‘ମୁଁ ପାଣ୍ଡିଆନ ସାର୍‌ଙ୍କ ପରି ହେବି’

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ରାଜ୍ୟରେ ସ୍କୁଲ ରୂପାନ୍ତରଣ ପର୍ବ ଜାରି ରହିଛି । ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ପଞ୍ଚମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୫ ଜିଲାର ୧୪୮ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଜଗତ୍‌ସିଂହପୁରର ୧୪ ସ୍କୁଲ, ଦେବଗଡ଼ର ୩୨, ପୁରୀର ୪୮, ବଲାଙ୍ଗୀରର ୨୪ ଓ କେନ୍ଦ୍ରାପଡ଼ାର ୩୦ଟି ସ୍କୁଲ ସାମିଲ ହୋଇଛି। ଏ ପର୍ଯ୍ୟନ୍ତ ୮୩୮ଟି ରୂପାନ୍ତରିତ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ସୂଚନାଯୋଗ୍ୟ, ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏବେ ରାଜ୍ୟର ୧୦୭୫ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଜାରି ରହିଛି।
ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ଏହା ହିଁ ହେଉଛି ସ୍କୁଲ ରୂପାନ୍ତରଣର ଲକ୍ଷ୍ୟ । ଜୀବନରେ ସଫଳତା ପାଇଁ ସ୍କୁଲ ହିଁ ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତରଣ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୫-ଟି ନୀତି ଉପରେ ମୁଖ୍ୟମନ୍ତ୍ରୀ କହିଲେ, ସ୍କୁଲ ରୂପାନ୍ତର ହେଉଛି ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ଏହି କାର୍ଯ୍ୟକ୍ରମରେ ୫ ଜିଲାର ଛାତ୍ରୀଛାତ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କରେ ନିଜର ମନକଥା କହିଥିଲେ। ଜଗତ୍‌ସିଂହପୁରର ସୁମିତ୍ରା ସାହୁ, ଦେବଗଡ଼ର ପୀୟୂଷପ୍ରଭା କର, ପୁରୀର ଅପର୍ଣ୍ଣା ପଣ୍ଡା, ବଲାଙ୍ଗୀରର ଆର଼୍ୟାନ୍‌ ଶତପଥୀ ଓ କେନ୍ଦ୍ରାପଡ଼ାର ସୋନମ ପରଓ୍ବିନ ପ୍ରମୁଖ ଛାତ୍ରୀଛାତ୍ର ଆଲୋଚନାରେ ଭାଗ ନେଇ କହିଥିଲେ, ସ୍କୁଲର ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ଶୌଚାଳୟ ବ୍ୟବସ୍ଥା ପିଲାମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ସ୍ମାର୍ଟ ବ୍ୟବସ୍ଥାରେ ପାଠ ବୁଝିବା ସହଜ ହେଉଛି। ସେମାନେ ଭବିଷ୍ୟତରେ କ’ଣ ହେବାକୁ ଚାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇଏଏସ୍‌, ଆଇପିଏସ୍‌ ଅଫିସର, ଡାକ୍ତର, ଇଞ୍ଜିନିୟର ହେବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଜଗତ୍‌ସିଂହପୁରରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବଗଡ଼ରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବଲାଙ୍ଗୀରରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏବଂ କେନ୍ଦ୍ରାପଡ଼ାରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଟିଟିଲାଗଡ଼ ସରକାରୀ ହାଇସ୍କୁଲରୁ ପାଠ ପଢ଼ି ସ୍ବପ୍ନ ପୂରଣ କରିପାରିଛି ଏବଂ ଜିଲା ଓ ରାଜ୍ୟର ବିକାଶରେ କିଛି ଯୋଗଦାନ ରଖିପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ାର ୩୦ ରୂପାନ୍ତରଣ ହାଇସ୍କୁଲ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା ଜିଲାର ୩୪୩ଟି ହାଇସ୍କୁଲ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଶନିବାର ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ସହରର ବାଳିକା ହାଇସ୍କୁଲଠାରେ ଜିଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ଜିଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଆଇନମନ୍ତ୍ରୀ ଜେନା ସରକାରୀ ସ୍କୁଲର ୫-ଟି ରୂପାନ୍ତରଣ ପ୍ରତିଭା ବିକାଶରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଜିଲାର ଆଳି ନିର୍ବାଚନ ମଣ୍ଡଳୀରେ ୫, କେନ୍ଦ୍ରାପଡ଼ାରେ ୭, ପାଟକୁରାରେ ୧୦, ମହାକାଳପଡ଼ାରେ ୩ ଓ ରାଜନଗରରେ ୫ଟି ହାଇସ୍କୁଲକୁ ରୂପାନ୍ତରଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ୧୫୨ସ୍କୁଲର ରୂପାନ୍ତରଣ ହେବ ବୋଲି ଏଠାରେ ସୂଚନା ଦିଆଯାଇଛି।

ମୁଁ ପାଣ୍ଡିଆନ ସାର୍‌ଙ୍କ ପରି ହେବି

କେନ୍ଦ୍ରାପଡ଼ା ସହରର ବାଳିକା ବିଦ୍ୟାଳୟ ପରିସରରେ ଜିଲାର ୩୦ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଉକ୍ତ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସୋନମ ପରୱିନଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସୋନମ ନିଜ ହାଇସ୍କୁଲର ପରିବର୍ତ୍ତନ ସମ୍ପର୍କରେ ମତ ଦେବା ପରେ ଭବିଷ୍ୟତରେ ଆପଣ କ’ଣ ହେବାକୁ ଚାହୁଁଛନ୍ତି ବୋଲି ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୋନମ କହିଥିଲେ, ମୁଁ ପାଣ୍ଡିଆନ ସାର୍‌ଙ୍କ ପରି ଆଇଏଏସ୍‌ ଅଫିସର ହେବି। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ କହିଥିଲେ, ସରକାରୀ ସ୍କୁଲରେ ପଢ଼ି ଆଇଏଏସ୍‌ ଅଫିସର ହେବାରେ କୌଣସି ଅସୁବିଧା ନାହିଁ। ନିଜେ ସରକାରୀ ସ୍କୁଲରେ ପାଠ ପଢ଼ିଥିବା ଓ ତୁମ ଜିଲାର ଜିଲାପାଳ ଅମୃତ ଋତୁରାଜ ସରକାରୀ ସ୍କୁଲରେ ପଢ଼ିଥିବା ଉଦାହରଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?