ନିଖୁଣ ଚରିତ୍ରକାର

ସତେଯେମିତି ମାନବୀୟ ଆତ୍ମାର ବିଚାର କରିବା ସହ ଆଧ୍ୟାତ୍ମିକତା ଓ ମଣିଷର ସ୍ଥିତି ସମ୍ବନ୍ଧୀୟ ଆବେଗକୁ ଲେଖା ମାଧ୍ୟମରେ ବଖାଣିବାର ଦାୟିତ୍ୱ ତାଙ୍କୁ ଦିଆଯାଇଛି। ମଣିଷର ସ୍ଥାନଚ୍ୟୁତି, ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ, ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ, କଠୋର ଶବ୍ଦକୋଷ ପ୍ରୟୋଗକରି ଶାସନକୁ ଦୋହଲାଇ ଦେବା, ସ୍ଥଳବିଶେଷରେ ବାସ୍ତବ ବର୍ଣ୍ଣନାରେ ବ୍ୟକ୍ତି ଓ ବର୍ଗଙ୍କୁ ବଶୀଭୂତ କରିବାର ଏକ ମିଶ୍ରିତ ଦକ୍ଷତା ରଖିଥିବାରୁ ଆୟର୍ଲାଣ୍ଡ ଭିତରେ ଓ ବାହାରେ ସେ ବିଶିଷ୍ଟ ଔପନ୍ୟାସିକ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ୫୪ ବର୍ଷର ବୁକର ପୁରସ୍କାର ଇତିହାସରେ ଆୟର୍ଲାଣ୍ଡର ପଞ୍ଚମ ଲେଖକ ଭାବେ ପଲ୍‌ ଲିଞ୍ଚ୍‌ଙ୍କ ବିଷୟରେ ଉପଲିଖିତ ବର୍ଣ୍ଣନା ଏହା ମଧ୍ୟ ଦର୍ଶାଇଥାଏ ଯେ, ସେ ସାମ୍ପ୍ରତିକ ସମୟ ଓ ଚରିତ୍ରକୁ ନିଖୁଣ ଆକାର ଦେବାକୁ ଚାହିଁଥାଆନ୍ତି। ସମ୍ଭବତଃ ସେଥିପାଇଁ ତାଙ୍କ ପଞ୍ଚମ ଉପନ୍ୟାସ ‘ପ୍ରଫେଟ୍‌ ସଙ୍ଗ୍‌’ ୨୦୨୩ ବୁକର ପୁରସ୍କାର ପାଇପାରିଛି। କୌଣସି ଅସଙ୍ଗତି ଦେଖିଲେ ଈଶ୍ୱର ଅସନ୍ତୋଷ ହୋଇଥାଆନ୍ତି ବୋଲି ପ୍ରକାଶ କରିବାକୁ ଯାଇ ସେ ଲେଖିଥିବା ଏହି ଉପନ୍ୟାସର ଓଡ଼ିଆ ମର୍ମାନୁବାଦ କଲେ ତାହା ହୋଇପାରେ ‘ଧର୍ମପ୍ରବର୍ତ୍ତକ ସଙ୍ଗୀତ’। ପ୍ରତୀକଧର୍ମୀ ଏହି ଉପନ୍ୟାସର ଚରିତ୍ରଗୁଡ଼ିକ ହେଉଛନ୍ତି ଇଲିଶ ଷ୍ଟାକ୍‌, ତାଙ୍କ ସ୍ବାମୀ ଲାରି, ଚାରି ସନ୍ତାନ, ସରକାର ଓ ଯନ୍ତ୍ରଣାଦାୟୀ ବ୍ୟବସ୍ଥା। ଲାରି ଜଣେ ଶ୍ରମିକ ନେତା। ଅଧିକାଂଶ ସମୟରେ ସେ ବିଳମ୍ବିତ ରାତିରେ ଫେରିଥାଆନ୍ତି। ଘରେ ଇଲିଶ ତାଙ୍କ ପିଲାମାନଙ୍କୁ ନେଇ ରହନ୍ତି। ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରୁଥିବାରୁ ଆୟର୍ଲାଣ୍ଡର ନୂତନ ଭାବେ ଗଠିତ ସିକ୍ରେଟ ପୋଲିସ ଲାରିଙ୍କୁ ଉଠାଇ ନିଅନ୍ତି ଓ ଜେରା କରନ୍ତି। ପରବର୍ତ୍ତୀ ସମୟରେ ସେ ଆଉ ଘରକୁ ଫେରନ୍ତି ନାହିଁ। ଚାରି ସନ୍ତାନକୁ ନେଇ ପରିବାର ଚଳାଇବା ଇଲିଶଙ୍କ ପକ୍ଷେ କଷ୍ଟକର ହୋଇପଡ଼େ। ତାଙ୍କ ସଂଘର୍ଷର କାହାଣୀ ପଲ୍‌ଙ୍କ ଲେଖାରେ ଗତିଶୀଳ ହୁଏ। ରାଜନୈତିକ ଦମନ ଯୋଗୁ ଘଟିଥିବା ସାମାଜିକ ବିଭାଜନକୁ ଉପନ୍ୟାସରେ ସ୍ଥାନ ଦେଲା ବେଳେ ସମ୍ଭବତଃ ଔପନ୍ୟାସିକ ପ୍ରଫେଟ୍‌ଙ୍କ ସଙ୍ଗୀତ ଶୁଣିଛନ୍ତି, ଯାହା ପାଠକଙ୍କୁ ବହୁମାତ୍ରରେ ଛୁଇଁପାରିଛି ବୋଲି ସମୀକ୍ଷକମାନେ ମତ ଦେଇଥାଆନ୍ତି।
ପଲ୍‌ ଲିଞ୍ଚ୍‌ ମେ’ ୧୯୭୭ରେ ଦକ୍ଷିଣ ଆୟର୍ଲାଣ୍ଡର ଲିମେରକ୍‌ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ମାତ୍ର ୯ ମାସ ହୋଇଥିବା ବେଳେ ମାତାପିତା ଆୟର୍ଲାଣ୍ଡର ଉତ୍ତରାଞ୍ଚଳ ରାଜ୍ୟ ଉଲଷ୍ଟର ନିକଟ କାଉଣ୍ଟି ଡୋନେଗାଲକୁ ଚାଲିଯାଇଥିଲେ। ପଲ୍‌ଙ୍କ ପିତା କୋଷ୍ଟ ଆଣ୍ଡ୍‌ କ୍ଲିଫ୍‌ ରେସ୍କ୍ୟୁ ସର୍ଭିସ (ସିସିଆର୍‌ଏସ୍‌)ରେ କାର୍ଯ୍ୟ କରୁଥିଲେ। ୧୯୯୧ରେ ସିସିଆର୍‌ଏସ୍‌ର ନାମ ପରିବର୍ତ୍ତନ ହୋଇ ଆଇରିସ୍‌ ମରିନ୍‌ ଏମର୍ଜେନ୍ସି ସର୍ଭିସ(ଆଇଏମ୍‌ଇଏସ୍‌) ହୋଇଥିଲା। ତାହା ଏବେ ଆଇରିସ୍‌ କୋଷ୍ଟ ଗାର୍ଡ ଭାବେ ଜଣାଶୁଣା। ପଲ୍‌ଙ୍କ ଯୁବାବସ୍ଥା କାଉଣ୍ଟି ଡୋନେଗାଲରେ କଟିଥିଲା। ୟୁନିଭର୍ସିଟି କଲେଜ ଡବ୍‌ଲିନରେ ସେ ଇଂଲିଶ ଓ ଦର୍ଶନଶାସ୍ତ୍ର ନେଇ ପାଠ ପଢ଼ିଥିଲେ। କିନ୍ତୁ ସେ ସ୍ନାତକ ଡିଗ୍ରୀ ଅର୍ଜନ କରିପାରି ନ ଥିଲେ। ଡବ୍‌ଲିନ୍‌ରେ ରହିବା ବେଳେ ସେ ସାମ୍ବାଦିକତା ପ୍ରତି ଢଳିଥିଲେ। ‘ଦି ସନ୍‌ଡେ ଟ୍ରିବ୍ୟୁନ୍‌’ରେ ଯୋଗଦେବା ପରେ ପର୍ଯ୍ୟାୟକ୍ରମେ ଡେପୁଟି ଚିଫ୍‌ ସବ୍‌-ଏଡିଟର ଓ ଚିଫ୍‌ ଫିଲ୍ମ କ୍ରିଟିକ୍‌ ଭାବେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେଠାରେ ମଧ୍ୟ ସେ ଦୀର୍ଘଦିନ ବାନ୍ଧି ହୋଇ ରହିପାରି ନ ଥିଲେ। ଲେଖକ ହେବାର ଯେଉଁ ଲକ୍ଷ୍ୟ ସେ ପିଲାଟି ବେଳୁ ରଖିଆସଥିଲେ ତାହାକୁ ସାକାର କରିବା ଲାଗି ସାମ୍ବାଦିକତା ଛାଡ଼ିଥିଲେ। ସେ କହିଥାଆନ୍ତି, ତାଙ୍କ ଲେଖକୀୟ ଜୀବନକୁ ସମୃଦ୍ଧ କରିବାରେ ସାମ୍ବାଦିକତା ଯଥେଷ୍ଟ ସାହାଯ୍ୟ କରିଥିଲା। ଜଣେ ପୂର୍ଣ୍ଣକାଳୀନ ସାହିତି୍ୟକ ହେବା ପାଇଁ ସେ ସାମ୍ବାଦିକତାରୁ ଲମ୍ଫ ପ୍ରଦାନ କରି ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ, ପ୍ରଥମ ଉପନ୍ୟାସ ‘ରେଡ୍‌ ସ୍କାଏ ଇନ୍‌ ମର୍ନିଂ’ ତାଙ୍କୁ ତତ୍‌କ୍ଷଣାତ୍‌ ପ୍ରସିଦ୍ଧି ଆଣି ଦେଇଥିଲା। ଉପନ୍ୟାସରେ କାବି୍ୟକ ଶବ୍ଦବିନ୍ୟାସ ତାଙ୍କ ଲେଖାକୁ ଅଧିକ ପାଠକୀୟ ସ୍ବୀକୃତି ଦେଇଥିଲା। ତା’ପରେ ଲେଖିଲେ ଉପନ୍ୟାସ ‘ଦି ବ୍ଲାକ୍‌ ସ୍ନୋ’, ‘ଗ୍ରେସ୍‌’ ଏବଂ ‘ବିୟଣ୍ଡ୍‌ ଦି ସି’। ପଞ୍ଚମ ଭେଟି ଭାବେ ‘ପ୍ରଫେଟ୍‌ ସଙ୍ଗ୍‌’ ଏବେ ତାଙ୍କୁ ସର୍ବାଧିକ ସମ୍ମାନର ଅଧିକାରୀ କରାଇ ଦେଇଛି।
ନିକଟରେ ଲଣ୍ଡନଠାରେ ଏକ ସମାରୋହରେ ପଲ୍‌ଙ୍କୁ ୫୦ ହଜାର ପାଉଣ୍ଡ (୯୬ ହଜାର ଡଲାର) ମୂଲ୍ୟର ବୁକର୍‌ ପୁରସ୍କାର ପ୍ରଦାନ କରାଯିବା ବେଳେ ବିଚାରକମଣ୍ଡଳୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଆଜିର ବିଷମ ସମୟରେ ସମାଜକୁ ଦିଗ୍‌ଦର୍ଶନ ଦେଲା ଭଳି ଏକ ଉପନ୍ୟାସ ଖୋଜୁ ଖୋଜୁ ‘ପ୍ରଫେଟ୍‌ ସଙ୍ଗ୍‌’କୁ ସେମାନେ ପାଇଥିବା କହିଥିଲେ। ଏଇ କେତେ ପଦ କଥା ନିଶ୍ଚିତ ଭାବେ ଜଣେ ଲେଖକଙ୍କୁ ଜୀବନବ୍ୟାପୀ ସ୍ବୀକାର କରିଥିବା ଶ୍ରମକୁ ସ୍ବୀକୃତି ଦେବା ପାଇଁ ଯଥେଷ୍ଟ ବୋଲି କୁହାଯାଇପାରେ।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri