ନ ବୟସ ସୀମା ରଖାଯାଇଛି ୬୦ । ଏହି ସ୍କୁଲକୁ ଆରମ୍ଭ କରିଛନ୍ତି ଜିଲାପରିଷଦ ଶିକ୍ଷକ ଯୋଗେନ୍ଦ୍ର ବାଙ୍ଗର। ମୋତିଲାଲ ଦଲାଲ ଚାରିଟେବୁଲଏ ଟ୍ରଷ୍ଟ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛି। ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷା ଦିଆଯାଉଛି। ଏଠାରେ ୯ଜଣ ଶିକ୍ଷକ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୨ଟାରୁ ୪ ଟା ଯାଏ ପଢାନ୍ତି। କୋଭିଡ ମହାମାରୀ ପାଇଁ ଏବେ ସ୍କୁଲ ବନ୍ଦ ରହିଛି ଓ ଖୋଲିଲେ ଏଭଳି ବି ପଢା ଚାଲୁରହିବ ବୋଲି କହନ୍ତି ଯୋଗେନ୍ଦ୍ର। ସ୍ଥାୟୀଭାବେ ଶିତଲଙ୍କୁ ସେଠାରେ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେ ପ୍ରତିଦିନ ସେମାନଙ୍କୁ ଅକ୍ଷର ଶିଖାନ୍ତି। ସେହି ଗାଁର ଜଣେ ବ୍ୟକ୍ତି ସ୍କୁଲ ପାଇଁ ଗୋଟିଏ ବଖରା ଘର ଯୋଗାଇ ଦେଇଛନ୍ତି। ଏଥିପାଇଁ ସେ କୌଣସି ଭଡ଼ା ନେଉନାହାନ୍ତି। ସ୍କୁଲର ସବୁଠୁ ବୟସ୍କା ୯୪ ବର୍ଷୀୟା ମହିଳା ଅନସୂୟାଙ୍କର ନିକଟରେ ଦେହାନ୍ତ ଘଟିଛି।