ହଜିନି ମଣିଷପଣିଆ

ରଂଜନ କୁମାର ଦାସ

 

କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ମଣିଷ-ମଣିଷଙ୍କ ଭିତରେ ସମ୍ପର୍କର ସୂତ୍ର କ୍ଷୀଣତର ହେଇହେଇ ଯାଉଚି। ମାସ ମାସ ଧରି କେହି କାହା ମୁହଁ ଦେଖିଲେ ନାହିଁ। କଥାବାର୍ତ୍ତା କମିଗଲା। କେହି କାହା କଥା ଶୁଣିବାକୁ ପାଇଲେ ନାହିଁ। ପାରସ୍ପରିକ ଆକର୍ଷଣ କମିଗଲା। ଆଗରୁ ଦେଖାହେଲେ ଲୋକେ କୋଳାକୋଳି ହଉଥିଲେ, ହାତ ମିଳାଉଥିଲେ। ଶାରୀରିକ ସ୍ପର୍ଶରେ ମଧ୍ୟ ଅନେକ ଆଶ୍ୱାସନା ମିଳିଥାଏ, ଯାହା ଏବେ ଦୁର୍ଲଭ। କେତେବେଳେ କିଏ ମରିଯାଉଛନ୍ତି ଜାଣିବାର ସୁଯୋଗ ମଧ୍ୟ ନାହିଁ। ଜାଣିବା ପରେ ମଧ୍ୟ ଶବାଧାରରେ ଫୁଲଟିଏ ଦେଇଯିବାକୁ ଲୋକେ ଡରୁଛନ୍ତି। ସ୍ବାର୍ଥପରତା ମଣିଷକୁ ସମ୍ପୂର୍ଣ୍ଣ ଆୟତ୍ତ କରୁଚି। କେହି କାହାକୁ ଧାରକରଜ ମାଗିବାକୁ ଗଲେ ବି ଭୟରେ ଆରଜଣକ ମନା କରିଦଉଚି। ଅସୁବିଧାରେ କେହି ପଡ଼ିଥିଲେ ବି ଆଶ୍ରୟ ଦବା ତ ଦୂରର କଥା, ପିଣ୍ଡା ମଧ୍ୟ ଚଢ଼େଇ ଦଉନାହାନ୍ତି।
ସମସ୍ତେ ବ୍ୟସ୍ତ ଯେ ଗୋଟେ ଖରାପ ସମୟ ଆସିଚି। ସମସ୍ତେ ଆଶା ହରେଇ ବସୁଛନ୍ତି ଯେ ଏ ଖରାପ ସମୟ ଏତେଶୀଘ୍ର ଯିବନି। ତଥାପି ତା’ରି ଭିତରେ ବଞ୍ଚତ୍ବାକୁ ହେବ। ଏ ସମୟ ମଣିଷକୁ ସମୟ ସମୟରେ ଖୁବ୍‌ ସ୍ବାର୍ଥପର କରିଦଉଚି। ଆତ୍ମକୈନ୍ଦ୍ରିକ କରିଦଉଚି। ଖବରକାଗଜ ଓ ଟେଲିଭିଜନରେ ଏ ଖରାପ ଖବର ସବୁ ପଢ଼ିପଢ଼ି ଜୀବନ ପ୍ରତି ଲୋକଙ୍କର ବୈରାଗ୍ୟ ଆସିଯିବା ଅସମ୍ଭବ ନୁହେଁ। ବାପ-ପୁଅ ଭିତରେ, ସ୍ବାମୀ-ସ୍ତ୍ରୀ ଭିତରେ ବି ସମ୍ପର୍କ ଆତ୍ମକୈନ୍ଦ୍ରିକ ହେଇ ରହିଯାଉଚି। କିଛି ମାସ ତଳେ ଖବରକାଗଜରେ ପଢ଼ିଥିଲି, ଭୋପାଳରେ ଜଣେ ଓକିଲ ମରିଗଲେ। ଅନ୍ତ୍ୟେଷ୍ଟିକ୍ରିୟାରେ ତାଙ୍କ ମୁହଁରେ ନିଆଁ ଦେବା ପାଇଁ ମଧ୍ୟ ତାଙ୍କ ପୁଅ ଗଲେନାହିଁ। କରୋନାର ଭୟ! ଏମିତି କି ବେଳେବେଳେ ଶୁଣିବାକୁ ମିଳୁଚି ଡାକ୍ତରଖାନାରେ ରୋଗୀ ମରିଗଲା ପରେ ତାଙ୍କ ଶବ ନେବାକୁ ଘରଲୋକ ଆସୁନାହାନ୍ତି। ଶବ ପଡ଼ିରହୁଚି। ମୁଁ ଯାଜପୁରରେ ଜିଲାପାଳ ଥିଲାବେଳେ ଦିନେ ଜଣେ ନର୍ସ ଆସି କହିଲେ, ସେ ଯେଉଁ ଘରେ ଭଡ଼ାରେ ରହୁଥିଲେ, ଘର ମାଲିକ ତାଙ୍କୁ ସେଠୁ ରାତାରାତି ବାହାରି ଯିବାକୁ ନୋଟିସ ଦେଇଛନ୍ତି ଏବଂ ନ ଗଲେ ଜିନିଷପତ୍ର ବାହାରକୁ ଫୋପାଡ଼ି ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି। କାରଣ ହେଲା, ସେ ନର୍ସ ଜଣକ କୋଭିଡ୍‌ ହସ୍ପିଟାଲ୍‌ରେ ଚାକିରି କରୁଥିଲେ। ଅବଶ୍ୟ ଘରମାଲିକଙ୍କୁ ଡାକି ଧମକେଇଲା ପରେ ସେ ସେଥିରୁ ନିବୃତ୍ତ ହେଲେ। ଗୋଟେ ଏକୁଟିଆ ଝିଅ ଘରଦ୍ୱାରଠୁ ଦୂରେଇ ଏକାକୀ ରହି କୋଭିଡ୍‌ ରୋଗୀଙ୍କ ସେବା କରୁଚି। ତାଙ୍କୁ ଧନ୍ୟବାଦ ଦେବା ବଦଳରେ ଯଦି ଘରମାଲିକ ତାକୁ ରାତାରାତି ଘରୁ ବାହାରିଯିବାକୁ କହିବେ, ତାହାଲେ କେତେ ବଡ଼ ନକାରାତ୍ମକ ବାର୍ତ୍ତାଟିଏ ସମାଜକୁ ନ ଯିବ? ଏସବୁ ଘଟଣା ଦେଖିଦେଖି, ଶୁଣିଶୁଣି ବେଳେବେଳେ ଲାଗୁଚି ମଣିଷ ଭିତରୁ ମଣିଷପଣିଆଟି ହଜିଯାଉଚି କି ଆଉ, ଯାହା ତାକୁ ଅନ୍ୟ ଜୀବଜନ୍ତୁଙ୍କଠାରୁ ଅଲଗା ପ୍ରତିପାଦିତ କରେ?
ଏଭଳି ସମୟରେ ମଧ୍ୟ ମଣିଷ ଭିତରେ ଲୁଚି ରହିଥିବା ମଣିଷପଣିଆ ମଝିରେ ମଝିରେ ଚକମକ କରିଉଠି ଆଶାର କିରଣ ବିଞ୍ଚତ୍ ଦଉଚି। ଏ ଦୁଃସମୟ ଭିତରେ କାହା କାହା ଭିତରେ ଲୁଚି ରହିଥିବା ଈଶ୍ୱର ଜାଗି ଉଠୁଛନ୍ତି। ଖବରକାଗଜରୁ ଏଇ କିଛି ଦିନ ତଳେ ପଢ଼ିଲି, ଅନୁଗୋଳ ଜିଲାର ଛେଣ୍ଡିପଦାରେ ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେଲା। କାନ୍ଧ ନ ମିଳିବାରୁ ବହୁ ସମୟ ଧରି ମୃତଦେହ ପଡ଼ିରହିଲା। ମାତ୍ର ସ୍ଥାନୀୟ ବିଡିଓ, ସରପଞ୍ଚ ଓ ନିର୍ବାହୀ ଅଧିକାରୀ ପିପିଇ କିଟ୍‌ ପରିଧାନ କରି ମୃତକଙ୍କ ଶବକୁ ଗଁା ଦାଣ୍ଡରେ କାନ୍ଧେଇ ନେଇଗଲେ ଗଁା ମଶାଣିକୁ ଏବଂ ତାଙ୍କର ଶବସତ୍କାର କଲେ। କିଛି ଦିନ ତଳେ କନ୍ଧମାଳ ଜିଲାରେ ମଧ୍ୟ ଅନୁରୂପ ଘଟଣାଟିଏ ଘଟିଥିଲା। କଳାହାଣ୍ଡି ଜିଲାର ମଦନପୁର ରାମପୁରର କୁଜାମହଲ ଗଁାରେ ଜଣେ କୋଭିଡ୍‌ ରୋଗୀଙ୍କ ପରିବାରର ପାଞ୍ଚଜଣ ସଦସ୍ୟଙ୍କୁ ଗ୍ରାମବାସୀ ଏକଘରିଆ କରିଥିଲେ। ସେମାନେ କୋଭିଡ୍‌ ଟେଷ୍ଟିଂ ପାଇଁ ଯିବାକୁ ମଧ୍ୟ ତାଙ୍କୁ କେହି ଗାଡ଼ି ଦେଇନଥିଲେ। ମଦନପୁର ରାମପୁର ବିଡିଓ ନିଜେ ଗାଡ଼ି ନେଇ ସେମାନଙ୍କୁ ଆଣି ଟେଷ୍ଟିଂ କରାଇଥିଲେ। ଖୁବ୍‌ ନିକଟରେ ମାଲକାନଗିରିର ପୋଲିସ ଏସ୍‌ଡିପିଓ ମଧ୍ୟ ଗୋଟିଏ ମୃତଦେହକୁ ନିଜ ହାତରେ ଉଠେଇ ତା’ର ଅନ୍ତ୍ୟେଷ୍ଟିକ୍ରିୟା କରିଥିଲେ। ସେଇଭଳି ଅନେକ ପୋଲିସ ଅଫିସର, ଡାକ୍ତର ଓ ନର୍ସ ତାଙ୍କ ପିଲାଛୁଆ, ପରିବାରକୁ ପଛକୁ କରି ଲୋକଙ୍କ ସେବାପାଇଁ ଆଗକୁ ବାହାରିଥିଲେ। ଶୁଣିଥିଲି ଓଡ଼ିଶାର କୌଣସି ଜଣେ ଡାକ୍ତର ନିଜ ବାପାଙ୍କ ଶେଷକୃତ୍ୟ ସାରି ତା’ ପରଦିନ ରୋଗୀସେବାରେ ଯୋଗ ଦେଇଥିଲେ। ଏମାନଙ୍କୁ ଯେତେ ପ୍ରଶଂସା କଲେ ବି ତାହା କମ୍‌ ହେବ। ଅନେକ ସମୟରେ ଲୋକେ ଭାବନ୍ତି ପ୍ରଶାସନରେ ଥିବା ଲୋକମାନେ କଠିନ ମନୋଭାବର ଏବଂ ହୃଦୟହୀନ। ସେମାନେ ସହଜେ କାହା କଥା ଶୁଣନ୍ତିନି। ମାତ୍ର ସବୁ ସରକାରୀ କର୍ମଚାରୀ ଖରାପ ବି ନୁହନ୍ତି। ତାଙ୍କ ଭିତରୁ ଯୋଉମାନେ ଭଲକାମ କରୁଛନ୍ତି ତାଙ୍କୁ ପ୍ରଶଂସା କରିବାରେ ବାଧା କୋଉଠି? କେରଳର ଆଲାପୂଜା ଜିଲାରେ କୋଭିଡ୍‌ କେୟାର ସେଣ୍ଟରରେ ଜଣେ ରୋଗୀଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରେ କର୍ମରତ ଦୁଇଜଣ କର୍ମଚାରୀ ଆମ୍ବୁଲାନ୍ସ ନ ପାଇ ଶେଷରେ ପିପିଇ କିଟ୍‌ ପିନ୍ଧି ନିଜ ବାଇକ୍‌ରେ ବସାଇ ରୋଗୀଙ୍କୁ ୧୦୦ କିମି ଦୂରରେ ଥିବା କୋଭିଡ୍‌ ହସ୍‌ପିଟାଲକୁ ବୋହି ନେଇ ବେଶ୍‌ ପ୍ରଶଂସା ସାଉଁଟିଛନ୍ତିି।
ଖାଲି ସରକାରୀ କର୍ମଚାରୀ ନୁହନ୍ତି, ଅନେକ ବ୍ୟକ୍ତିବିଶେଷ ଓ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଖୁବ୍‌ ମାନବିକତାର ପ୍ରଦର୍ଶନ କରିଛନ୍ତି ଏହି ସମୟରେ। ପ୍ରଥମ ଲହର ସମୟରେ ମୁଁ ଯାଜପୁରରେ ଦେଖିଚି ଅନେକ ଯୁବକ ସଂଘର ଯୁବକ ସଦସ୍ୟମାନେ ନିଜ ସଞ୍ଚତ୍ତ ଅର୍ଥରେ ହେଉ ବା ସଂଗୃହୀତ ଅର୍ଥରେ ହେଉ, ଖାଦ୍ୟ ରାନ୍ଧି ପଥଶ୍ରାନ୍ତ ଦୂରାଗତ ଶ୍ରମିକମାନଙ୍କୁ ଯୋଗାଉଥିଲେ। ନିପଟ ମଫସଲରେ ଥିବା ଆଦିବାସୀ ହରିଜନ ଓ ବଞ୍ଚତ୍ତ ବର୍ଗର ଲୋକମାନଙ୍କ ପାଖରେ ମଧ୍ୟ ରନ୍ଧାଖାଦ୍ୟ ପହଞ୍ଚା ଯାଉଥିଲା। ଛୋଟ ପିଲାଙ୍କ ପାଇଁ କେହିକେହି ବିସ୍କୁଟ୍‌, ଫଳ, ଅମୂଲ ଆଦି ମଧ୍ୟ ପହଞ୍ଚାଉଥିଲେ। କେହି ମାସ୍କ, ସାନିଟାଇଜର, ପିପିଇ କିଟ୍‌ ବାଣ୍ଟୁଥିଲେ ତ କୌଣସି କୌଣସି ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ସଂସ୍ଥା କୋଭିଡ୍‌ କେୟାର ସେଣ୍ଟର ଓ ହସ୍ପିଟାଲ ଗଠନ ପାଇଁ ଅର୍ଥ ସହାୟତା ମଧ୍ୟ ପ୍ରଦାନ କରୁଥିଲେ। କିଛି ସରପଞ୍ଚ ମଧ୍ୟ ସେ ସମୟରେ ଘରକୁ ନଯାଇ ଦିନରାତି କୋଭିଡ୍‌ କେୟାର ସେଣ୍ଟର ବା ଟିଏମ୍‌ସି (ଟେମ୍ପରାରି ମେଡିକାଲ କ୍ୟାମ୍ପ)ରେ ପଡ଼ିରହି ଲୋକଙ୍କ ପାଇଁ ନିଃସ୍ବାର୍ଥପର ସେବା ଯୋଗାଉଥିଲେ। ବଡ଼ଚଣା ବ୍ଲକର ସୋଲର ବୋଲି ଗୋଟେ ଜାଗାରେ ପାଇଖାନା ସଫା କରିବା ପାଇଁ ମେହେନ୍ତର ନ ମିଳିବାରୁ ସରପଞ୍ଚ ନିଜେ ଯାଇ ରୋଗୀଙ୍କ ପାଇଖାନା ସଫା କରିଥିଲେ। ଏଇ ଦିନେ ଦି’ଦିନ ତଳେ ବାଲିଅନ୍ତା-ବାଳକାଟୀର ରଙ୍ଗଣୀସାହିରେ ମଧ୍ୟ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାର ପରିଜନ ଭୟରେ ଶବ ଉଠାଇଲେ ନାହିଁ। କିଛି ସ୍ଥାନୀୟ ଖବରଦାତା ଓ ପୋଲିସ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ଶବସତ୍କାର କରାଗଲା। ଏମାନେ ରକ୍ତର ନ ହେଇ ବି ଆହୁରି ନିଜର ନୁହନ୍ତି କି? ପ୍ରଥମ ଲହର କୋଭିଡ୍‌ ସମୟରେ ମୋର ମନେପଡୁଚି ସାବିତ୍ରୀ ଓଷା ପଡ଼ିଥିଲା। ସେଇ ସମୟରେ କୌଣସି ଏକ ପଞ୍ଚାୟତ ଟିଏମ୍‌ସିରେ ମହିଳାମାନଙ୍କୁ ସାବିତ୍ରୀ ଓଷା କରିବାକୁ ମଧ୍ୟ ଜଣେ ସରପଞ୍ଚ ଫଳମୂଳ ଓ ଓଷା ବହି ଆଦି ଆଣି ଯୋଗେଇ ଦେଇଥିଲେ। କଟକ ଜିଲାର ଜଣେ ସରପଞ୍ଚ ରଜ ବେଳକୁ ଯୋଉ ରୋଗୀମାନେ ଭଲ ହେଇ ଘରକୁ ଫେରିଲେ, ତାଙ୍କୁ ଫଳମୂଳର ଏକ ପ୍ୟାକେଟ୍‌ କରି ରଜଭାର ଦେଲା ଭଳି ବିଦା କଲେ। ଏସବୁ ରୋଗୀମାନଙ୍କ ଭିତରେ ଏକ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାରେ ସାହାଯ୍ୟ କଲା। ଫଳରେ ସେଇ ରୋଗୀମାନଙ୍କ ଭିତରୁ କିଛି ଲୋକଙ୍କୁ ଯେତେବେଳେ ପ୍ଲାଜ୍‌ମା ଦାନ ପାଇଁ ଅନୁରୋଧ କରାଯାଇ ଥିଲା, ସେମାନେ ହସହସ ମୁହଁରେ ଉତ୍ସାହର ସହ ଆସିଥିଲେ ପ୍ଲାଜ୍‌ମା ଦାନ କରି ଅନ୍ୟକୁ ବଞ୍ଚାଇବା ପାଇଁ। କିଛି ଦୁଃସ୍ଥ କଳାକାର ତାଙ୍କ ଭତ୍ତାଟଙ୍କା ଆଣି ମୋ ପାଖରେ ଦେଇଥିଲେ କୋଭିଡ୍‌ ପାଣ୍ଠିକୁ ଯୋଗଦାନ ରୂପେ। ବରୀ ବ୍ଲକ୍‌ରେ ଚାଳଘର ସାହିତ୍ୟ ସଂସଦ ନାମରେ ଏକ ଛୋଟ ଦୁଃସ୍ଥ ସାହିତ୍ୟାନୁଷ୍ଠାନ ଅଛି। ଅନ୍ୟମାନେ ଅନୁଦାନ ମାଗୁଥିଲା ବେଳେ ସେମାନେ କୋଭିଡ୍‌ ରୋଗୀଙ୍କ ସାହାଯ୍ୟାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ପାଇଁ ସଂଗ୍ରହ କରି ଦେଇଥିଲେ ଏକାବନ ହଜାର ଟଙ୍କା। ଏବେ ବି ଆମେ କ’ଣ ଭାବିବା ଯେ ମଣିଷ ଭିତରୁ ମଣିଷପଣିଆ ସମ୍ପୂର୍ଣ୍ଣ ହଜିଯାଇଚି? କିଛି ଭଲ ଲୋକ ଅଛନ୍ତି ବୋଲି ଏ ଧରା ଚାଲିଚି। ସେମାନଙ୍କ ପୁଣ୍ୟଫଳରୁ ଅନ୍ୟମାନେ ସୁଖଶାନ୍ତିରେ ଅଛନ୍ତି। ପୁଣ୍ୟ ଅର୍ଜିବା କଷ୍ଟ କାମ ହେଇପାରେ, ମାତ୍ର ମଣିଷପଣିଆ ନ ଥିଲେ ଏସବୁ କାମ କରିବାକୁ ଏମାନେ ଅଣ୍ଟା ଭିଡ଼ି ବାହାରିନଥାନ୍ତେ। ଅନ୍ୟ ସମସ୍ତଙ୍କ ଭଳି ଏମାନେ ମଧ୍ୟ ନିଜ ଘରର ନିରାପଦ ବଳୟ ଭିତରେ ଲୁଚି ରହିଥାଆନ୍ତେ। ସେମାନେ ବି ଯଦି ଭାବିଥାଆନ୍ତେ ଯେ ଆପେ ବଞ୍ଚତ୍ଲେ ବାପର ନାଁ, ତେବେ ତ କଥା ସରିଥିଲା। ମାତ୍ର ନା, ସେମାନେ ସେତିକିରେ ଅଟକିଗଲେ ନାହିଁ। ଅଣ୍ଟାରେ ଗାମୁଛା ଭିଡ଼ି ବାହାରିଲେ ଏବଂ କିଛି କଲେ। ସାରା ଦୁନିଆକୁ ଜଣେଇଦେଲେ ଯେ ଅଭାବ ସବୁବେଳେ ସ୍ବଭାବ ନଷ୍ଟ କରେ ନାହିଁ। ବରଂ ଅଗ୍ନିରେ ଜଳିଲେ ହିଁ ସୁବର୍ଣ୍ଣ ଆହୁରି ଶୁଦ୍ଧ ହେଇ ପ୍ରକଟ ହୁଏ। ସେଇ ଶୁଦ୍ଧ ସୁବର୍ଣ୍ଣ ପ୍ରତିମାମାନଙ୍କ ପ୍ରତି ଏ ଲେଖକର ଓ ସାରା ସମାଜର ଶ୍ରଦ୍ଧା ଏବଂ ସମ୍ମାନ ଅତୁଟ ରହିବ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ-୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri