ନିଖୁଣ ଚରିତ୍ରକାର

ସତେଯେମିତି ମାନବୀୟ ଆତ୍ମାର ବିଚାର କରିବା ସହ ଆଧ୍ୟାତ୍ମିକତା ଓ ମଣିଷର ସ୍ଥିତି ସମ୍ବନ୍ଧୀୟ ଆବେଗକୁ ଲେଖା ମାଧ୍ୟମରେ ବଖାଣିବାର ଦାୟିତ୍ୱ ତାଙ୍କୁ ଦିଆଯାଇଛି। ମଣିଷର ସ୍ଥାନଚ୍ୟୁତି, ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ, ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ, କଠୋର ଶବ୍ଦକୋଷ ପ୍ରୟୋଗକରି ଶାସନକୁ ଦୋହଲାଇ ଦେବା, ସ୍ଥଳବିଶେଷରେ ବାସ୍ତବ ବର୍ଣ୍ଣନାରେ ବ୍ୟକ୍ତି ଓ ବର୍ଗଙ୍କୁ ବଶୀଭୂତ କରିବାର ଏକ ମିଶ୍ରିତ ଦକ୍ଷତା ରଖିଥିବାରୁ ଆୟର୍ଲାଣ୍ଡ ଭିତରେ ଓ ବାହାରେ ସେ ବିଶିଷ୍ଟ ଔପନ୍ୟାସିକ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ୫୪ ବର୍ଷର ବୁକର ପୁରସ୍କାର ଇତିହାସରେ ଆୟର୍ଲାଣ୍ଡର ପଞ୍ଚମ ଲେଖକ ଭାବେ ପଲ୍‌ ଲିଞ୍ଚ୍‌ଙ୍କ ବିଷୟରେ ଉପଲିଖିତ ବର୍ଣ୍ଣନା ଏହା ମଧ୍ୟ ଦର୍ଶାଇଥାଏ ଯେ, ସେ ସାମ୍ପ୍ରତିକ ସମୟ ଓ ଚରିତ୍ରକୁ ନିଖୁଣ ଆକାର ଦେବାକୁ ଚାହିଁଥାଆନ୍ତି। ସମ୍ଭବତଃ ସେଥିପାଇଁ ତାଙ୍କ ପଞ୍ଚମ ଉପନ୍ୟାସ ‘ପ୍ରଫେଟ୍‌ ସଙ୍ଗ୍‌’ ୨୦୨୩ ବୁକର ପୁରସ୍କାର ପାଇପାରିଛି। କୌଣସି ଅସଙ୍ଗତି ଦେଖିଲେ ଈଶ୍ୱର ଅସନ୍ତୋଷ ହୋଇଥାଆନ୍ତି ବୋଲି ପ୍ରକାଶ କରିବାକୁ ଯାଇ ସେ ଲେଖିଥିବା ଏହି ଉପନ୍ୟାସର ଓଡ଼ିଆ ମର୍ମାନୁବାଦ କଲେ ତାହା ହୋଇପାରେ ‘ଧର୍ମପ୍ରବର୍ତ୍ତକ ସଙ୍ଗୀତ’। ପ୍ରତୀକଧର୍ମୀ ଏହି ଉପନ୍ୟାସର ଚରିତ୍ରଗୁଡ଼ିକ ହେଉଛନ୍ତି ଇଲିଶ ଷ୍ଟାକ୍‌, ତାଙ୍କ ସ୍ବାମୀ ଲାରି, ଚାରି ସନ୍ତାନ, ସରକାର ଓ ଯନ୍ତ୍ରଣାଦାୟୀ ବ୍ୟବସ୍ଥା। ଲାରି ଜଣେ ଶ୍ରମିକ ନେତା। ଅଧିକାଂଶ ସମୟରେ ସେ ବିଳମ୍ବିତ ରାତିରେ ଫେରିଥାଆନ୍ତି। ଘରେ ଇଲିଶ ତାଙ୍କ ପିଲାମାନଙ୍କୁ ନେଇ ରହନ୍ତି। ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରୁଥିବାରୁ ଆୟର୍ଲାଣ୍ଡର ନୂତନ ଭାବେ ଗଠିତ ସିକ୍ରେଟ ପୋଲିସ ଲାରିଙ୍କୁ ଉଠାଇ ନିଅନ୍ତି ଓ ଜେରା କରନ୍ତି। ପରବର୍ତ୍ତୀ ସମୟରେ ସେ ଆଉ ଘରକୁ ଫେରନ୍ତି ନାହିଁ। ଚାରି ସନ୍ତାନକୁ ନେଇ ପରିବାର ଚଳାଇବା ଇଲିଶଙ୍କ ପକ୍ଷେ କଷ୍ଟକର ହୋଇପଡ଼େ। ତାଙ୍କ ସଂଘର୍ଷର କାହାଣୀ ପଲ୍‌ଙ୍କ ଲେଖାରେ ଗତିଶୀଳ ହୁଏ। ରାଜନୈତିକ ଦମନ ଯୋଗୁ ଘଟିଥିବା ସାମାଜିକ ବିଭାଜନକୁ ଉପନ୍ୟାସରେ ସ୍ଥାନ ଦେଲା ବେଳେ ସମ୍ଭବତଃ ଔପନ୍ୟାସିକ ପ୍ରଫେଟ୍‌ଙ୍କ ସଙ୍ଗୀତ ଶୁଣିଛନ୍ତି, ଯାହା ପାଠକଙ୍କୁ ବହୁମାତ୍ରରେ ଛୁଇଁପାରିଛି ବୋଲି ସମୀକ୍ଷକମାନେ ମତ ଦେଇଥାଆନ୍ତି।
ପଲ୍‌ ଲିଞ୍ଚ୍‌ ମେ’ ୧୯୭୭ରେ ଦକ୍ଷିଣ ଆୟର୍ଲାଣ୍ଡର ଲିମେରକ୍‌ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ମାତ୍ର ୯ ମାସ ହୋଇଥିବା ବେଳେ ମାତାପିତା ଆୟର୍ଲାଣ୍ଡର ଉତ୍ତରାଞ୍ଚଳ ରାଜ୍ୟ ଉଲଷ୍ଟର ନିକଟ କାଉଣ୍ଟି ଡୋନେଗାଲକୁ ଚାଲିଯାଇଥିଲେ। ପଲ୍‌ଙ୍କ ପିତା କୋଷ୍ଟ ଆଣ୍ଡ୍‌ କ୍ଲିଫ୍‌ ରେସ୍କ୍ୟୁ ସର୍ଭିସ (ସିସିଆର୍‌ଏସ୍‌)ରେ କାର୍ଯ୍ୟ କରୁଥିଲେ। ୧୯୯୧ରେ ସିସିଆର୍‌ଏସ୍‌ର ନାମ ପରିବର୍ତ୍ତନ ହୋଇ ଆଇରିସ୍‌ ମରିନ୍‌ ଏମର୍ଜେନ୍ସି ସର୍ଭିସ(ଆଇଏମ୍‌ଇଏସ୍‌) ହୋଇଥିଲା। ତାହା ଏବେ ଆଇରିସ୍‌ କୋଷ୍ଟ ଗାର୍ଡ ଭାବେ ଜଣାଶୁଣା। ପଲ୍‌ଙ୍କ ଯୁବାବସ୍ଥା କାଉଣ୍ଟି ଡୋନେଗାଲରେ କଟିଥିଲା। ୟୁନିଭର୍ସିଟି କଲେଜ ଡବ୍‌ଲିନରେ ସେ ଇଂଲିଶ ଓ ଦର୍ଶନଶାସ୍ତ୍ର ନେଇ ପାଠ ପଢ଼ିଥିଲେ। କିନ୍ତୁ ସେ ସ୍ନାତକ ଡିଗ୍ରୀ ଅର୍ଜନ କରିପାରି ନ ଥିଲେ। ଡବ୍‌ଲିନ୍‌ରେ ରହିବା ବେଳେ ସେ ସାମ୍ବାଦିକତା ପ୍ରତି ଢଳିଥିଲେ। ‘ଦି ସନ୍‌ଡେ ଟ୍ରିବ୍ୟୁନ୍‌’ରେ ଯୋଗଦେବା ପରେ ପର୍ଯ୍ୟାୟକ୍ରମେ ଡେପୁଟି ଚିଫ୍‌ ସବ୍‌-ଏଡିଟର ଓ ଚିଫ୍‌ ଫିଲ୍ମ କ୍ରିଟିକ୍‌ ଭାବେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେଠାରେ ମଧ୍ୟ ସେ ଦୀର୍ଘଦିନ ବାନ୍ଧି ହୋଇ ରହିପାରି ନ ଥିଲେ। ଲେଖକ ହେବାର ଯେଉଁ ଲକ୍ଷ୍ୟ ସେ ପିଲାଟି ବେଳୁ ରଖିଆସଥିଲେ ତାହାକୁ ସାକାର କରିବା ଲାଗି ସାମ୍ବାଦିକତା ଛାଡ଼ିଥିଲେ। ସେ କହିଥାଆନ୍ତି, ତାଙ୍କ ଲେଖକୀୟ ଜୀବନକୁ ସମୃଦ୍ଧ କରିବାରେ ସାମ୍ବାଦିକତା ଯଥେଷ୍ଟ ସାହାଯ୍ୟ କରିଥିଲା। ଜଣେ ପୂର୍ଣ୍ଣକାଳୀନ ସାହିତି୍ୟକ ହେବା ପାଇଁ ସେ ସାମ୍ବାଦିକତାରୁ ଲମ୍ଫ ପ୍ରଦାନ କରି ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ, ପ୍ରଥମ ଉପନ୍ୟାସ ‘ରେଡ୍‌ ସ୍କାଏ ଇନ୍‌ ମର୍ନିଂ’ ତାଙ୍କୁ ତତ୍‌କ୍ଷଣାତ୍‌ ପ୍ରସିଦ୍ଧି ଆଣି ଦେଇଥିଲା। ଉପନ୍ୟାସରେ କାବି୍ୟକ ଶବ୍ଦବିନ୍ୟାସ ତାଙ୍କ ଲେଖାକୁ ଅଧିକ ପାଠକୀୟ ସ୍ବୀକୃତି ଦେଇଥିଲା। ତା’ପରେ ଲେଖିଲେ ଉପନ୍ୟାସ ‘ଦି ବ୍ଲାକ୍‌ ସ୍ନୋ’, ‘ଗ୍ରେସ୍‌’ ଏବଂ ‘ବିୟଣ୍ଡ୍‌ ଦି ସି’। ପଞ୍ଚମ ଭେଟି ଭାବେ ‘ପ୍ରଫେଟ୍‌ ସଙ୍ଗ୍‌’ ଏବେ ତାଙ୍କୁ ସର୍ବାଧିକ ସମ୍ମାନର ଅଧିକାରୀ କରାଇ ଦେଇଛି।
ନିକଟରେ ଲଣ୍ଡନଠାରେ ଏକ ସମାରୋହରେ ପଲ୍‌ଙ୍କୁ ୫୦ ହଜାର ପାଉଣ୍ଡ (୯୬ ହଜାର ଡଲାର) ମୂଲ୍ୟର ବୁକର୍‌ ପୁରସ୍କାର ପ୍ରଦାନ କରାଯିବା ବେଳେ ବିଚାରକମଣ୍ଡଳୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଆଜିର ବିଷମ ସମୟରେ ସମାଜକୁ ଦିଗ୍‌ଦର୍ଶନ ଦେଲା ଭଳି ଏକ ଉପନ୍ୟାସ ଖୋଜୁ ଖୋଜୁ ‘ପ୍ରଫେଟ୍‌ ସଙ୍ଗ୍‌’କୁ ସେମାନେ ପାଇଥିବା କହିଥିଲେ। ଏଇ କେତେ ପଦ କଥା ନିଶ୍ଚିତ ଭାବେ ଜଣେ ଲେଖକଙ୍କୁ ଜୀବନବ୍ୟାପୀ ସ୍ବୀକାର କରିଥିବା ଶ୍ରମକୁ ସ୍ବୀକୃତି ଦେବା ପାଇଁ ଯଥେଷ୍ଟ ବୋଲି କୁହାଯାଇପାରେ।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri