ଆନ୍ଧ୍ର ସରପଞ୍ଚ ନିର୍ବାଚନରେ ଭୋଟ ଦେଲେ ଶତାଧିକ ଓଡ଼ିଆ: ପାତ୍ରପୁର ସୀମାନ୍ତରେ ଗଞ୍ଜାମ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ

ପାତ୍ରପୁର, ୨୬।୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍ ଅଧୀନ ଆନ୍ଧ୍ର ସୀମାନ୍ତରେ ବସବାସ କରୁଥିବା କିଛି ଓଡ଼ିଶା ଗ୍ରାମବାସୀ ଗୁରୁବାର ଆନ୍ଧ୍ର ପ୍ରଦେଶର ସରପଞ୍ଚ ନିର୍ବାଚନରେ ଭୋଟ ଦେଇଥିବା ଜଣାପଡ଼ିଛି। ବୁରାତାଲ ପଞ୍ଚାୟତର ଗୁଡ଼ିଖଳା, ତୁମ୍ବା ପଞ୍ଚାୟତର କୁଲାଡ଼ୀ ଓ ସାତପୁରୀ, ଏବଂ ଗୁଡ଼ିପଦର ପଞ୍ଚାୟତର ବଳରାମପୁର ଓ ସର୍ଦାପୁର ଗ୍ରାମର କିଛି ପରିବାର ଆନ୍ଧ୍ରର ବିଭିନ୍ନ ଗ୍ରାମରେ ଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆନ୍ଧ୍ରରେ ଅନୁଷ୍ଠିତ ପୂର୍ବ ଦୁଇଟି ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ସୀମାନ୍ତ ଗ୍ରାମଗୁଡ଼ିକରେ ବିଭିନ୍ନ ସଚେତନତା ଶିବିର ଆୟୋଜନ କରି ଆନ୍ଧ୍ର ନିର୍ବାଚନରେ ଅଂଶଗ୍ରହଣ ନକରିବାକୁ ଗ୍ରାମବାସୀଙ୍କୁ ବୁଝାଇଥିଲା। ତେବେ ବର୍ତ୍ତମାନର ନିର୍ବାଚନ ସମୟରେ ଗଞ୍ଜାମ ପ୍ରଶାସନର କୌଣସି ଉପସ୍ଥିତି କିମ୍ବା ସଚେତନତା କାର୍ଯ୍ୟକ୍ରମ ଦେଖିବାକୁ ମିଳିନଥିବା ଅଭିଯୋଗ ହୋଇଛି।

ଗୁଡ଼ିଖଳା ଗ୍ରାମର ଶଙ୍କର ଶବର ଆନ୍ଧ୍ରର ବୁଡ଼ାରସିଙ୍ଗି ପଞ୍ଚାୟତର ୱାର୍ଡ ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ତାଙ୍କ ସପକ୍ଷରେ ଗ୍ରାମର ବହୁ ପରିବାର ବୁଡ଼ାରସିଙ୍ଗି ବିଦ୍ୟାଳୟ ବୁଥ୍‌କୁ ଯାଇ ଭୋଟ ଦେଇଛନ୍ତି। ସେହିପରି ତୁମ୍ବା ପଞ୍ଚାୟତ କୁଲାଡ଼ୀ ଗ୍ରାମର ଲଳିତା ଶବର ତଳଗୁରାଣ୍ଠି ପଞ୍ଚାୟତର ସାନକୃଷ୍ଣା ୱାର୍ଡରୁ ସଭ୍ୟ ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ କୁଲାଡ଼ୀ ଓ ସାତପୁରୀ ଗ୍ରାମର ୫୦ରୁ ଅଧିକ ଲୋକ ଟ୍ରାକ୍ଟର ଯୋଗେ ସାନକୃଷ୍ଣା ବୁଥ୍‌କୁ ଯାଇ ମତଦାନ କରିଛନ୍ତି। ଏହା ପୂର୍ବରୁ ପ୍ରାୟ ୨୦ ଦିନ ତଳେ ଆନ୍ଧ୍ରରେ ହୋଇଥିବା ଜିଲ୍ଲା ପରିଷଦ ଓ ସମିତି ନିର୍ବାଚନରେ ମଧ୍ୟ ଏହି ସୀମାନ୍ତ ଗ୍ରାମର ବାସିନ୍ଦା ଭୋଟ ଦେଇଥିଲେ।

ଆନ୍ଧ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସୁବିଧା ସୀମାନ୍ତ ଗ୍ରାମବାସୀଙ୍କୁ ଆକୃଷ୍ଟ କରୁଥିବାରୁ ସେମାନେ ଆନ୍ଧ୍ର ମୁହାଁ ହେଉଥିବା ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ଏନେଇ କିଛି ଗ୍ରାମବାସୀ କହିଛନ୍ତି ଯେ ଆନ୍ଧ୍ର ସରକାର ରାସ୍ତା, ବିଜୁଳି, ପାନୀୟ ଜଳ, ଭତ୍ତା ଓ ଜମି ପଟ୍ଟା ଯୋଗାଇ ଦେଇଛି। କିନ୍ତୁ ଓଡ଼ିଶାରେ ଭତ୍ତା ଓ ରାସନ୍ କଟିଥିବା ସହ ଜମି ପଟ୍ଟା ମିଳିନାହିଁ। ଆନ୍ଧ୍ରରେ ବିଜୁଳି ସମସ୍ୟା ତୁରନ୍ତ ସମାଧାନ ହେଉଥିବା ବେଳେ ଓଡ଼ିଶାରେ ମାସ ମାସ ଧରି ବିଜୁଳି ରହୁନଥିବା ଏବଂ ଗ୍ରାଭିଟି ଫ୍ଲୋରେ ଦୂଷିତ ପାଣି ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାସହ ଓଡ଼ିଶା ସ୍କୁଲରେ ଭଲ କୋଠା, ଶିକ୍ଷକ ଓ ମଧ୍ୟାହ୍ନ ଭୋଜନର ଅଭାବ ଥିବା ବେଳେ ଆନ୍ଧ୍ର ସରକାର ଭଲ ସ୍କୁଲ, ପିଲା ପିଛା ୧୫ ହଜାର ଟଙ୍କା, ପୁଷ୍ଟିକର ଖାଦ୍ୟ ଓ ୪ ହଜାରରୁ ଅଧିକ ଭତ୍ତା ଦେଉଥିବାରୁ ସେମାନେ ଭୋଟ ଦେଇଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ ତେଲୁଗୁ ଭାଷାଭାଷୀ ସୀମାନ୍ତ ବି. ନୂଆଗାଁ ଓ ଗୁଡ଼ିପଦର ପଞ୍ଚାୟତର କିଛି ଲୋକ ମଧ୍ୟ ଆନ୍ଧ୍ର ନିର୍ବାଚନରେ ଭୋଟ ଦେଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share