ଦିଲ୍ଲୀରେ ଥାଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦିଲ୍ଲୀରୁ ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ଅଧିକ ଗୁରୁତ୍ୱ ଆରୋପ କରିଛନ୍ତି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କୋଭିଡ୍‌ ନିୟମ ପାଳନ କରି ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପ୍ରଭାବିତ ସମସ୍ତ ୧୧ଟି ଜିଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଜିଲାପାଳ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରଭାବିତ ହେବାକୁ ଥିବା ଜିଲାରେ ୪୨ଟି ଓଡ୍ରାଫ୍‌ ଟିମ୍‌, ୨୪ ଏନ୍‌ଡିଆରଏଫ୍‌ ଟିମ୍‌, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଥିବା ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଭିକେ ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ,ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଏବଂ ୧୧ଟି ଜିଲାର ଜିଲାପାଳ ଭାଗ ନେଇଥିଲେ।