ମୋଦିଙ୍କ ଆଭିମୁଖ୍ୟ ବଦଳିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮ା୧: ଦୁଇଦିନ ପରେ ଆମେରିକାରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ୨୦ ତାରିଖରେ ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବା ସହ ୭୮ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ଗତ ନଭେମ୍ବରରେ ବାଇଡେନ୍‌ ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ଜଣାପଡ଼ିବା ପରେ ବ୍ରିଟେନର ’ଫାଇନାନ୍ସିଆଲ୍‌ ଟାଇମ୍ସ’ ବିଶ୍ଳେଷଣ କରିଥିଲା, ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ଘନିଷ୍ଠ ହୋଇଥିବା ବିଶ୍ୱନେତାମାନଙ୍କର କ’ଣ ହେବ। ଉକ୍ତ ଖବରର ଶିରୋନାମା ଥିଲା ‘ଟ୍ରମ୍ପ୍‌ଙ୍କ ଯୁଗ ପରେ ଭିନ୍ନ ପଥ ଆପଣାଇବାକୁ ବାଧ୍ୟହେବେ ମୋଦି ’। ଏଥିରେ ବାଇଡେନଙ୍କ ବିଜୟ, ଚାଇନା ସହ ମୁହଁାମୁହଁି ଏବଂ ଏସିଆର ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ସହଭାଗିତା (ଆର୍‌ସିଇପି) ଚୁକ୍ତିରୁ ଭାରତ ବାଦ୍‌ ପଡ଼ିବା ନୂଆଦିଲ୍ଲୀକୁ ଦୁର୍ବଳ କରିବ ବୋଲି କୁହାଯାଇଥିଲା। ଖବରକାଗଜର ମୁଖ୍ୟ ବୈଦେଶିକ ବ୍ୟାପାର କମେଣ୍ଟ୍ରେଟେର ଗିଡେଓନ୍‌ ରଚମ୍ୟାନ୍‌ ଲେଖିଥିଲେ, ‘ଆମେରିକା ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସମ୍ପର୍କ ଅଧିକ ଆହ୍ବାନପୂର୍ଣ୍ଣ ହେବ’। ଏଭଳି ସମୟରେ ମୋଦିଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲେ ବାଇଡେନ ଭାରତ ପାଇଁ ଏକ ଉତ୍ତମ ସୁଯୋଗ ପାଲଟିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଦିଲ୍ଲୀରେ ଚିନ୍ତାର ବିଷୟ ହେଉଛି କେତେକ ସରକାରୀ ମହଲରେ ବ୍ୟକ୍ତିଗତ ଭାବେ ସ୍ବୀକାର କରାଯାଉଛି ଯେ, କେବଳ ମୋଦିଙ୍କ ‘ଅବ୍‌ କୀ ବାର୍‌ ଟ୍ରମ୍ପ୍‌ ସରକାର’ ଘୋଷଣା ଯୋଗୁ ନୁହେଁ, ବରଂ ୨୦୧୯ ଲୋକ ସଭା ନିର୍ବାଚନରେ ବିଜୟ ପରଠାରୁ ମୋଦି ସରକାରଙ୍କ ସମସ୍ତ କାର୍ଯ୍ୟ ଭାରତର ବହୁଳବାଦ ଓ ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡ଼ିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବିବେଚନା କରାଯାଉଛି। ଅବଶ୍ୟ ଅନ୍ୟ କେତେଜଣଙ୍କ ମତରେ ଚାଇନାକୁ ଅଡ଼ୁଆରେ ପକାଇବା ପାଇଁ ମୋଦିଙ୍କ ସହ ବାଇଡେନଙ୍କ କୌଶଳପୂର୍ଣ୍ଣ ବ୍ୟବହାର ଯୋଗୁ ଭାରତ-ଆମେରିକା ସମ୍ପର୍କ ପ୍ରଭାବିତ ହେବ ନାହିଁ। ସେମାନେ ଗତ ସପ୍ତାହରେ ହଠାତ୍‌ ପ୍ରକାଶ ପାଇଥିବା ଆମେରିକାର ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିକୁ ଲକ୍ଷ୍ୟ କରିଛନ୍ତି। ଉକ୍ତ ରଣନୀତିରେ ଚାଇନାର ମୁକାବିଲା ପାଇଁ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦର୍ଶାଯାଇଛି। କିନ୍ତୁ ସେଥିରେ କିଛି ନୂତନତ୍ୱ ନାହିଁ। କମ୍ୟୁନିଷ୍ଟ ଚାଇନା ବିରୋଧରେ ଭାରତକୁ ସନ୍ତୁଳନ ବଜାୟ ରଖିବାର ଏକ ଗଣତାନ୍ତ୍ରିକ ଶକ୍ତି ଭାବେ ଗଢ଼ିତୋଳିବାର ଇଚ୍ଛା ଆମେରିକାର ୩୪ତମ ରାଷ୍ଟ୍ରପତି ଡିଓ୍ବିଟ୍‌ ଡି. ଏସେନ୍‌ହାଓରଙ୍କ ଅମଳରୁ ରହିଆସିଛି। ସେହିପରି ୧୯୯୨ରେ ଆମେରିକାର ଡିଫେନ୍ସ ପଲିସି ଗାଇଡେନ୍ସ ଗୋପନୀୟ ଚିଠାରେ ମଧ୍ୟ ଏହା ସ୍ଥାନ ପାଇଥିଲା। ୨୦୦୫ ମାର୍ଚ୍ଚରେ ଜର୍ଜ ବୁଶ ପ୍ରଶାସନ ଘୋଷଣା କରିଥିଲେ ଯେ, ଭାରତର ସାମରିକ ଶକ୍ତି ବୃଦ୍ଧି ପାଇଁ ଆମେରିକା ସହଯୋଗ କରିବାକୁ ପ୍ରସ୍ତୁତ।
ଜୋ ବାଇଡେନ୍‌ ମଧ୍ୟ ମୋଦିଙ୍କୁ ଡିଲ୍‌ କରିବାରେ ଅନୁରୂପ ଚତୁରତା ଦେଖାଇପାରନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ନରେଶ ଚନ୍ଦ୍ରାଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ୨୦୦୩ରେ ଧର୍ମୀୟ ସ୍ବାଧୀନତା ଓ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଘଟିଥିବା ଦଙ୍ଗା ପରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ବାଜପେୟୀ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ନେଇ ଆମେରିକାରେ ଚିନ୍ତାବ୍ୟକ୍ତ କରାଯାଇଥିଲା। ସେତେବେଳେ ଯଶଓ୍ବନ୍ତ ସିଂ ଓ ଷ୍ଟ୍ରୋବ୍‌ ଟଲବୋଟ୍‌ଙ୍କ ଆଲୋଚନା ସମୟରେ ଉପସ୍ଥିତ ଥିବା ନରେଶ ଚନ୍ଦ୍ରା ଭାରତ-ଆମେରିକା ସମ୍ପର୍କକୁ ‘ଏକ ଧୀର, ରଣନୈତିକ ଘଣ୍ଟା’ ଭାବେ ଅଭିହିତ କରି କହିଥିଲେ, ଧର୍ମୀୟ ଅଧିକାର, ମାନବାଧିକାର ଆଦି ଉପରେ ପ୍ରଶ୍ନ କୂଟନୀତିରୁ କେବେହେଲେ ବାଦ୍‌ ଦିଆଯିବ ନାହିଁ। ସମ୍ପର୍କ ଓ ଅନ୍ୟ କ୍ଷେତ୍ରରେ ଅଡ଼ୁଆ ସୃଷ୍ଟି ହେଲେ ସେଗୁଡ଼ିକୁ ଅଣାଯାଇଥାଏ।
ଏକଚ୍ଛତ୍ରବାଦୀ ଚାଇନାର ଉତ୍‌ଥାନକୁ ସାମ୍ନା କରିବା ସହ ଆମେରିକାରେ ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସ ପାଇବା ନେଇ ଜୋ ବାଇଡେନ୍‌ ତାଙ୍କ ରାଷ୍ଟ୍ରପତିତ୍ୱର ପ୍ରଥମ ବର୍ଷରେ ଗଣତନ୍ତ୍ର ପାଇଁ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନର ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ (ଇଆଇୟୁ) ଗଣତନ୍ତ୍ର ସୂଚକାଙ୍କ ଓ ଫ୍ରିଡମ୍‌ ହାଉସ୍‌ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୧୦ ପାଦ ତଳକୁ ଖସିଯାଇଥିଲା। ବାଇଡେନ ରାଷ୍ଟ୍ରପତି ହେବା ପାଇଁ ଅଭିଯାନ ଆରମ୍ଭ କରିବା ସମୟରେ ଗଣତନ୍ତ୍ରକୁ ତାଙ୍କ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀରେ ପ୍ରାଥମିକତା ଦେଇଥିଲେ। ଗତ ଏପ୍ରିଲରେ ସେ ଟ୍ରମ୍ପ୍‌ ଓ ତାଙ୍କ ଭଳି ଆଉ କେତେଜଣ ନେତାଙ୍କ ଅଧିନାୟକବାଦ, ଜାତୀୟତାବାଦ ଓ ଅଣଉଦାରବାଦକୁ ସମାଲୋଚନା କରିଥିଲେ। ଏହି ନେତାମାନେ ନିଜ ବ୍ୟକ୍ତିଗତ ଓ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଏଭଳି ତତ୍ତ୍ୱ ଆଡ଼କୁ ଢଳୁଥିବା ବାଇଡେନ କହିଥିଲେ। ଏହି ଅବସରରେ ସେ ଏଭଳି ତତ୍ତ୍ୱଗୁଡ଼ିକ ବିରୋଧରେ ଗଣତାନ୍ତ୍ରିକ ଦେଶଗୁଡ଼ିକ ଏକାଠି ହୋଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜନୈତିକ ପାଣ୍ଠି ସଂଗ୍ରହରେ ‘କଳା ଅର୍ଥ’କୁ ଶେଷ କରିବା ସହ ଅଧିକାର କର୍ମୀ, ଶ୍ରମିକ ସଙ୍ଗଠନ ଓ ପରିବେଶବିତ୍‌ମାନଙ୍କୁ ଗଣତନ୍ତ୍ର ସମ୍ମିଳନୀରେ ଏକାଠି କରିବା ପାଇଁ ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି, ଯାହାକି ମୋଦି ସରକାରଙ୍କ ପାଇଁ ସହଜ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏଭଳି ସମୟରେ ବାଇଡେନ୍‌ଙ୍କ ଆମେରିକା ସହ ଭାରତର ଉତ୍ତମ ବାଣିଜି୍ୟକ ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ମୋଦି କେତେ ଆଶାବାଦୀ ହୋଇପାରିବେ? ଭାରତ ଚାଇନାକୁ ଦେଖାଇ କହିପାରିବ କି ଯେ, ଆମେରିକା ଆମକୁ ଆବଶ୍ୟକ କରୁଥିବାରୁ ଗଣତନ୍ତ୍ର ଉପରେ ଆମକୁ ଛୁଞ୍ଚତ୍ ଫୋଡ଼ନାହିଁ? ଆମର ମୋଦି ଅଛନ୍ତି, ତେଣୁ ଆମେରିକା ସହିତ ଭଲ ସମ୍ପର୍କ ଦରକାର ନାହିଁ ବୋଲି ପ୍ରଶ୍ନ କରିହେବ କି?


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri