ଦର୍ଶନ ବ୍ୟବସ୍ଥା କେତେ ବ୍ୟବସ୍ଥିତ

ଗାୟତ୍ରୀ ସିଂହ

 

ଜଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତ। ସେ ଜଗତର ଠାକୁର, ଭକତର ଠାକୁର, ସମଗ୍ର ବିଶ୍ୱର ଠାକୁର। ତାଙ୍କ ଲୀଳା ଅପାର। ତାଙ୍କର କାଣିଚାଏ ନର୍ମାଲ୍ୟ ପାଇବା ପାଇଁ ସାରା ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନଙ୍କର ସୁଅ ଛୁଟିଥାଏ ଶ୍ରୀକ୍ଷେତ୍ର ପୁରୀ ଧାମକୁୁ। କୁହାଯାଏ ମହାପ୍ରଭୁଙ୍କ ଡୋରି ନ ଲାଗିଲେ ତାଙ୍କୁ ଦର୍ଶନ କରିହୁଏ ନାହିଁ। ପୁରୀ ନାଁ ଶୁଣିଲେ ପ୍ରତ୍ୟେକ ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ ଭାବ ବିହ୍ବଳରେ ଆବେଗ ଖୁସି ଦ୍ବିଗୁଣିତ ହୋଇଯାଏ। ଅନେକ ଆଶା ବିଶ୍ୱାସ ଭରସା ଓ ଭକ୍ତିଭାବର ମନଟିଏ ନେଇ ଭକ୍ତର ଆଗମନ ହୋଇଥାଏ। ହେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଥିବା ବ୍ୟବସ୍ଥାରେ ମନ ଊଣା ହୋଇଯାଏ। ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଆହୁରି ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ମନେହୁଏ। ଏଇ ଜୁନ୍‌ ୪/୫ ତାରିଖର କଥା। ମୁଁ ପୁରୀ ଯାଇଥିଲି ମହାପ୍ରଭୁଙ୍କ ଦର୍ଶନ ପାଇଁ। ମାତ୍ର ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଦେଖିବା ପରେ ସ୍ବତଃ ମନରେ ଜାଗି ଉଠିଲା ଏ ବିଷୟରେ କିଛି ଲେଖିବା ପାଇଁ। ପ୍ରଶାସନ ଓ ପୋଲିସଙ୍କୁ ଜାଗ୍ରତ କରିବାର ଛୋଟିଆ ପ୍ରୟାସଟିଏ କରିଛି। ପ୍ରଥମତଃ ଦର୍ଶନ ପାଇଁ ଅପେକ୍ଷାରୁ ଆରମ୍ଭ କରୁଛି। ଦର୍ଶନ ଅପେକ୍ଷାରତ ପ୍ରତ୍ୟେକ ଭକ୍ତଙ୍କ ମୁଖର ଭାବକୁ ଦେଖିଛି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଆବେଗ। ପର ମୁହୂର୍ତ୍ତରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଥିବା ବେଳର ଦୃଶ୍ୟ ବର୍ଣ୍ଣନା ନ କରିବା ଉଚିତ ମନେ କରୁଛି। ତିରୁପତିରେ ଶ୍ରୀବାଲାଜୀଙ୍କ ଦର୍ଶନ ବ୍ୟବସ୍ଥାକୁ ଅନୁକରଣ କରାଯାଉଥିବାର ମନେହୁଏ କିନ୍ତୁ ସେ ବ୍ୟବସ୍ଥା ଯେପରି ଏଠି ବିଫଳ ହୋଇଛି। ତିରୁପତି ପରି ଭକ୍ତମାନଙ୍କୁ ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରାଗଲେ ସମସ୍ତେ ଶୃଙ୍ଖଳିତ ଭାବରେ ଦର୍ଶନ କରିପାରନ୍ତେ। ହେଲେ ପୁରୀରେ ଏକାଥରକେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ି ଦିଆଯାଉଛି। ଫଳତଃ ଠେଲାପେଲା, ଧସ୍ତାଧସ୍ତିରେ କେହି ଆଉ ପାଦରେ ଚାଲୁ ନ ଥିବାର ଅନୁଭବ ହୁଏ। ବିଶାଳ ଜନସମୁଦ୍ରରେ ଠେଲି ହୋଇ ହୋଇ ଆଗକୁ ମାଡ଼ିଯାଉଛନ୍ତି। ସୌଭାଗ୍ୟବଶତଃ ଦର୍ଶନ ମିଳିଥାଏ, କିନ୍ତୁ ଜଗନ୍ନାଥଙ୍କର ଅଧା ଆଖି, ଅଧା ମୁହଁ, ଅଧା ଓଠ ଦେଖି ଫେରିଥିବାର ଶୁଣାଯାଏ। ଭକ୍ତଟିଏ ଯେଉଁ ଭକ୍ତି ଭାବର ମନଟିଏ ନେଇ ଯାଇଥିବ ଏଭଳି ଦର୍ଶନରେ ଭିଡ଼ ଭିତରୁ ନିଜକୁ ମୁକୁଳାଇବାର ଚେଷ୍ଟା କରୁ କରୁ ଭକ୍ତିରେ ଦୁଇ ହାତ ଉପରକୁ ଟେକି ଦେଇ ଜୟ ଜଗନ୍ନାଥ କହି ନିଜକୁ ସମର୍ପି ଦେଇ ଫେରି ଆସିଥାଏ। ବୃଦ୍ଧ, ବୃଦ୍ଧା, ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରଭୁଙ୍କ ଦର୍ଶନ ଯେପରି ଅସମ୍ଭବ ମନେହୁଏ। ଘର ଲୋକମାନେ ଏଭଳି ଭିଡ଼ ଭିତରେ ବୟୋଜ୍ୟେଷ୍ଠମାନଙ୍କୁ ଦର୍ଶନ କରାଇବା ପାଇଁ ଭୟ ମଧ୍ୟ କରୁଛନ୍ତି। ଭିଡ଼ ଭିତରେ ଠେଲାଠେଲିରେ ଅକସ୍ମାତ ଯଦି ଜଣେ ଖସିପଡ଼େ ତା’ ହେଲେ ତା’ର ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଭିତରେ ସଂଘର୍ଷ ପରେ ଯଦି ସେ କାଳିଆଙ୍କୁ ମନ ସନ୍ତୋଷରେ ଟିକେ ଦର୍ଶନ ନ ପାଏ ମନ ଊଣା ହୋଇଯାଏ, ଯେମିତି ମୁଁ ଅନୁଭବ କରିଛି। ଏଣୁ ଏକାଥରକେ ଶହ ଶହ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ନ ଯାଇ ପୋଲିସ ଉପସ୍ଥିତିରେ ନିୟନ୍ତ୍ରିତ ଭାବରେ ଗୋଟିଏ ଧାଡ଼ିରେ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉ, ଯେପରି ବ୍ୟବସ୍ଥା ତିରୁପତିରେ ହୋଇଛି।
ମନ୍ଦିରରେ ପୂଜକ ସେବାୟତ ରହିବେ, ସେମାନେ ହେଉଛନ୍ତି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମାଧ୍ୟମ ବୋଲି କୁହାଯାଏ। ଭକ୍ତଙ୍କ ପୂଜା ନୈବେଦ୍ୟ ଜଣାଣ ଠାକୁରଙ୍କ ପାଖରେ ସମର୍ପଣ କରିବାର ଭୂମିକା ନେଇଥାନ୍ତି ପୂଜକ। ଏଥିପାଇଁ ଭକ୍ତ ପୂଜକଙ୍କୁ ଦକ୍ଷିଣା ଆକାରରେ କିଛି ଅର୍ଥ ରାଶି ଦେଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି। କିନ୍ତୁ ଏଠି ଦର୍ଶନ କରାଇଦେବା ନାମରେ ଭକ୍ତମାନଙ୍କଠାରୁ ଅର୍ଥ ଆଦାୟ ଦୃଶ୍ୟ ପ୍ରାୟ ସମସ୍ତେ ଜାଣିଥିବେ, ଦେଖିଥିବେ। ସମାନ୍ୟ ବ୍ୟତିକ୍ରମ ହେଲେ ତାଙ୍କର ଉଚ୍ଚାରଣ ଓ ଆଚରଣ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହୋଇଯାଏ। ବିଭିନ୍ନ ପ୍ରକାର ଭାଷା ସେମାନଙ୍କ ମୁହଁରୁ ଶୁଣିବାକୁ ମିଳେ। ଭକ୍ତ କ’ଣ ଯାଇଥାଏ ଗାଳି ଶୁଣିବା ପାଇଁ। ଭକ୍ତଟିଏ ଦୂରଦୂରାନ୍ତରୁ ବ୍ୟୟବହୁଳ ଯାତ୍ରା କରିଆସିଥାଏ। ଯଦି ଅର୍ଥ ଦାବି ପୂରଣ କରି ନ ପାରିଲା ତା’ହେଲେ ଆଶୀର୍ବାଦର ଶ୍ଳୋକ ପରିବର୍ତ୍ତେ ଅଭିଶାପର ଗାଳି ଶୁଣିବାକୁ ମିଳିଥାଏ। ସେହିପରି ଅନ୍ୟ ଏକ ପ୍ରସଙ୍ଗ ହେଲା ମନ୍ଦିର ପରିସରରେ ପାନଛେପ ପଡ଼ିଥିବାର। ମନ୍ଦିର କାନ୍ଥରେ ସ୍ପଷ୍ଟ ଭାବରେ ଲେଖାଯାଇଥାଏ ମନ୍ଦିର ପରିସରରେ ପାନଛେପ ପକାନ୍ତୁ ନାହିଁ। ଏହା କାହା ପାଇଁ ଲେଖାଯାଇଛି। ଭକ୍ତମାନେ ଭକ୍ତିର ସହିତ ଶୁଦ୍ଧପୂତ ଭାବରେ ସ୍ନାନ ସାରି ପୁନଃ ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ହାତ ଗୋଡ଼ ମୁହଁ ଧୋଇ ଯାଇଥାନ୍ତି। ମନ୍ଦିର ପରିସରରେ ପାନଛେପ କିଏ ପକାଉଛି ସହଜରେ ବାରି ହୋଇପଡୁଛି।
ଶେଷ ପ୍ରସଙ୍ଗଟି ହେଲା ଭିକାରି। ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରିବା ନିଷେଧ ବୋଲି ଲେଖାଯାଇଛି। ହେଲେ ଭିକାରି କେତେଜଣଙ୍କୁ ଭିକ୍ଷା ମାଗୁଥିବାର ଦେଖିଲି। ସେମାନେ ମୋ ଆଡକୁ ହାତ ବଢ଼ାଇବାରୁ ମନ୍ଦିର ଭିତରେ ଭିକ୍ଷା କରିବା ମନା ବୋଲି କହିବାରୁ ତାଙ୍କଠାରୁ ଅଜସ୍ର ଗାଳି ଶୁଣିବାକୁ ମିଳିଥିଲା। ମନ୍ଦିର ପ୍ରଶାସନ ଓ ପୋଲିସ ସବୁ ଜାଣି ସୁଦ୍ଧା ନୀରବଦ୍ରଷ୍ଟା କାହିଁକି । ସେହିପରି ମନ୍ଦିର ପରିସରରେ ବିକ୍ରି ହେଉଥିବା ଦୀପ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଦରରେ ଭକ୍ତମାନେ କିଣୁଛନ୍ତି। ମୁଁ ଗୋଟିଏ ବାକ୍ୟରେ କହିବି ଭକ୍ତି ନାଁରେ ଭକ୍ତର ଭାବପ୍ରବଣତାକୁ ସମ୍ମାନ ଦିଆଯାଉନାହିଁ। ପ୍ରଶାସନ ହେଉ କି ପୋଲିସ ଦ୍ୱାରା ସମସ୍ୟାକୁ ସମୀକ୍ଷା କରାଯାଇ ପ୍ରତିକାର କରାଯାଉ। ଆଗକୁ ମହାପ୍ରଭୁଙ୍କର ଘୋଷଯାତ୍ରା ଆସୁଛି। ଭକ୍ତମାନଙ୍କୁ ଯେପରି ନିରାଶ ହେବାକୁ ନ ପଡ଼େ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେପରି ପ୍ରତିବନ୍ଧକ ସୃଷ୍ଟି ନ ହୁଏ। ବିଶୃଙ୍ଖଳା ଓ ଅବ୍ୟବସ୍ଥା ମଧ୍ୟରେ ଭକ୍ତ ଯେପରି ଶୋଷଣର ଶିକାର ନ ହୁଅନ୍ତି। ଏତେସବୁ ଘଟଣାର ଅବତାରଣା କେବଳ ସଚେତନତା ଉଦ୍ଦେଶ୍ୟରେ ।
ଭକ୍ତମାନଙ୍କ ସୁବିଧା ପାଇଁ ପ୍ରଚଳିତ ଦର୍ଶନ ବ୍ୟବସ୍ଥାରେ ଥିବା ନୀତି ନିୟମରେ କିଛି ପରିବର୍ତ୍ତନ ହୋଇପାରିଲେ ଜଗନ୍ନାଥ ସଂସ୍କୃତିର ମହାନ ପରମ୍ପରା ଉଜ୍ଜୀବିତ ହୋଇ ରହିବ ଏବଂ ଦେଶ ବିଦେଶରୁ ଆସୁଥିବା ଭକ୍ତ ତଥା ପର୍ଯ୍ୟଟକମାନେ ଏକ ସୁନ୍ଦର ଅନୁଭୂତି ନେଇ ଫେରିପାରିବେ।
ଆଠମଲ୍ଲିକ, ଅନୁଗୋଳ
ମୋ: ୭୬୦୬୯୫୭୪୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

ସୁରକ୍ଷାର କବଚ ବିକାଶ

ଆଲେକ୍‍ଜାଣ୍ଡର ଡି କ୍ରୁ ଚଳିତ ବର୍ଷ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଭୂରାଜନୈତିକ ସ୍ଥିତି, ପ୍ରଭାବର କ୍ଷେତ୍ର, ନାଟୋର ଭବିଷ୍ୟତ ତଥା ପ୍ରତିରକ୍ଷା ବଜେଟ ସମ୍ପର୍କରେ ବିସ୍ତୃତ ଆଲୋଚନା…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri