Categories: ଖେଳ

ଅଶ୍ୱିନଙ୍କ ସପକ୍ଷରେ ହଗ୍‌

ସିଡ୍‌ନୀ, ୨ା୩ (ପି.ଟି.)- ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବର୍ତ୍ତମାନ ଯେପରି ଖେଳୁଛନ୍ତି ତାଙ୍କୁ ପୁନର୍ବାର ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯିବା ଉଚିତ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଲ୍‌ରାଉଣ୍ଡର ବ୍ରାଡ୍‌ ହଗ୍‌ ମତ ଦେଇଛନ୍ତି। ଅଶ୍ୱିନ ଉଇକେଟ ନେବା ସହ ଭଲ ବ୍ୟାଟିଂ ମଧ୍ୟ କରୁଛନ୍ତି। ତାଙ୍କୁ ଦଳରେ ସାମିଲ କରାଗଲେ ଭାରତର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ। ଟପ୍‌ ଅର୍ଡର ଖେଳାଳିମାନେ ଆକ୍ରମଣାତ୍ମକ ଖେଳିପାରିବେ। ଟୁଇଟରରେ ଜଣେ ସମର୍ଥକଙ୍କ ପ୍ରଶ୍ନର ଉତ୍ତରରେ ସେ ଏକଥା କହିଛନ୍ତି। ଅଶ୍ୱିନ ଇତିମଧ୍ୟରେ ୭୭ ଟେଷ୍ଟ ବ୍ୟତୀତ ୧୧୧ ଅନ୍ତର୍ଜାତୀୟ ଦିନିକିଆ ଏବଂ ୪୬ ଅନ୍ତର୍ଜାତୀୟ ଟି୨୦ ଖେଳି ସାରିଛନ୍ତି। କିଛିବର୍ଷ ହେଲା ତାଙ୍କୁ ସୀମିତ ଓଭର କ୍ରିକେଟରୁ ବାଦ ଦିଆଯାଇଛି। ସେ ଶେଷଥର ଏକ ଅନ୍ତର୍ଜାତୀୟ ଦିନିକିଆ ୨୦୧୭ ଜୁନ୍‌ରେ ଖେଳିଥିଲେ। ଗତ ସପ୍ତାହରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଏବଂ ଚଳିତବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ବିଜୟରେ ଏହି ୩୪ ବର୍ଷୀୟ ଖେଳାଳିଙ୍କ ବିଶେଷ ଭୂମିକା ରହିଥିଲା। ୪୦୦ ଟେଷ୍ଟ ଉଇକେଟ ଅକ୍ତିଆର କରିବାରେ ସେ ଚତୁର୍ଥ ଭାରତୀୟ ଖେଳାଳି ହୋଇପାରିଛନ୍ତି। ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜରେ ଆୟୋଜକ ଦଳ ୨-୧ରେ ଅଗ୍ରଣୀ ଲାଭ କରିଛି। ଅହମଦାବାଦଠାରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ଟେଷ୍ଟ ସିରିଜ ପରେ ଦୁଇ ଦଳ ୫ ଅନ୍ତର୍ଜାତୀୟ ଟି୨୦ ଏବଂ ୩ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବେ।

Share