ରାଜନୀତିରେ ଯୋଗଦେବିନି

ଓଡ଼ିଆ ସଙ୍ଗୀତ ଦୁନିଆରେ ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ହେଉଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ୧୯୮୯ରେ ସମ୍ବଲପୁରୀ ଗୀତରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ୍‌ ୧୯୯୬ରେ କଟକ ଆସି ସଙ୍ଗୀତ ଜଗତରେ କାମ କରିଥିଲେ। ପ୍ରଥମେ ତାଙ୍କୁ ଅନେକ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ମାତ୍ର ଧୈର୍ଯ୍ୟ ଓ ଆଗକୁ ବଢ଼ିବାର ଇଚ୍ଛାଶକ୍ତି ଯୋଗୁ ଆଜି ଅଭିଜିତ୍‌ ଜଣେ ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ। କବିତା, କାହାଣୀ ଲେଖିବା ସହିତ ଅଭିନୟ, ଉପସ୍ଥାପନା କ୍ଷେତ୍ରରେ ମଧ୍ୟ ସେ ନିଜର ପାରଦର୍ଶିତା ପ୍ରମାଣିତ କରି ସାରିଛନ୍ତି। ୧୯୭୧ ସେପ୍ଟେମ୍ବର ୧୧ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ୍‌ ଏବେ କଟକର ବାସିନ୍ଦା। ଶ୍ରୋତା ଏବଂ ଅନ୍ୟମାନଙ୍କ ପାଖରେ ଦାଦା ଭାବେ ପରିଚିତ ଏହି ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ଧରିତ୍ରୀର ବନ୍ଦନା ସେଠୀଙ୍କ ସ୍ବତନ୍ତ୍ର ଆଳାପ…

ପ୍ରଶ୍ନ- କଳା ପ୍ରତି କେବେଠାରୁ ଆଗ୍ରହ ବଢ଼ିଥିଲା?
ଉତ୍ତର- ପିଲାବେଳେ ସ୍କୁଲରେ ମୁଁ ଡ୍ରାମା କରୁଥିଲି। ସେହିଠାରୁ ମୋ କ୍ୟାରିୟର ଆରମ୍ଭ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ଡ୍ରାମା ପ୍ରତି ମୋର ବିଶେଷ ଦୁର୍ବଳତା ଥିଲା। ହେଲେ ମୋ ଭିତରେ ଜଣେ ଗାୟକ ଜନ୍ମ ନେଉଛି ତାହା ମୁଁ ଜାଣି ପାରି ନ ଥିଲି। କିଶୋର କୁମାରଙ୍କ ମୁଁ ବହୁତ ବଡ଼ ପ୍ରଶଂସକ। ତାଙ୍କ ଗୀତ ଗାଇବା ସମୟରେ ସାଙ୍ଗମାନେ ମତେ ଗୀତ ଗାଇବାକୁ ପରାମର୍ଶ ଦେଲେ। ଏହାପରେ ତାଳି ଓ ପ୍ରଶଂସା ପାଇବା ଆଶାରେ ମୁଁ ଗୀତ ଗାଇବା ଆରମ୍ଭ କରିଥିଲି।
ପ୍ରଶ୍ନ- ଅଭିନୟକୁ କାହିଁକି ଛାଡ଼ିଦେଲେ?
ଉତ୍ତର- ଅଳ୍ପ କିଛି ଚଳଚ୍ଚିତ୍ରରେ ଅତିଥିଭାବେ ଛୋଟ ଛୋଟ ଅଭିନୟ କରିଛି। ସଙ୍ଗୀତକୁ ଆସିବା ପରେ ବ୍ୟସ୍ତତା ଭିତରେ ଆଉ ଅଭିନୟ ପାଇଁ ସମୟ ମିଳୁନାହିଁ। ଧାରାବାହିକ, ଚଳଚ୍ଚିତ୍ର ପାଇଁ ବହୁତ ଅଫର୍‌ ଆସୁଛି ମାତ୍ର କରି ପାରୁନି।
ପ୍ରଶ୍ନ- ଭବିଷ୍ୟତରେ ଚଳଚ୍ଚିତ୍ର କରିବାର କିଛି ଯୋଜନା ରହିଛି କି?
ଉତ୍ତର- ସେ ବିଷୟରେ କିଛି ଭାବିନି। ଏବେ କେବଳ ମୁଁ ଲେଖିବାରେ ବ୍ୟସ୍ତ ଅଛି। ଭବିଷ୍ୟତରେ ଯଦି ସଙ୍ଗୀତ କ୍ଷେତ୍ରରେ କାମ କରିବାରୁ ସମୟ ମିଳିଲା, ତେବେ ସେଥିରେ ଧ୍ୟାନ ଦେବି।
ପ୍ରଶ୍ନ- ଆପଣ ଓମାଓ୍ବାର ସଭାପତି। ଏହା ଜରିଆରେ କରୋନା ସମୟରେ କଳାକାରଙ୍କ ସମସ୍ୟାକୁ କେମିତି ଉପସ୍ଥାପନା କରିଥିଲେ?
ଉତ୍ତର- ଓଡ଼ିଶା ମ୍ୟୁଜିକ୍‌ ଆର୍ଟିଷ୍ଟ ଓ୍ବେଲଫେୟାର୍‌ ଆସୋସିଏଶନ୍‌ (ଓମାଓ୍ବା)ର ସଭାପତି ଅଛି। କରୋନା ସମୟରେ କଳାକାରଙ୍କ ଦୁଃଖ ଜଣାଇବାକୁ ଆମେ ବହୁତ ଚେଷ୍ଟା କରିଛୁ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛୁ, ଏପରିକି ଗୀତ ମାଧ୍ୟମରେ ଆମର ସମସ୍ୟା ଜଣାଇଛୁ। ସଂସ୍କୃତି ବିଭାଗକୁ ମଧ୍ୟ ଦେଖା କରି ସମସ୍ୟା କହିଛୁ। ତେବେ କେବଳ ଆଶ୍ୱାସନା ଛଡ଼ା କୌଣସି ସାହାଯ୍ୟ ମିଳିନାହିଁ। ଏଠାରେ କଳାକାରଙ୍କୁ ସରକାରଙ୍କ ତରଫରୁ ସାମାନ୍ୟ ପରିଚୟ ପତ୍ରଟିଏ ମଧ୍ୟ ମିଳୁନାହିଁ। କଳାକାରଙ୍କୁ ବିଭିନ୍ନ ଶୋ’ କରିବାକୁ ଅନୁମତି ଦିଆଯାଉ। ୫୦ପ୍ରତିଶତ ଦର୍ଶକଙ୍କୁୁ ନେଇ ଆମେ ରୋଜଗାର କରିବୁ। ନିର୍ବାଚନ ପ୍ରଚାର ବେଳେ, ଭାଷଣ ଦେବା ବେଳେ ତ କରୋନା ହେଉନାହିଁ। ତେବେ କଳାକାରଙ୍କ ପାଇଁ ସରକାର ଏପରି ମନୋଭାବ କାହିଁକି ରଖୁଛନ୍ତି।
ପ୍ରଶ୍ନ- ଆପଣ ରାଜନୀତିକୁ ଆସିବା ନେଇ ଗୋଟେ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଥିରେ କେତେ ସତ୍ୟତା ରହିଛି?
ଉତ୍ତର- ସବୁ କରିବି ମାତ୍ର ରାଜନୀତି କରିବି ନାହିଁ। ସଙ୍ଗୀତ ପାଇଁ ସାରା ବିଶ୍ୱର ଓଡ଼ିଆ ମତେ ସେମାନଙ୍କ ଭଲପାଇବା ଦେଇଛନ୍ତି। ଏ ଭଲପାଇବାକୁ ମୁଁ କୌଣସି ଦଳର ନାମରେ ବାଣ୍ଟିବାକୁ ଚାହୁଁନାହିଁ। ଯଦି କୌଣସି ଦଳରେ ସାମିଲ୍‌ ହୁଏ ତେବେ ଅନ୍ୟମାନେ ମତେ ଘୃଣା କରିବେ, ଯେଉଁ ଅବସ୍ଥା ଏବେ କିଛି କଳାକାରଙ୍କ ହେଉଛି।
ପ୍ରଶ୍ନ- ବିଧିବଦ୍ଧ ଭାବେ ସଙ୍ଗୀତ ଶିକ୍ଷା କରିଛନ୍ତି କି?
ଉତ୍ତର- କଲେଜରେ ପାଠ ପଢୁଥିବା ସମୟରେ ମୁଁ ଭଲ ଗାଉଛି ବୋଲି ସାଙ୍ଗମାନେ ପ୍ରଶଂସା କରୁଥିଲେ। ଏହା ଶୁଣିବାପରେ ମତେ ଲାଗୁଥିଲା ଯେପରି କିଶୋର କୁମାରଙ୍କ ପରେ ମୁଁ ଦ୍ୱିତୀୟ ଗାୟକ। ମାତ୍ର ଯେତେବେଳେ ବାସ୍ତବତାକୁ ଜାଣିବା ପରେ ସଙ୍ଗୀତ ଶିକ୍ଷା ନିହାତି ଜରୁରୀ ବୋଲି ଅନୁଭବ କରି ଶିକ୍ଷା ଆରମ୍ଭ କଲି। ଏ ପର୍ଯ୍ୟନ୍ତ ମୁଁ ଜାଣିପାରୁନି ଯେ ଏତେ ବଡ଼ ସଙ୍ଗୀତ ଦୁନିଆ ଭିତରେ ମୋର ଅସ୍ତିତ୍ୱ କେଉଁଠି। ସେଥିପାଇଁ ମୁଁ କୌଣସି ଶୋ’ରେ ବିଚାରକ ହୋଇ ବସେ ନାହିଁ। ବିଚାରକ ଚୌକିରେ ବସିବାର ଯୋଗ୍ୟ ନିଜକୁ କେବେ ଭାବେ ନାହିଁ।
ପ୍ରଶ୍ନ- ବହୁ ସମୟରେ ବିଭିନ୍ନ ପ୍ରସଙ୍ଗ ଓ ସାଧାରଣ କଥାକୁ ନେଇ ଗୀତ କରନ୍ତି। ଯାହାକି ବେଶ୍‌ ରୋଚକ ମଧ୍ୟ ହୋଇଥାଏ। ଏହା କିପରି କରନ୍ତି?
ଉତ୍ତର- ଏଥିରେ କିଛି ଶିଖିବାର ନାହିଁ। ଆପଣ ଯଦି ସମସ୍ତଙ୍କ ସହ ମିଶି ପାରୁଛନ୍ତି ତେବେ ଏସବୁ ଜିନିଷ କରିପାରିବେ। ସାଧାରଣତଃ ଲୋକଙ୍କ ଭିତରେ ବହୁତ ଖଟି ହୁଏ। କିଏ କାହାକୁ ଦେଖି କମେଣ୍ଟ ମାରିଦେଲା, କ’ଣ କହିଦେଲା ଏ ସବୁ ଜିନିଷକୁ ମୁଁ ସଙ୍ଗୀତ ଭିତରେ ପୂରେଇ ଦିଏ ଏବଂ ତାହା ହିଟ୍‌ ହୁଏ। ଲୋକଙ୍କୁ ତାଙ୍କର କଥା, ଭାଷା ଓ ଜିନିଷ ହିଁ ଛୁଏଁ। ବାହାର ଜିନିଷ ଆଣି ଦେଲେ ଲୋକଙ୍କୁ ତାହା ଛୁଇଁବ ନାହିଁ। ଅନ୍ୟ ନିର୍ଦ୍ଦେଶକମାନେ ଗୋଟେ ଦିନରେ ପ୍ରାୟ ୫ଟି ଗୀତ କରୁଥିବାବେଳେ ମୁଁ ଗୋଟେ ଗୀତକୁ ୫ଦିନ ଲଗାଇଦିଏ।
ପ୍ରଶ୍ନ- ଚିରାଚରିତ ଧାରାରୁ ଆପଣଙ୍କ ଗୀତ ଟିକେ ଭିନ୍ନ ଭଳି ମନେ ହୁଏ। ଏଭଳି ଚିନ୍ତାଧାରା କିପରି ମନକୁ ଆସେ?
ଉତ୍ତର- ଗୋଟେ ସମୟ ଥିଲା ଯେତେବେଳେ ସବୁ ଗୀତ ପ୍ରାୟ ସମାନ ଲାଗୁଥିଲା। ତେଣୁ କିଛି ହଟ୍‌କେ କରିବା ପାଇଁ ମୁଁ ଚେଷ୍ଟା କରିଥିଲି। ସେହି ସମୟରେ ମୁଁ ‘ତୋର କୃଷ୍ଣଚୂଡା ରଙ୍ଗର ନାଲି ଓଢଣୀ’ ଗୀତ କରିଥିଲି। ଏଥିରେ କିଛି ତେଲୁଗୁ କଥା ପୂରେଇଥିଲି। ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ। ସେବେଠାରୁ ପ୍ରତ୍ୟେକ ଗୀତରେ କିଛି କିଛି ନୂଆ କରିବାକୁ ଚେଷ୍ଟା କରେ। ଭାତଟେ ହେବ, ଡାଲି ଟେ ହେବ, କ’ଣ ଦି’ଟା ଖାଇ ଦଉନ, ବାବା ସଲେଇଲେ, ମାଉସୀ ଘରଭଡା ଦବକି ଭଳି ଅନେକ ଗୀତ କରିଛି ଏବଂ ତାହା ଶ୍ରୋତାମାନଙ୍କ ଦ୍ୱାରା ଆଦୃତ ହୋଇଛି।
ପ୍ରଶ୍ନ- ଅବସର ସମୟରେ କ’ଣ କରନ୍ତି?
ଉତ୍ତର- ଫ୍ରି ଟାଇମ୍‌ ମିଳିଲେ ପୁଅ ଓ ସ୍ତ୍ରୀଙ୍କୁ ନେଇ ପୁରୀ ବୁଲିବାକୁ ଯାଏ। ସେଠାରେ ସାଙ୍ଗମାନଙ୍କ ହୋଟେଲ ଅଛି। ଦିନେ ଦୁଇଦିନ ରହେ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଅବଢା ଖାଏ, ବାଲିରେ ଗଡ଼େ। ବହୁତ ମଜା କରେ।
ପ୍ରଶ୍ନ- ସଙ୍ଗୀତକୁ ନେଇ ଆଗକୁ କ’ଣ ଯୋଜନା ରହିଛି?
ଉତ୍ତର- ବର୍ତ୍ତମାନ ମୁଁ କିଛି ବଙ୍ଗଳା, ଭୋଜପୁରୀ, ମରାଠୀ, ଛତିଶଗଡୀ, ତେଲୁଗୁ ସିନେମାରେ ଗୀତ କରିଛି। ଏସବୁ ରିଲିଜ୍‌ ଅପେକ୍ଷାରେ ରହିଛି। ହିନ୍ଦୀ ସିନେମା କରିବାର ମଧ୍ୟ ଯୋଜନା ଅଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମୋ ନାଁ ହେବା ସହ ଜଗନ୍ନାଥଙ୍କ ନାଁ ନେଇ ପାରିବି ସେଥିପାଇଁ ଚେଷ୍ଟା କରୁଛି।
ପ୍ରଶ୍ନ- ଜନ୍ମମାଟି ସମ୍ବଲପୁରରେ ସଙ୍ଗୀତର ଉନ୍ନତି ପାଇଁ କିଛି କରିବେ?
ଉତ୍ତର- ସମ୍ବଲପୁରରେ ସଙ୍ଗୀତ ଅଛି, ମାତ୍ର ସେଠାରେ କାମ କରିବାର ସ୍କୋପ୍‌ ନାହିଁ। ସେଠାରେ କିଛି ସମ୍ବଲପୁରୀ ଶୋ’ କରିବାର ଯୋଜନା କରୁଛି। ସେଠାରେ କଳା, ସଂସ୍କୃତି ଉନ୍ନତି ହେବା ସହ ଷ୍ଟୁଡିଓ, ଚ୍ୟାନେଲ କରିବା ପାଇଁ ଚେଷ୍ଟା କରିବି।
ପ୍ରଶ୍ନ- ଜୀବନର କିଛି ସ୍ମରଣୀୟ ମୁହୂର୍ତ୍ତ
ଉତ୍ତର- ମୋର ଲଗାତର କିଛି କ୍ୟାସେଟ୍‌ ଫ୍ଲପ୍‌ ହେବାପରେ ଲୋକ ମତେ ଅଶୁଭ କହିବା ଆରମ୍ଭ କରି ଦେଇଥିଲେ। ଲୋକମତେ ଗେଟ୍‌ ଆଉଟ୍‌ ବୋଲି ମଧ୍ୟ କହିଛନ୍ତି। ସାଇକେଲ ଧରି ବିଭିନ୍ନ ସ୍ଥାନକୁ ଯିବାବେଳେ ସେଠାରେ ମତେ ଖରାରେ ଘଣ୍ଟା ଘଣ୍ଟା ବସେଇଛନ୍ତି। ବହୁ ଘଟଣା ସତ୍ତ୍ୱେ ଦୃଢ଼ ଇଚ୍ଛାଶକ୍ତି ମତେ ଆଜି ସଫଳତା ଦେଇଛି।
ପ୍ରଶ୍ନ- କଳାକାର ନ ହୋଇଥିଲେ କ’ଣ ହୋଇଥାନ୍ତେ?
ଉତ୍ତର- ମୋର ଅଣ୍ଡା ପ୍ରତି ବହୁତ ଦୁର୍ବଳତା। ତେଣୁ କଳାକାର ନ ହୋଇଥିଲେ ଅଣ୍ଡା ବିକିଥାନ୍ତି। ଗୋଟେ ବଡ଼ ଦୋକାନ କରିଥାନ୍ତି। ସେଠାରେ ଆମ୍‌ଲେଟ୍‌ ଓ ସିଝା ଅଣ୍ଡା ବିକିଥାନ୍ତି।
ପ୍ରଶ୍ନ- କ’ଣ ଖାଇବାକୁ ଭଲଲାଗେ?
ଉତ୍ତର- ମତେ ସବୁ ପ୍ରକାର ଦେଶୀ ଜିନିଷ ଖାଇବାକୁ ଭଲଲାଗେ। ପଖାଳ, ବଡ଼ିଚୂରା, ମାଛ ଭଜା, ଆଳୁ ଭର୍ତା, ପଣସ ମଞ୍ଜି, ଟମାଟୋ ପୋଡ଼ା, ଅଣ୍ଡା, ଢାବାର ଚଣାମସଲା ଖାଇବାକୁ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri