ଭାରତର ବିଭିନ୍ନ ଅଞ୍ଚଳରେ ଭ୍ରାମ୍ୟମାଣ ଲାଇବ୍ରେରି ଲୋକଙ୍କ ପାଖରେ ବହି ପହଞ୍ଚାଇ ଦେଇପାରୁଛି। ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ଏହି ଲାଇବ୍ରେରି ଚାଲିଛି ଘୋଡ଼ା ଓଟଙ୍କ ସାହାଯ୍ୟରେ। ଉତ୍ତରାଖଣ୍ଡର ଦୁର୍ଗମ ଗାଁ ଗୁଡ଼ିକୁ ଘୋଡ଼ା ଲାଇବ୍ରେରି ଯାଇ ଲୋକଙ୍କ ପାଖରେ ପହଞ୍ଚିଯାଉଛି। ଏହି ଲାଇବ୍ରେରି ଖୋଲିଛନ୍ତି ଶୁଭମ ବଧାନି। ସେ ଘୋଡ଼ା ପିଠିରେ ବ୍ୟାଗଗୁଡ଼ିକରେ ବହି ଲଦି ବିଭିନ୍ନ ଗାଁରେ ଲୋକଙ୍କୁ ବହି ଦେଉଛନ୍ତି। ଘୋଡ଼ା ଲାଇବ୍ରେରି ପ୍ରତି ଛୋଟପିଲାମାନେ ଆକର୍ଷିତ ହେଉଛନ୍ତି ଓ ବହି ନେଇ ପଢୁଛନ୍ତି। ଏହି ଲାଇବ୍ରେରି ପ୍ରତି ସପ୍ତାହରେ ଥରେ ବିଭିନ୍ନ ଗାଁରେ ବୁଲୁଛି। ସେହିଭଳି ରାଜସ୍ଥାନରେ ରଙ୍ଗିନ କନା ଓ ବେଲୁନରେ ସଜ୍ଜିତ ଓଟଗାଡ଼ି ଲାଇବ୍ରେରି ଗାଁକୁ ଗାଁ ବୁଲି ଲୋକଙ୍କୁ ବହି ଦେଉଛି। ବିଶେଷକରି ଗଳ୍ପ ବହି ଓ ପିଲାଙ୍କ ପାଇଁ ଅନେକ ଶିକ୍ଷଣୀୟ ବହି ରହିଛି ଏହିସବୁ ଲାଇବ୍ରେରିରେ। ଦିଲ୍ଲୀରେ ଭ୍ରାମ୍ୟମାଣ ଲାଇବ୍ରେରି ବୁକ୍ଓ୍ବର୍ମ ବସ୍ରେ ଚାଲୁଛି। ବସ୍ରେ ଚାଲିଥିବା ଲାଇବ୍ରେରିରେ ଲୋକେ ବସି ପଢ଼ିବାର ବ୍ୟବସ୍ଥା ହୋଇଛି। ଏହାକୁ ଲୋକେ କହୁଛନ୍ତି ସଞ୍ଚାର ଗ୍ରନ୍ଥାଳୟ। ମୁମ୍ବାଇରେ ମଧ୍ୟ ଏକ ଭ୍ରାମ୍ୟମାଣ ମରାଠୀ ଗ୍ରନ୍ଥ ସଂଗ୍ରହାଳୟ ପ୍ରତିଦିନ ୫ଟି ସ୍ଥାନକୁ ଯାଉଛି। ଏଥିରେ ୧୦,୦୦୦ ବହି ରହିଛି। ଗୋଟିଏ ସ୍ଥାନରେ ତାହା ଅତିବେଶିରେ ଦେଢ଼ ଘଣ୍ଟା ରହୁଛି। ଭ୍ରାମ୍ୟମାଣ ଲାଇବ୍ରେରିରୁ ଲୋକେ ବହି ନେଇ ପଢ଼ୁଛନ୍ତି।


