Categories: ଖେଳ

ସୀମିତ ଓଭରରେ ସଫଳ ନ ହେଲେ ଭାରତ ୪-୦ରେ ଟେଷ୍ଟ ସିରିଜ ହାରିବ: କ୍ଲାର୍କ

ସିଡ୍‌ନୀ,୨୫।୧୧(ପି.ଟି.): ଅଷ୍ଟ୍ରେଲିଆରୁ ଭାରତ ଫେରିବା ପୂର୍ବରୁ ଅଧିନାକୟ ବିରାଟ କୋହଲିଙ୍କୁ ଦିନିକିଆ ଓ ଟି୨୦ ସିରିଜରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ସହ ଉତ୍କୃଷ୍ଟ ନେତୃତ୍ୱ ପ୍ରତିପାଦନ କରିବାକୁ ହେବ। କୋହଲିଙ୍କୁ ଆଗରେ ରହି ନେତୃତ୍ୱ ନେବା ସହ ଭାରତକୁ ଦିନିକିଆ ଓ ଟି୨୦ ସିରିଜରେ ଜିତାଇବାକୁ ହେବ। ଏପରି ନ ହେଲେ ଭାରତ ଟେଷ୍ଟ ସିରିଜରେ ୪-୦ରେ ପରାସ୍ତ ହେବ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ପୂର୍ବାନୁମାନ କରିଛନ୍ତି।
ପ୍ରଥମ ସନ୍ତାନର ଜନକ ହେବା ପାଇଁ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋହଲିଙ୍କୁ ପିତୃତ୍ୱ ଛୁଟି ପ୍ରଦାନ କରିଛି। ତେବେ କୋହଲି ଦିନିକିଆ ଓ ଟି୨୦ ସିରିଜ ସମେତ ଆଡିଲେଡ୍‌ରେ ଆୟୋଜନ ହେବାକୁ ଥିବା ପ୍ରଥମ ଟେଷ୍ଟରେ ନେତୃତ୍ୱ ନେବେ। ଏହି ସୀମିତ ଓଭର ସିରିଜରେ କୋହଲି ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିବେ ବୋଲି କ୍ଲାର୍କ କହିଛନ୍ତି। ଯଦି ଭାରତ ଦିନିକିଆ ଓ ଟି୨୦ ସିରିଜରେ ଭଲ ପ୍ରଦର୍ଶନ ନ କରେ ତା’ହେଲେ ଟେଷ୍ଟ ସିରିଜରେ ବଡ଼ ସମସ୍ୟାରେ ପଡିବ। ଏପରିକି ଭାରତ ୪-୦ରେ ଟେଷ୍ଟ ସିରିଜ ହାରିବ। ମାତ୍ର ଗୋଟିଏ ଟେଷ୍ଟ ଖେଳିଲେ ମଧ୍ୟ ସୀମିତ ଓଭରରେ ଭଲ ପ୍ରଦର୍ଶନ କଲେ ତାହାର ପ୍ରଭାବ ଟେଷ୍ଟ ସିରିଜରେ ପଡିବ ବୋଲି କ୍ଲାର୍କ କହିଛନ୍ତି।
ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏହି ହାଇପ୍ରୋଫାଇଲ ଟେଷ୍ଟ ସିରିଜରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ଚାପରେ ପକାଇବା ପାଇଁ ସେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ସୀମିତ ଓଭରରେ ବୁମ୍‌ରା ଜବରଦସ୍ତ ପ୍ରଦର୍ଶନ କରି ନିଜର ଶ୍ରେଷ୍ଠତ୍ୱ ଜାହିର କରିଛନ୍ତି। ଟେଷ୍ଟ ମଧ୍ୟ ସେ ଅସାଧାରଣ ପ୍ରଦର୍ଶନ କରିଛନ୍ତି ବୋଲି କ୍ଲାର୍କ କହିଛନ୍ତି। ବୁମ୍‌ରାଙ୍କ ଆକ୍ସନରେ ଭିନ୍ନତା ରହିଛି ଓ ଦ୍ରୁତ ଗତିରେ ସେ ବୋଲିଂ କରିବାର କ୍ଷମତା ରଖୁଛନ୍ତି। ସେ ଆକ୍ରମଣାତ୍ମ ବୋଲିଂ କଲେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇପାରିବେ। ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ୍‌ ସ୍ମିଥଙ୍କୁ ସେ ପୂର୍ବରୁ ମଧ୍ୟ ସମସ୍ୟାରେ ପକାଇଛନ୍ତି। କୋହଲି ଓ ବୁମ୍‌ରାଙ୍କ ଉପରେ ଭାରତର ପ୍ରଦର୍ଶନ ନିର୍ଭର କରୁଛି। ଏହି ଦୁଇ ଖେଳାଳି ଆକ୍ରମଣାତ୍ମକ ପ୍ରଦର୍ଶନ କରିପାରିଲେ ଘରୋଇ ଦଳ ପାଇଁ ସମସ୍ୟା ସୃଷ୍ଟି ହେବ କ୍ଲାର୍କ କହିଛନ୍ତି।

Share