ତାଳଗଛରେ ପତି

ଡ. କୁଳାଙ୍ଗାର

 

ସିଏ ବଜାରରୁ ଫେରିଲା ବେଳକୁ ତା’ ପତ୍ନୀଦେବୀ ହାତରେ ଖବରକାଗଜଟାକୁ ଧରି ଆକାଶକୁ ଅନେଇ ବସିଛି! ଏହା ଦେଖି ଆଗୁଆ ସତର୍କ ହୋଇଗଲା। ଏମିତିରେ ତ ଅନ୍ୟପତ୍ନୀମାନଙ୍କ ପରି ତା’ ପତ୍ନୀ ମଧ୍ୟ ଊର୍ଦ୍ଧ୍ୱମୁଖୀ। ବାରମ୍ବାର ସେଇ ସଂଳାପମାନ ଶୁଣିବାକୁ ମିଳେ: ତମକୁ ବାହା ହୋଇ ମଣିଷ ବର୍ବାଦ ହୋଇଗଲା। କୋଉ ଜନ୍ମରେ କି ଦୋଷ କରିଥିଲି ଯେ ମଣିଷ ୟା ହାତ ଧରିଲା! ଏତେ ଅଳସୁଆ ଲୋକ… କିଛି ଗୋଟେ ଏକ୍ସଟ୍ରା ରୋଜଗାର ନାଇଁ। ୟାଙ୍କ ଦେଇ ଖଡ଼ା ଶିଝିବ ନାହିଁ!
ଏମିତି ସବୁ ଆଜି ପୁଣି ଶୁଣିବାକୁ ପଡ଼ିବ କି? ଖାଲି ଶୁଣିଲେ ତ ଚଳନ୍ତା। ସେଥିରେ ପୁଣି ପ୍ରତିକ୍ରିୟା ଦେଲେ ଅଡୁଆ, ନ ଦେଲେ ଆହୁରି ଅଡୁଆ। ଅତଏବ ଆଗୁଆ ସନ୍ଧି ସର୍ବୋତ୍ତମ ଉପାୟ। ତେଣୁ ସିଏ ତାହାକୁ ଅବଲମ୍ବନ କରି କହିଲା – ମୋତେ କ୍ଷମା କରିଦିଅ… ମୋର ଭୁଲ୍‌ ହୋଇଛି…..!
ଘରଣୀ ତା’ କଥା ଶୁଣି ମୁହଁକୁ ଫୁଲେଇ ଖବରକାଗଜ ଦେଖେଇ ପଚାରିଲେ – ମୁଁ କ’ଣ ତମକୁ ଏତେ ନିର୍ଯାତନା ଦେଉଛି? ସିଏ ସ୍ବଭାବତଃ ନା… ନା.. ନା.. କହୁକହୁ ତା’ ଦୃଷ୍ଟିରେ ପଡ଼ିଲା ଖବର; ପତ୍ନୀ ନିର୍ଯାତନା ଅସହ୍ୟ ହେବାରୁ ମାସାଧିକ କାଳ ତାଳଗଛରେ ଚଢ଼ି ଆଶ୍ରୟ ନେଲା ସ୍ବାମୀ। ଉପରୋକ୍ତ ଖବରଟିକୁ ପଢ଼ି ସିଏ କୃତକୃତ୍ୟ ଅନୁଭବ କଲା। ତାକୁ ଶୁଭିଲା ଘରଣୀ ଯେମିତି କହୁଛନ୍ତି; ଦେଖ ଦେଖ… ତମେ କେଡ଼େ ଭାଗ୍ୟବାନ ସ୍ବାମୀ। ମୁଁ କ’ଣ ତମକୁ ଏତେ ନିର୍ଯାତନା ଦେଉଛି? ସିଏ କେତେ ପରିମାଣରେ ନିର୍ଯାତିତ ହୋଇଥିବେ ଟିକେ ଭାବି ଦେଖ!
ତାଳଗଛରେ ଚଢ଼ିଥିବା ପତିଟିର ଅବସ୍ଥା କଥା ଭାବି ସିଏ ଭାବପ୍ରବଣ ହେଲା। ସିଏ ଭାବିଲା- ଆହା, ଦିନେ ଆଗରୁ ଏ ଖବର ମିଳିଥିଲେ; ବନ୍ୟା ଅଞ୍ଚଳରେ ବନ୍ୟାପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ନ ବାଣ୍ଟି ବିଚରା ପତ୍ନୀ ପ୍ରପୀଡ଼ିତକୁ ସାହାଯ୍ୟ କରିଥିଲେ ଅଧିକ ଧର୍ମ ହୋଇଥାଆନ୍ତା! ତା’ ଡେଣାକୁ ହଲେଇ ଦେଇ ପତ୍ନୀଦେବୀ ପଚାରିଲେ – କ’ଣ ଭାବୁଚ? ସିଏ କହିଲା ଭାବୁଚି; ବନ୍ୟାସୁଅ ଆସିଲେ ଅତିବେଶିରେ ଛାତ ଉପରକୁ ପଳେଇଗଲେ ଲୋକେ ତ୍ରାହି ପାଇଯାଉଛନ୍ତି, ହେଲେ ନିର୍ଯାତନା ସୁଅ ଏମିତି କେତେ ହେଲା ଯେ ଲୋକଟାକୁ ଏତେ ଉପରକୁ ଚଢ଼ିଯିବାକୁ ପଡ଼ିଲା!
ଘରଣୀ ଏଥର ନିଜର ଅସଲ ପ୍ରକୃତି ଓ ସ୍ବର ପ୍ରଦର୍ଶନକରି କହିଲେ – ମଲା ଯା… ତମର ଯେତେ ସବୁ ଛୋପରା କଥା! ଆହେ ନିର୍ଯାତନା କୋଉ ସ୍ତ୍ରୀ କାହିଁକି ବା ଦିଅନ୍ତା? ଲୋକଟାଠି ନିଶ୍ଚୟ କିଛି ଦୋଷ ଥିବ। ତମକୁ ତ ମୁଁ କେତେଥର ଚାଟିଂବେଳେ ଧରିଛି ସେମିତି ଯଦି ଅଧିକ ଆଗକୁ ଗମନ କାଳରେ ସ୍ବାମୀଟି ଧରା ପଡ଼ିଥିବ ତେବେ ମାଡ଼ ଡରରେ ଉପରକୁ ଚଢ଼ିଯାଇଥିବ ଆଉ ତଳକୁ ଆସିବାକୁ ଆହୁରି ଭୟ କରୁଥିବ କିମ୍ବା ଡରରେ ସିନା ଚଢ଼ି ଯାଇଥିବ ହେଲେ ଓହ୍ଲେଇବା ଜଣା ନ ଥିବ! ଘରଣୀ ଆହୁରି ଆକଳନ କରି କହିଲେ – ତମ ପୁରୁଷ ଜାତିକି କି ବିଶ୍ୱାସ, ଲୋକଟା ଯଦି ତମ ପରି ମହା ଲୁଙ୍ଗୁରା ହୋଇଥିବ, ତେବେ ଉପରେ ବସି ଝିଅବୋହୂଙ୍କୁ ଉଣ୍ଡିବାକୁ ସୁବିଧା ହେବ ବୋଲି କାଳେ ଚଢ଼ି ଯାଇକି ବସିଥିବ!
ଘରଣୀର କଥା ଶୁଣି ସିଏ ମୁଣ୍ଡରେ ହାତ ଦେଲା ଏବଂ କହିଲା – ତମେ ଅବଶ୍ୟ ଠିକ୍‌ କହିଛ, ଯାହା ହେଉପଛେ, ଲୋକଟାର ଘରଣୀକୁ ଦୋଷ ଦେବା ଠିକ୍‌ ହେବ ନାହିଁ। କାରଣ ଭଲରେ ହେଉ କି ମନ୍ଦରେ ପତିକୁ ଉପରକୁ ଚଢ଼ିବାରେ ସହାୟକ ହୋଇଛି। ଆମର ସେ ଭାଗ୍ୟ କାହିଁ? ଉପରକୁ ଯିବା ଛାଡ଼, ଘରକୁ ବାପା ମାଆଙ୍କ ପାଖକୁ ଯିବାକୁ କହିଲେ ନାଇଁ ନାଇଁ, ବନ୍ଧୁବାନ୍ଧବଙ୍କ ଘରକୁ ଯିବାକୁ କହିଲେ ନାଇଁ ନାଇଁ, ସାଙ୍ଗସାଥୀଙ୍କ ସହିତ ବୁଲାବୁଲି ଓ ପାର୍ଟି କରିବାକୁ ଯିବି କହିଲେ ନାଇଁ ନାଇଁ।
ତା’ କଥା ରୋକି ଘରଣୀ କହିଲେ – ଆଲୋ ହଁ ହଁ…. ସେମିତି ବି ହୋଇଥିବ କି ଲୋକଟା ଅନବରତ ପିଆପିଇ କରୁଥିବ। ହେଲେ ତା’ ମଙ୍ଗଳ ଚାହିଁ ଘରଣୀ ସେଥିରେ ଯଦି ବାଧା ଦେଇଥିବେ ତେବେ ଗଛ ଉପରେ ଚଢ଼ି ପିଇବା ସୁବିଧା ହେବ ଭାବି ଚଢ଼ିଯାଇଥିବ। ମୋର ଗୋଟେ ସାଙ୍ଗ କହୁଥିଲା କି ଦକ୍ଷିଣ ଭାରତରେ ଖଜୁରି ଓ ସଲପ ଗଛ ପରି ତାଳଗଛରୁ ମଧ୍ୟ ତାଡ଼ି କାଢ଼ନ୍ତି, ତାହା ବାସିହେଲେ ନିଶାପାଣିରେ ପରିଣତ ହୁଏ। କିଏ ଜାଣିଚି, ଲୋକଟା ସେମିତି କିଛି ଫନ୍ଦି କରି ଘରଣୀକୁ ବଦ୍‌ନାମ କରି ସେଠି ନିତି ତାଡ଼ି ପିଇ ନିଶାରେ ମସଗୁଲ୍‌ ନ ହେଉଥିବ! ତା’ ଛଡ଼ା ଯେତେ ପବନ ହେଲେ ମଧ୍ୟ ତାଳଗଛ ସହଜେ ଭାଙ୍ଗେନା। ତେଣୁ ସେଥିରେ ବାସକଲେ ବିଶେଷ କିଛି ବିପଦ ନାହିଁ। ସ୍ତ୍ରୀ ଯୋଗୁ ନିରୋଳା ପବନ ପାଇବ। ଉଚ୍ଚସ୍ଥାନରେ ବସି ଚାରିଆଡ଼ର ଖବର ରଖିପାରିବ।
ସିଏ ଏଥର ବିରକ୍ତ ହୋଇ କହିଲା – ତମର ଯେତକ ସବୁ ସ୍ବାମୀ ବିରୋଧୀ କଥା। ଆହେ ଏକଥା ମଧ୍ୟ କାହିଁକି ବିଚାର କରୁନ କି ଯେ ଏହି ଜରିଆରେ ସ୍ବାମୀଟି ସ୍ତ୍ରୀର କେତେ ପ୍ରଚାର କରାଇଛି। ସ୍ବାମୀ ହେଉ କି ସ୍ତ୍ରୀ କିଏ ସେହି ସ୍ତ୍ରୀ ବୋଲି ଜାଣିବାକୁ ଚାହୁଁଛନ୍ତି କି ନାଇଁ? ଦେଖିବ ଆଗକୁ ରାଜନୈତିକ ଦଳମାନେ ତାକୁ ଖୋଜିବେ; କିଏ ସେହି ସଶକ୍ତ ବୀରାରମଣୀ; ତାଙ୍କୁ ଅଞ୍ଚଳର ନେତୃତ୍ୱ ନେବାପାଇଁ ସୁଯୋଗ ଦେବା ଉଚିତ। ନାରୀସଂଘମାନେ ଆଗେଇ ଆସି ତାଙ୍କର ସାହସିକତାକୁ ସାବାସୀ ଜଣେଇବା ସହିତ ସମ୍ବର୍ଦ୍ଧିତ କରିବେ। ନାରୀ ସ୍ବାଧୀନତା ଓ ଲିଙ୍ଗଗତ ସମାନତା ଉପରେ ଯେତେବେଳେ ସଭା, ସମ୍ପାନ ଓ ସନ୍ଦର୍ଭ ଆଦି ପ୍ରସ୍ତୁତ ହେବ, ସେତେବେଳେ ତାଙ୍କର ହିଁ ଉଦାହରଣ ଦିଆଯିବ!
ତା’ କଥା ଶୁଣି ପତ୍ନୀଦେବୀ ପାଦକୁ ଦୁମ୍‌ଦୁମ୍‌ କରି ନାକରେ କାନ୍ଦି କହିଲେ; ମୋ ଆଗରେ ଏସବୁ କହି କାହିଁକି କଟା ଘାଆରେ ଲୁଣ ଛାଟୁଛ? ଘରଣୀଙ୍କର ସ୍ବର ଏଥର ସାଙ୍ଗିତିକ ହେଲା; ତୁ କାହିଁକି ଏମିତି ତରତର ହୋଇ ମୋତେ ଏମିତି ତୋ ଘରୁ ତଡ଼ିଲୁ ଲୋ…. ବୋଉ…., ମୋତେ ଦୁନିଆ ନଈରେ ଉବୁଟୁବୁ କରି ଭସେଇ ଦେଲୁ ଲୋ ବୋଉ…!! ପରିସ୍ଥିତି ଏବଂ ଅଭିଜ୍ଞତା ଦୃଷ୍ଟିରୁ ଭବିଷ୍ୟତ ଅବସ୍ଥାକୁ ଚାହିଁ ସିଏ ଏଥର କାନରେ ହାତ ଦେଇ ସିଡ଼ିରେ ପାଦ ପକେଇଲା।ଘରଣୀ ପଛପଟୁ ଚିତ୍କାର କରି ପଚାରିଲେ- ଛାତ ଉପରକୁ କୁଆଡ଼େ ଯାଉଛ? ସିଏ କହିଲା – ଦେଖିବାକୁ…. ଆଖପାଖରେ କୋଉଠି ତାଳଗଛ ଅଛି??
ଅଲରା, ନରସିଂହପୁର, କଟକ
ମୋ:୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri