ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର,୧୪ା୩: ନବୀନ ନିବାସରେ ଗୁରୁବାର ଆରମ୍ଭ ହୋଇଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ମେଣ୍ଟ ଚର୍ଚ୍ଚା ସମୟରେ ନବୀନ ନିବାସରେ ଏହା ୨ୟ ପର୍ଯ୍ୟାୟ ଦଳୀୟ ବୈଠକ ବସିଛି। ଯାହା ଉପରେ ସମସ୍ତଙ୍କ ନଜର ରହିଛି। କୁହାଯାଉଛି ଯେ, ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ବୋଧହୁଏ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି।

ଉକ୍ତ ବୈଠକରେ ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ପ୍ରୀତିରଞ୍ଜନ ଘଡ଼େଇ, ପ୍ରତାବ ଦେବ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ସୁଧୀର ସାମଲ ପ୍ରମୁଖ ଯୋଗ ଦେଇଛନ୍ତି। ଉକ୍ତ ବୈଠକ ପରେ ମେଣ୍ଟ ହେବ କି ନାହିଁ ସେ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ବୁଧବାର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଲତା ଉଶେଣ୍ଡି, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ମଧ୍ୟ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେଦିନ ସନ୍ଧ୍ୟାରେ ୨ଟି ପର୍ଯ୍ୟାୟରେ ବୈଠକ ବସିଥିଲା।