ମଣିଷ ଏକତ୍ର ମନ ଛିନ୍‌ଛତ୍ର

ଶୁଭନାରାୟଣ ଶତପଥୀ

 

 

ଜେଜେମାଆ ହୁଅନ୍ତୁ ବା ଆଈ ମା’ଗପର ପେଡ଼ି ଖୋଲିଲେ ତାଙ୍କ ଚାରିପାଖରେ ବସିଯାଆନ୍ତି ନାତିନାତୁଣୀ ଓ ସାହିପଡ଼ୋଶୀର ପିଲାମାନେ। ପୁଣି ଯେତେବେଳେ ସ୍ଥାନୀୟ, ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ରାଜନୀତି ଚର୍ଚ୍ଚା ହୁଏ, ସେତେବେଳେ ଜେଜେବାପା, ବାପା, କାକା, ଦାଦା, ସାହିପଡ଼ୋଶୀର ଭଦ୍ରବ୍ୟକ୍ତି ଆଲୋଚନାରେ ଅଂଶଗ୍ରହଣ କରିବାର ଦେଖିବାକୁ ମିଳୁଥିଲା। ଏମିତିକି ଘରକୁ ବନ୍ଧୁବାନ୍ଧବ ଆସିଲେ ମଧ୍ୟ ବ୍ୟକ୍ତିଗତ ବିଷୟ ସମେତ ମାତୃଭୂମି, ରାଜନୀତି, ସେବା ସମ୍ବନ୍ଧରେ ଅଲୋଚନା ହୁଏ। ଏ ଆଲୋଚନାରୁ କେବଳ ଖବରର ଅପଡେଟ୍‌ସ ଜାଣନ୍ତିି ତାହା ନୁହେଁ ବରଂ ଏହାର ବିଶ୍ଳେଷଣ, ଭଲମନ୍ଦ, ଭୁଲ୍‌ଠିକ୍‌ ଜାଣିହୁଏ। ସବୁଠାରୁ ବଡ଼କଥା ହେଉଛି ଏ ସମ୍ବନ୍ଧରେ ନିଜର ବ୍ୟକ୍ତିଗତ ଭୂମିକା, ଜ୍ଞାନ ବୃଦ୍ଧି ହେବା ସହିତ ଦେଶ, ରାଜ୍ୟ, ଦୁନିଆ ପାଇଁ ନିଜର କର୍ତ୍ତବ୍ୟ, ମତ, ବ୍ୟକ୍ତିତ୍ୱ ସୁନ୍ଦର ଓ ସ୍ପଷ୍ଟ ହୁଏ। ଜେଜେମାଆ, ଜେଜେବାପା ଯେତେବେଳେ ଧର୍ମଚର୍ଚ୍ଚା କରନ୍ତି ସତେବେଳେ ପୌରାଣିକ କଥାବସ୍ତୁର ମହତ୍ତ୍ୱ, ତା’ ଭିତରେ ଲୁଚି ରହିଥିବା ନୈତିକତା, ଶିକ୍ଷା ଆଦିରୁ ଅନେକ କଥା ଶିଖିଥାଆନ୍ତି ଉତ୍ତରାଧିକାରୀମାନେ। ସାମାଜିକ ଚଳଣି, ସଂସ୍କୃତି, ଯାନିଯାତ୍ରା, ସୁଖଦୁଃଖ, ଶୃଙ୍ଖଳା, ବିଶୃଙ୍ଖଳା ସବୁ ଆଲୋଚନା ହୁଏ ପରିବାରର ମହିଳାମାନଙ୍କ ମଧ୍ୟରେ ଓ ପଡ଼ୋଶୀଙ୍କ ସହ। ମତାମତ ନେଇ ପରସ୍ପର ପରସ୍ପରକୁ ସଜାଡନ୍ତି, ପୁଣି ଜୀବନ ଡଙ୍ଗା ପଥ ହୁଡୁଥିଲେ ବାଟକୁ ଆସେ। ବାସ୍ତବରେ ଜୀବନର ମୂଲ୍ୟବୋଧ, ଦର୍ଶନକୁ ସଜାଡ଼ିବା ଓ ସତେଜ କରିବା ପାଇଁ ଏସବୁ ଆଲୋଚନା, କଥୋପକଥନ, ପରାମର୍ଶର ଆବଶ୍ୟକତା ଢେର ବେଶି। ଏସବୁ ସହିତ ପରସ୍ପରର ଆତ୍ମୀୟତା ମଧ୍ୟ ବଢ଼େ।
ଜଣେ ବ୍ୟକ୍ତି ଯେ ସବୁକ୍ଷେତ୍ରରେ ଦକ୍ଷ, ତା’ର ଜ୍ଞାନ ସବୁଥିରେ ଅଛି, ସେ ଜମାରୁ ଭୁଲ୍‌ କରେନାହିଁ କିମ୍ବା କୁହେନାହିଁ ଭାବିବା ଭୁଲ୍‌। ଜୀବନରେ ପ୍ରତ୍ୟେକ ଗତିରେ ଆବଶ୍ୟକତା ପଡ଼େ ସମାଲୋଚନା, ନିଷ୍କର୍ଷ, ମତାମତ, ପରାମର୍ଶ, ଦିଗ୍‌ଦର୍ଶନ ଓ ନିର୍ଯାସର। ବିନା କଥୋପକଥନରେ ବା ଆଲୋଚନାରେ ଏହା ମିଳିବା ସମ୍ଭବ ନୁହେଁ। ନିତିଦିନିଆ କାର୍ଯ୍ୟଖସଡାରେ ଏହି ବିଷୟକୁ ଅନ୍ତର୍ଭୁକ୍ତ ନ କଲେ ଅର୍ଥାତ୍‌ ପିଲାଠାରୁ ବୟୋଜ୍ୟେଷ୍ଠ ସମସ୍ତେ ଏହି ବାର୍ତ୍ତାଳାପର ଅଂଶବିଶେଷ ନ ପାଲଟିଲେ ସମାଜ ଦିଗଭ୍ରଷ୍ଟ ହେବା ସାର ହେବ। କାରଣ ନିତିଦିନିଆ ଚଳଣିରେ ସୁବିଧା ଅସୁବିଧା, ବାଧାବିଘ୍ନ ବିଷୟରେ ଜଣାଇଲେ ହିଁ ମୂଳରୁ ଏହାର ସମାଧାନର ବାଟ ଫିଟିବ। ଜଣେ ଆତ୍ମୀୟ ଏହାର ପ୍ରତିଷେଧକ, ନିରାକରଣର ବାଟ ଦେଖାଇପାରିବ। ଏଣୁ ଦଳଗତ ଆଲୋଚନା, ସାମ୍ନାସାମ୍ନି ଆବେଗଭରା କଥାବାର୍ତ୍ତା କେବଳ ସମ୍ପର୍କକୁ ମଜଭୁତ କରେ, ତାହା ନୁହେଁ ବରଂ ଅନେକ ସମସ୍ୟା ସମାଧାନର ମାର୍ଗ ଊନ୍ମୁକ୍ତ କରେ।
ଅଧୁନା ଗଁାଠୁ ସହର, ପରିବାର, ସାହିପଡ଼ୋଶୀ ଯାହା ଉପରେ ନଜର ପକାଇବା ସେ କର୍ମବ୍ୟସ୍ତ। ବ୍ୟସ୍ତତା ଭିତରେ ଓ ବାହାରେ ତା’ର ଅନ୍ତରଙ୍ଗ ସାଥୀ ହେଉଛି ମୋବାଇଲ ବା ସ୍ମାର୍ଟଫୋନ୍‌। କହିବାକୁ ଗଲେ ବ୍ୟସ୍ତତା ଓ ମୋବାଇଲ ଯେମିତି ପରସ୍ପର ଯୋଡ଼ା। ସବୁଠାରୁ ବଡ଼କଥା ହେଉଛି ପିଲାଛୁଆମାନେ ଯେତେ ବଡ଼ ହେଉଛନ୍ତିି ମାତାପିତାଙ୍କଠାରୁ ଦୂରେଇଯାଇ ମୋବାଇଲର ନିକଟତର ହେଉଛନ୍ତି। ସତେଯେମିତି ଏ ଦଳଗତ ଓ ବ୍ୟକ୍ତିଗତ ଆଲୋଚନା ଅନ୍ତର୍ନିବିଷ୍ଟ ହୋଇଛି ମୋବାଇଲର ଫ୍ରେମ୍‌ ଭିତରେ। ସବୁ ସମସ୍ୟାର ସମାଧାନ କ’ଣ ମୋବାଇଲ ଦ୍ୱାରା ହେଉଛି? ନା ବରଂ ଏହା ଆମ ଭିତରେ ଥିବା ସମ୍ପର୍କକୁ ଛିନ୍ନ କରୁଛି ଓ ଅନ୍ତରଙ୍ଗ ଆଳାପଠାରୁୁ ଦୂରେଇଯାଇ ଆମେ ହରାଉଛୁ ଅନେକ ମୂଲ୍ୟବାନ ଉପଦେଶ, ମାନସିକ ଶିକ୍ଷା ପ୍ରଦାନ କରୁଥିବା ସ୍ନେହଭରା ଅଭିବ୍ୟକ୍ତି। ମୋବାଇଲର ଖୁବ୍‌ ନିକଟତର ହେବା କାରଣରୁ ପଢ଼ିବା, ଲେଖିବା, ବୁଝିବା, ହେଜିବା ସହିତ ବିଶ୍ଳେଷଣାତ୍ମକ ଦକ୍ଷତା ହରାଉଛୁ। ଏକ ଖବରରୁ ଜଣାଯାଏ, ମୋବାଇଲର ଅତ୍ୟଧିକ ବ୍ୟବହାର ଫଳରେ ଇଣ୍ଟରନେଟ ଆଡିକ୍ସନ ରୋଗର ଶିକାର ହେଉଛୁ। ଦିଲ୍ଲୀ ଏମ୍ସର ସର୍ଭେ ୨୦୨୧ ଅନୁଯାୟୀ ୧୬ ପ୍ରତିଶତ ପିଲାଙ୍କ ପାଖରେ ମାନସିକ ରୋଗ ଦେଖିବାକୁ ମିଳୁଛି। ପିଲାଙ୍କ ହାତରୁ ମୋବାଇଲ ଛଡ଼ାଇନେଲେ ଅସ୍ବାଭାବିକ ବ୍ୟବହାର କରୁଛନ୍ତି, ବ୍ୟସ୍ତ ହୋଇପଡୁଛନ୍ତି, ଶରୀର ଦୁର୍ବଳ ଲାଗୁଛି, ଚିଡ୍‌ଚିଡାପଣ ବୃଦ୍ଧି ପାଉଛି ଇତ୍ୟାଦି।
ନିକଟ ଅତୀତରେ ମୁଁ ଗୋଟିଏ ଗଁାକୁ ବୁଲିବାକୁ ଯାଇଥାଏ। ସେହି ଗଁାରେ ପ୍ରବେଶ ମାତ୍ରକେ ବିଦ୍ୟାଳୟ, ସବୁଜ ସୁନ୍ଦର ପରିବେଶ ମୋତେ ମୋହିତ କରୁଥାଏ। କିନ୍ତୁ ହଠାତ ନଜର ପଡ଼ିଲା ସେହି ବିଦ୍ୟାଳୟ ବାରଣ୍ଡାରେ ବସିଥିବା ୨୫ରୁ ୩୦ଜଣ ଯୁବକଙ୍କ ଉପରେ। ପ୍ରତ୍ୟେକଙ୍କ ହାତରେ ଥାଏ ମୋବାଇଲ। ସେମାନେ ସମସ୍ତେ ମୋବାଇଲ ଭିତରେ ଏମିତି ହଜିଯାଇଥାନ୍ତି ଯେ ତାଙ୍କ ପାଖରେ କିଏ ବସିଛି, କିଏ ଉଠି ଚାଲିଯାଉଛି ତାହା ଜାଣି ପାରୁନଥାନ୍ତି। କି ଦୟନୀୟ ଅବସ୍ଥା ସତେ! ଏତେ ଏକାଗ୍ରତା ଯଦି ଆମେ ସକାରାତ୍ମକ ଦିଗରେ ଉପଯୋଗ କରିଥାନ୍ତେ, ତେବେ ସଫଳତା ନିଶ୍ଚୟ ମିଳିଥାନ୍ତା।
ମୋବାଇଲ ଧରି ଧରି ଚୁଲିରେ କ୍ଷୀର ଉତୁରିପଶିଲେ ମାଆ ଜାଣୁନି। ଏପଟେ ଅନ୍‌ଲାଇନ ପାଠପଢ଼ା, ମୋବାଇଲ ଗେମ୍‌, କାର୍ଟୁନ ନିଶାରେ ଚୂର ହୋଇଥିବା ପିଲାଙ୍କ ବିଷୟରେ ଜାଣି ପଦକ୍ଷେପ ନେଲାବେଳକୁ ସୁଇସାଇଡ କରିବାର ଧମକ। ଆଉ ବାପାଙ୍କର ଇଣ୍ଟରନେଟ କଥା ଛାଡନ୍ତୁ ଫୋନ୍‌କଲ୍‌ ଆଟେଣ୍ଡ କରୁକରୁ ଦିନରାତି ଶେଷ। ଘରେ ଥିବା ଅଭିଜ୍ଞତାସମ୍ପନ୍ନ ବୟୋଜ୍ୟେଷ୍ଠ ଏଠି ଯେମିତି ଅଲୋଡା। ଏମାନେ ନା ମୋବାଇଲର ହେଲେ ନା ନିଜ ପରିବାର ଲୋକଙ୍କର। ପରିବାରରେ ବୃଦ୍ଧ ମାତାପିତାଙ୍କ ଦେଖାଶୁଣାରେ ଘଟୁଛି ଅବହେଳା। ସେମାନେ ଆଉ ଏକତ୍ର ହେବାର ନଁା ଧରୁନାହାନ୍ତିି। ସମ୍ମିଳିତ ପ୍ରୟାସଠାରୁ ଦୂରେଇଯାଉଛନ୍ତି। ଫଳରେ ସାମାଜିକ ବନ୍ଧନରେ ବନ୍ଧିତ ପରିବାର, ସାହିସାଙ୍ଗଙ୍କ ଭିତରେ ସମ୍ପର୍କ ରହୁନି। ଏଠି ମଣିଷ ଏକତ୍ର କିନ୍ତୁ ମନ ଛିନ୍‌ଛତ୍ର। ଏଥିପାଇଁ ଦୋଷ କାହାର? କ’ଣ ମୋବାଇଲର? ନା, ମୋବାଇଲ ଓ ଇଣ୍ଟରନେଟରେ ଅନେକ ଭଲକଥା ଉପଲବ୍ଧ ରହିଛି। ସେଥିରୁ ଜ୍ଞାନବିଜ୍ଞାନ, ଜଣାଅଜଣା, ଦେଶବିଦେଶର କଥା, ନୂତନ ଉଦ୍ଭାବନ ଇତ୍ୟାଦି ମଧ୍ୟ ଜାଣି ହେବ। ଇନ୍ଦ୍ରିୟ ନିୟନ୍ତ୍ରଣ ସହ ମୋବାଇଲ ସୁପରିଚାଳନାର ଦକ୍ଷତା ଆବଶ୍ୟକ। ବିଳାସସାମଗ୍ରୀ ଭାବରେ କେବଳ ମନୋରଞ୍ଜନ ବା ସମୟ କାଟିବା ପାଇଁ ଏହାର ମାତ୍ରାଧିକ ବ୍ୟବହାର ବ୍ୟକ୍ତି ଓ ଜାତି ପାଇଁ କାଳ ହେଉଛି। ଉତ୍ତରାଧିକାରୀମାନଙ୍କୁ ମୋବାଇଲର ନକାରାତ୍ମକ ପ୍ରଭାବଠାରୁ ଦୂରେଇ ନ ରଖିଲେ ଭବିଷ୍ୟତରେ ଆମେ ଓ ଆମ ଦେଶ ପଛୁଆ ହେବା ସହ ଆମ ଉତ୍ତରାଧିକାରୀଙ୍କ ଭବିଷ୍ୟତ ଅସ୍ବାସ୍ଥ୍ୟ, ଅଜ୍ଞାନତାରୂପୀ ଅନ୍ଧାରକୁ ଠେଲି ହୋଇଯିବ ଏଥିରେ ସନ୍ଦେହ ନାହିଁ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ- ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri