କରାଚୀ,୧ା୩: ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସୁରକ୍ଷାଗତ କାରଣ ଦୃଷ୍ଟିରୁ ଆବୁଧାବିରେ ଶନିବାର ପାକିସ୍ତାନ ଶାହିନ୍ସ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚକୁ ବାତିଲ କରିଦିଆଯାଇଛି। ସତର୍କତାମୂଳକ ଖେଳାଳିମାନଙ୍କୁ ସେମାନଙ୍କ ହୋଟେଲ ପ୍ରକୋଷ୍ଠରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ ଅଫିସିଆଲ ଏନେଇ ସ୍ପଷ୍ଟ କରିଛନ୍ତି। ଆବୁଧାବିରେ ବର୍ତ୍ତମାନ ପରିସ୍ଥିତି ଭଲ ନ ଥିବାରୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାକ୍ଟିସ ସେସନ ହେବନାହିଁ। ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ରହିଛି ବୋଲି ଅଫିସିଆଲ ଜଣକ କହିଛନ୍ତି। ପିସିବି ନିୟମିତ ଇସିବି ସହ ଯୋଗାଯୋଗରେ ରହିଛି ଏବଂ ପରିସ୍ଥିତି ଉପରେ ନଜର ରଖିଛି। ମଧ୍ୟପ୍ରାଚ୍ୟ ଆକାଶମାର୍ଗ ପୁନର୍ବାର ଖୋଲିବା ପରେ ବୋର୍ଡ ସିରିଜର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବ।
ତେବେ ଏହା ସୁରକ୍ଷା ପରିସ୍ଥିତି ଉପରେ ନିର୍ଭର କରେ। ଆବଶ୍ୟକ ଅନୁଭବ କରାଗଲେ ଶାହିନ୍ସ ଦଳକୁ ପାକିସ୍ତାନ ଫେରାଇ ଅଣାଯିବ। ଫେବୃଆରୀ ୨୮ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଏହି ସମସ୍ୟା ଉପୁଜିଛି। ଆକ୍ରମଣର ଜବାବରେ ଉପସାଗରର କେତେକ ଅଞ୍ଚଳରେ ତେହେରାନ ପକ୍ଷରୁ ପ୍ରତିଶୋଧମୂଳକ କ୍ଷେପଣାସ୍ତ୍ର ମାଡ଼ ହେବା ପରେ ବହୁ ଦେଶ ସେମାନଙ୍କ ଆକାଶମାର୍ଗକୁ ବନ୍ଦ କରିଦେଇଛନ୍ତି।

