ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ କରୁଛନ୍ତି, ଏହା ତାଙ୍କୁ ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ୨୦୦୨ରେ ତାଙ୍କର ଜଣେ କେମିକାଲ ଇଞ୍ଜିନିୟର ବନ୍ଧୁ ଲାଲକୃଷ୍ଣ ଯାଦବଙ୍କ ସହ ସାକ୍ଷାତ ହେବାପରେ ତାଙ୍କ ସହ ମିିଶି ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ପ୍ରଥମେ ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲା ସିକନ୍ଦ୍ରାବାଦରେ ୨ ଏକର ଜମି ଲିଜ ନେଇ ଚାଷ ଆରମ୍ଭ କରିଥିଲେ। ପାରମ୍ପରିକ ପଦ୍ଧତିରେ ସବୁ ପ୍ରକାର ଚାଷ କରି ୩ ବର୍ଷ କ୍ଷତି ସହିବା ପରେ ୨୦୦୫ରେ ସେ ଆଇସିଆଇଆର୍ ପରିଦର୍ଶନ କରି ବୈଜ୍ଞାନିକ ପଦ୍ଧତି ଚାଷ ସମ୍ପର୍କରେ ଜ୍ଞାନ ହାସଲ କରିଥିଲେ। ପରେ ଆଧୁନିକ ଯନ୍ତ୍ରପାତି ଦ୍ୱାରା ଗାଜର ଚାଷ କରି ଅତ୍ୟଧିକ ଅମଳ କରୁଛନ୍ତି। ଗାଜରର ମାର୍କେଟିଂ ପାଇଁ ସେ ଏକ କମ୍ପାନୀ ଖୋଲିଛନ୍ତି। ସେ ମଧ୍ୟ ଗାଜର ଚାଷ ସହ ୫୦୦ କୃଷକଙ୍କୁ ଯୋଡ଼ିି ୫୦୦ ଏକରରେ ଗାଜର ଚାଷ କରାଇପାରିଛନ୍ତ, ଯେଉଁମାନେ ବର୍ଷକୁ ୨୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି।

