ତାଳଗଛରେ ପତି

ଡ. କୁଳାଙ୍ଗାର

 

ସିଏ ବଜାରରୁ ଫେରିଲା ବେଳକୁ ତା’ ପତ୍ନୀଦେବୀ ହାତରେ ଖବରକାଗଜଟାକୁ ଧରି ଆକାଶକୁ ଅନେଇ ବସିଛି! ଏହା ଦେଖି ଆଗୁଆ ସତର୍କ ହୋଇଗଲା। ଏମିତିରେ ତ ଅନ୍ୟପତ୍ନୀମାନଙ୍କ ପରି ତା’ ପତ୍ନୀ ମଧ୍ୟ ଊର୍ଦ୍ଧ୍ୱମୁଖୀ। ବାରମ୍ବାର ସେଇ ସଂଳାପମାନ ଶୁଣିବାକୁ ମିଳେ: ତମକୁ ବାହା ହୋଇ ମଣିଷ ବର୍ବାଦ ହୋଇଗଲା। କୋଉ ଜନ୍ମରେ କି ଦୋଷ କରିଥିଲି ଯେ ମଣିଷ ୟା ହାତ ଧରିଲା! ଏତେ ଅଳସୁଆ ଲୋକ… କିଛି ଗୋଟେ ଏକ୍ସଟ୍ରା ରୋଜଗାର ନାଇଁ। ୟାଙ୍କ ଦେଇ ଖଡ଼ା ଶିଝିବ ନାହିଁ!
ଏମିତି ସବୁ ଆଜି ପୁଣି ଶୁଣିବାକୁ ପଡ଼ିବ କି? ଖାଲି ଶୁଣିଲେ ତ ଚଳନ୍ତା। ସେଥିରେ ପୁଣି ପ୍ରତିକ୍ରିୟା ଦେଲେ ଅଡୁଆ, ନ ଦେଲେ ଆହୁରି ଅଡୁଆ। ଅତଏବ ଆଗୁଆ ସନ୍ଧି ସର୍ବୋତ୍ତମ ଉପାୟ। ତେଣୁ ସିଏ ତାହାକୁ ଅବଲମ୍ବନ କରି କହିଲା – ମୋତେ କ୍ଷମା କରିଦିଅ… ମୋର ଭୁଲ୍‌ ହୋଇଛି…..!
ଘରଣୀ ତା’ କଥା ଶୁଣି ମୁହଁକୁ ଫୁଲେଇ ଖବରକାଗଜ ଦେଖେଇ ପଚାରିଲେ – ମୁଁ କ’ଣ ତମକୁ ଏତେ ନିର୍ଯାତନା ଦେଉଛି? ସିଏ ସ୍ବଭାବତଃ ନା… ନା.. ନା.. କହୁକହୁ ତା’ ଦୃଷ୍ଟିରେ ପଡ଼ିଲା ଖବର; ପତ୍ନୀ ନିର୍ଯାତନା ଅସହ୍ୟ ହେବାରୁ ମାସାଧିକ କାଳ ତାଳଗଛରେ ଚଢ଼ି ଆଶ୍ରୟ ନେଲା ସ୍ବାମୀ। ଉପରୋକ୍ତ ଖବରଟିକୁ ପଢ଼ି ସିଏ କୃତକୃତ୍ୟ ଅନୁଭବ କଲା। ତାକୁ ଶୁଭିଲା ଘରଣୀ ଯେମିତି କହୁଛନ୍ତି; ଦେଖ ଦେଖ… ତମେ କେଡ଼େ ଭାଗ୍ୟବାନ ସ୍ବାମୀ। ମୁଁ କ’ଣ ତମକୁ ଏତେ ନିର୍ଯାତନା ଦେଉଛି? ସିଏ କେତେ ପରିମାଣରେ ନିର୍ଯାତିତ ହୋଇଥିବେ ଟିକେ ଭାବି ଦେଖ!
ତାଳଗଛରେ ଚଢ଼ିଥିବା ପତିଟିର ଅବସ୍ଥା କଥା ଭାବି ସିଏ ଭାବପ୍ରବଣ ହେଲା। ସିଏ ଭାବିଲା- ଆହା, ଦିନେ ଆଗରୁ ଏ ଖବର ମିଳିଥିଲେ; ବନ୍ୟା ଅଞ୍ଚଳରେ ବନ୍ୟାପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ନ ବାଣ୍ଟି ବିଚରା ପତ୍ନୀ ପ୍ରପୀଡ଼ିତକୁ ସାହାଯ୍ୟ କରିଥିଲେ ଅଧିକ ଧର୍ମ ହୋଇଥାଆନ୍ତା! ତା’ ଡେଣାକୁ ହଲେଇ ଦେଇ ପତ୍ନୀଦେବୀ ପଚାରିଲେ – କ’ଣ ଭାବୁଚ? ସିଏ କହିଲା ଭାବୁଚି; ବନ୍ୟାସୁଅ ଆସିଲେ ଅତିବେଶିରେ ଛାତ ଉପରକୁ ପଳେଇଗଲେ ଲୋକେ ତ୍ରାହି ପାଇଯାଉଛନ୍ତି, ହେଲେ ନିର୍ଯାତନା ସୁଅ ଏମିତି କେତେ ହେଲା ଯେ ଲୋକଟାକୁ ଏତେ ଉପରକୁ ଚଢ଼ିଯିବାକୁ ପଡ଼ିଲା!
ଘରଣୀ ଏଥର ନିଜର ଅସଲ ପ୍ରକୃତି ଓ ସ୍ବର ପ୍ରଦର୍ଶନକରି କହିଲେ – ମଲା ଯା… ତମର ଯେତେ ସବୁ ଛୋପରା କଥା! ଆହେ ନିର୍ଯାତନା କୋଉ ସ୍ତ୍ରୀ କାହିଁକି ବା ଦିଅନ୍ତା? ଲୋକଟାଠି ନିଶ୍ଚୟ କିଛି ଦୋଷ ଥିବ। ତମକୁ ତ ମୁଁ କେତେଥର ଚାଟିଂବେଳେ ଧରିଛି ସେମିତି ଯଦି ଅଧିକ ଆଗକୁ ଗମନ କାଳରେ ସ୍ବାମୀଟି ଧରା ପଡ଼ିଥିବ ତେବେ ମାଡ଼ ଡରରେ ଉପରକୁ ଚଢ଼ିଯାଇଥିବ ଆଉ ତଳକୁ ଆସିବାକୁ ଆହୁରି ଭୟ କରୁଥିବ କିମ୍ବା ଡରରେ ସିନା ଚଢ଼ି ଯାଇଥିବ ହେଲେ ଓହ୍ଲେଇବା ଜଣା ନ ଥିବ! ଘରଣୀ ଆହୁରି ଆକଳନ କରି କହିଲେ – ତମ ପୁରୁଷ ଜାତିକି କି ବିଶ୍ୱାସ, ଲୋକଟା ଯଦି ତମ ପରି ମହା ଲୁଙ୍ଗୁରା ହୋଇଥିବ, ତେବେ ଉପରେ ବସି ଝିଅବୋହୂଙ୍କୁ ଉଣ୍ଡିବାକୁ ସୁବିଧା ହେବ ବୋଲି କାଳେ ଚଢ଼ି ଯାଇକି ବସିଥିବ!
ଘରଣୀର କଥା ଶୁଣି ସିଏ ମୁଣ୍ଡରେ ହାତ ଦେଲା ଏବଂ କହିଲା – ତମେ ଅବଶ୍ୟ ଠିକ୍‌ କହିଛ, ଯାହା ହେଉପଛେ, ଲୋକଟାର ଘରଣୀକୁ ଦୋଷ ଦେବା ଠିକ୍‌ ହେବ ନାହିଁ। କାରଣ ଭଲରେ ହେଉ କି ମନ୍ଦରେ ପତିକୁ ଉପରକୁ ଚଢ଼ିବାରେ ସହାୟକ ହୋଇଛି। ଆମର ସେ ଭାଗ୍ୟ କାହିଁ? ଉପରକୁ ଯିବା ଛାଡ଼, ଘରକୁ ବାପା ମାଆଙ୍କ ପାଖକୁ ଯିବାକୁ କହିଲେ ନାଇଁ ନାଇଁ, ବନ୍ଧୁବାନ୍ଧବଙ୍କ ଘରକୁ ଯିବାକୁ କହିଲେ ନାଇଁ ନାଇଁ, ସାଙ୍ଗସାଥୀଙ୍କ ସହିତ ବୁଲାବୁଲି ଓ ପାର୍ଟି କରିବାକୁ ଯିବି କହିଲେ ନାଇଁ ନାଇଁ।
ତା’ କଥା ରୋକି ଘରଣୀ କହିଲେ – ଆଲୋ ହଁ ହଁ…. ସେମିତି ବି ହୋଇଥିବ କି ଲୋକଟା ଅନବରତ ପିଆପିଇ କରୁଥିବ। ହେଲେ ତା’ ମଙ୍ଗଳ ଚାହିଁ ଘରଣୀ ସେଥିରେ ଯଦି ବାଧା ଦେଇଥିବେ ତେବେ ଗଛ ଉପରେ ଚଢ଼ି ପିଇବା ସୁବିଧା ହେବ ଭାବି ଚଢ଼ିଯାଇଥିବ। ମୋର ଗୋଟେ ସାଙ୍ଗ କହୁଥିଲା କି ଦକ୍ଷିଣ ଭାରତରେ ଖଜୁରି ଓ ସଲପ ଗଛ ପରି ତାଳଗଛରୁ ମଧ୍ୟ ତାଡ଼ି କାଢ଼ନ୍ତି, ତାହା ବାସିହେଲେ ନିଶାପାଣିରେ ପରିଣତ ହୁଏ। କିଏ ଜାଣିଚି, ଲୋକଟା ସେମିତି କିଛି ଫନ୍ଦି କରି ଘରଣୀକୁ ବଦ୍‌ନାମ କରି ସେଠି ନିତି ତାଡ଼ି ପିଇ ନିଶାରେ ମସଗୁଲ୍‌ ନ ହେଉଥିବ! ତା’ ଛଡ଼ା ଯେତେ ପବନ ହେଲେ ମଧ୍ୟ ତାଳଗଛ ସହଜେ ଭାଙ୍ଗେନା। ତେଣୁ ସେଥିରେ ବାସକଲେ ବିଶେଷ କିଛି ବିପଦ ନାହିଁ। ସ୍ତ୍ରୀ ଯୋଗୁ ନିରୋଳା ପବନ ପାଇବ। ଉଚ୍ଚସ୍ଥାନରେ ବସି ଚାରିଆଡ଼ର ଖବର ରଖିପାରିବ।
ସିଏ ଏଥର ବିରକ୍ତ ହୋଇ କହିଲା – ତମର ଯେତକ ସବୁ ସ୍ବାମୀ ବିରୋଧୀ କଥା। ଆହେ ଏକଥା ମଧ୍ୟ କାହିଁକି ବିଚାର କରୁନ କି ଯେ ଏହି ଜରିଆରେ ସ୍ବାମୀଟି ସ୍ତ୍ରୀର କେତେ ପ୍ରଚାର କରାଇଛି। ସ୍ବାମୀ ହେଉ କି ସ୍ତ୍ରୀ କିଏ ସେହି ସ୍ତ୍ରୀ ବୋଲି ଜାଣିବାକୁ ଚାହୁଁଛନ୍ତି କି ନାଇଁ? ଦେଖିବ ଆଗକୁ ରାଜନୈତିକ ଦଳମାନେ ତାକୁ ଖୋଜିବେ; କିଏ ସେହି ସଶକ୍ତ ବୀରାରମଣୀ; ତାଙ୍କୁ ଅଞ୍ଚଳର ନେତୃତ୍ୱ ନେବାପାଇଁ ସୁଯୋଗ ଦେବା ଉଚିତ। ନାରୀସଂଘମାନେ ଆଗେଇ ଆସି ତାଙ୍କର ସାହସିକତାକୁ ସାବାସୀ ଜଣେଇବା ସହିତ ସମ୍ବର୍ଦ୍ଧିତ କରିବେ। ନାରୀ ସ୍ବାଧୀନତା ଓ ଲିଙ୍ଗଗତ ସମାନତା ଉପରେ ଯେତେବେଳେ ସଭା, ସମ୍ପାନ ଓ ସନ୍ଦର୍ଭ ଆଦି ପ୍ରସ୍ତୁତ ହେବ, ସେତେବେଳେ ତାଙ୍କର ହିଁ ଉଦାହରଣ ଦିଆଯିବ!
ତା’ କଥା ଶୁଣି ପତ୍ନୀଦେବୀ ପାଦକୁ ଦୁମ୍‌ଦୁମ୍‌ କରି ନାକରେ କାନ୍ଦି କହିଲେ; ମୋ ଆଗରେ ଏସବୁ କହି କାହିଁକି କଟା ଘାଆରେ ଲୁଣ ଛାଟୁଛ? ଘରଣୀଙ୍କର ସ୍ବର ଏଥର ସାଙ୍ଗିତିକ ହେଲା; ତୁ କାହିଁକି ଏମିତି ତରତର ହୋଇ ମୋତେ ଏମିତି ତୋ ଘରୁ ତଡ଼ିଲୁ ଲୋ…. ବୋଉ…., ମୋତେ ଦୁନିଆ ନଈରେ ଉବୁଟୁବୁ କରି ଭସେଇ ଦେଲୁ ଲୋ ବୋଉ…!! ପରିସ୍ଥିତି ଏବଂ ଅଭିଜ୍ଞତା ଦୃଷ୍ଟିରୁ ଭବିଷ୍ୟତ ଅବସ୍ଥାକୁ ଚାହିଁ ସିଏ ଏଥର କାନରେ ହାତ ଦେଇ ସିଡ଼ିରେ ପାଦ ପକେଇଲା।ଘରଣୀ ପଛପଟୁ ଚିତ୍କାର କରି ପଚାରିଲେ- ଛାତ ଉପରକୁ କୁଆଡ଼େ ଯାଉଛ? ସିଏ କହିଲା – ଦେଖିବାକୁ…. ଆଖପାଖରେ କୋଉଠି ତାଳଗଛ ଅଛି??
ଅଲରା, ନରସିଂହପୁର, କଟକ
ମୋ:୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri