ପୁରୀ-କୋଣାର୍କ ରେଳପଥକୁ ଉପେକ୍ଷା, ସାଧାରଣରେ ଅସନ୍ତୋଷ

ପୁରୀ ଅଫିସ,୩।୨: ଚଳିତବର୍ଷର ରେଳ ବଜେଟ୍‌ରେ ପୁରୀ-କୋଣାର୍କ ରେଳପଥ ପାଇଁ ଅର୍ଥ ମଞ୍ଜୁର ହୋଇ ନାହିଁ। ତେଣୁ ପୁରୀ ଜିଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବତଟ ରେଳପଥ ଏନେଇ ଚୂଡ଼ାନ୍ତ ସର୍ଭେ ରିପୋର୍ଟ ଦାଖଲ କରିସାରିଥିଲା। ରେଲଓ୍ବେ ବୋର୍ଡ ପାଖରେ ଏହି ରିପୋର୍ଟ ଦାଖଲ ହୋଇସାରିଥିଲା। କିଛି ଦିନ ତଳେ ପୁରୀ ଗସ୍ତରେ ଆସି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ-କୋଣାର୍କ ରେଳପଥ ନିର୍ମାଣ କରାଯିବ ବୋଲି କହିଥିଲେ। ପ୍ରକଳ୍ପ ସର୍ଭେ ରିପୋର୍ଟ ଦାଖଲ ହୋଇସାରିଥିବା ବେଳେ ରେଳପଥ ପାଇଁ ଅର୍ଥ ମଞ୍ଜୁର କରିବା ପାଇଁ ପୁରୀ ବିକାଶ ପରିଷଦ ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ଜଙ୍ଗଲ ବିଭାଗର ଆପତ୍ତି ପରେ ସାନି ସର୍ଭେ କରି ରିପୋର୍ଟ ଦାଖଲ ହେଲା। ମାତ୍ର ରେଳପଥ ନିର୍ମାଣ ନେଇ ଅର୍ଥ ମଞ୍ଜୁର ନ ହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ। ସେ କହିଛନ୍ତି, ପୁରୀ ଓ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ହେଲେ ପର୍ଯ୍ୟଟନର ବିକାଶ ହୋଇପାରିବ। ପୁରୀ ଓ କୋଣାର୍କକୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେବ। ପର୍ଯ୍ୟଟକମାନେ ବାଲୁଖଣ୍ଡ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ପାଇପାରିବେ। ପୁରୀ-କୋଣାର୍କ ରେଳପଥ ହେଉଛି ପୁରୀ ଜିଲାର ଏକ ଦୀର୍ଘ ବର୍ଷର ଦାବି। କୋଣାର୍କ ପର୍ଯ୍ୟଟନ ଦୃଷ୍ଟିରୁ ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ଏହାକୁ ରେଳପଥ ସଂଯୋଗୀକରଣ କରାଯିବାର ନିହାତି ଆବଶ୍ୟକତା ରହିଛି। ଏପରି କି ୨୦୧୭ ଏପ୍ରିଲ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳପଥ ନିର୍ମାଣର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ। ଏହା ସତ୍ତ୍ବେ ରେଳପଥ ପାଇଁ ଅର୍ଥ ମଞ୍ଜୁର ନ ହେବା ଦୁଃଖଦାୟକ। ଏହି ରେଳପଥ ପ୍ରସଙ୍ଗରେ ରେଳମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ବଜେଟ୍‌ରେ ପ୍ରତିଫଳିତ ହୋଇନାହିଁ। ଏହା ମହାପ୍ରଭୁଙ୍କ ସହ ଛଳନା ବୋଲି ପୁରୀ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଆଇନଜୀବୀ ଭଗବାନ ପଢ଼ିହାରୀ କହିଛନ୍ତି, ପୁରୀକୁ ଐତିହ୍ୟ ସହର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଚାଲିଥିବା ବେଳେ ପୁରୀ-କୋଣାର୍କ ରେଳ ସଂଯୋଗୀକରଣ ଆବଶ୍ୟକତା ଥିଲା। ମାତ୍ର କେନ୍ଦ୍ର ସରକାର ଏହି ଦିଗରେ ଧ୍ୟାନ ନ ଦେବା ପୁରୀର ନାଯ୍ୟ ଦାବି ପ୍ରତି ଅନ୍ୟାୟ। ସେହିଭଳି ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ବିଶ୍ୱ ଐତିହ୍ୟ ସହର ଶ୍ରୀକ୍ଷେତ୍ର ପୁରୀକୁ ଏକ ନମ୍ବର କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଦେଇ ଚାଲିପାରୁନାହାନ୍ତି। ବଜେଟ୍‌ରେ ପୁରୀ-କୋଣାର୍କ ରେଳପଥ ପାଇଁ ଅର୍ଥ ମଞ୍ଜୁର ନହେବା ପୁରୀ ପ୍ରତି ଅନ୍ୟାୟ।