ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି…ଚରମ ଚେତାବନୀ ଦେଲେ ତାରା ବାହିନୀପତି

ଭୁବନେଶ୍ୱର,୨୫।୧୧: କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଚରମ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଆସନ୍ତାକାଲି ଗୃହ ଆରମ୍ଭରୁ କୋଟିଆ ପ୍ରସଙ୍ଗରେ ଆଲୋଚନା ନହେଲେ ସେ ବିଧାନସଭା ପରିସରରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, କୋଟିଆକୁ ନେଇ ବିଧାନସଭା ଆରମ୍ଭରୁ ସେ ସ୍ବତନ୍ତ୍ର ଆଲୋଚନା ଦାବି କରି ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ଏହି ପ୍ରସଙ୍ଗରେ ଆନ୍ତରିକତା ନାହିଁ। ଫଳରେ ଗୃହରେ ଏହା ଉପରେ ଆଲୋଚନା ହୋଇପାରୁନାହିଁ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, କୋଟିଆର ୫୪ ଜଣ ବ୍ୟକ୍ତି ଆନ୍ଧ୍ରପ୍ରଦେଶ ନିର୍ବାଚନ ପାଇଁ ଇତିମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିସାରିଲେଣି। ଏହା ଓଡ଼ିଶା ପାଇଁ ଚିନ୍ତାଜନକ ବିଷୟ। କୋଟିଆର ସ୍ବାର୍ଥ ଓ ଓଡ଼ିଶାର ସୀମା ସୁରକ୍ଷା ପ୍ରସଙ୍ଗରେ ସରକାର ଗମ୍ଭୀରତାର ସହ ଆଲୋଚନା କରିବା ଆବଶ୍ୟକ। ଆସନ୍ତାକାଲି ଗୃହ ଆରମ୍ଭରୁ ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ ବୋଲି ଦାବି କରିଛନ୍ତି ତାରା। ନଚେତ୍‌ ସେ ଆତ୍ମାହୁତି ଦେବେ ବୋଲି କହିବା ପରେ ବିଧାନସଭାରେ ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

 

Dharitri – Odisha’s No.1 Odia Daily

 

Share