ସ୍ୱାସ୍ଥ୍ୟକ୍ଷେତ୍ର କେତେ ଅସୁସ୍ଥ

ଡ. ସନ୍ତୋଷ କୁମାର ମହାପାତ୍ର

 

 

ପ୍ରତିଦିନ ପରି କିଛିଦିନ ତଳେ ନିଜ ନିତ୍ୟକର୍ମ ସାରି ସକାଳୁ ପୋର୍ଟିକୋ ତଳକୁ ପେପର ଆଣିବା ପାଇଁ ଗଲାବେଳକୁ ଦେଖିଲି ପେପର ନାହିଁ। ପେପର ଦେଉଥିବା ଲୋକଟିକୁ ଫୋନ୍‌ କରିବାରୁ ଫୋନ୍‌ ଲାଗିଲା ନାହିଁ। ପରେ କାରଣ କ’ଣ ଜାଣିବା ପାଇଁ ଚେଷ୍ଟା କରିବାରୁ ଆମ ଘରପାଖ ମାଉସୀ କହିଲେ ଯେ ସେ ପିଲା ଗତକାଲି ରାତିରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଛି। ପୁଣି ସେ କହିଲେ ତା’ର ଉଚ୍ଚ ରକ୍ତଚାପ ବହୁ ଅଧିକ ଥିଲା ଏବଂ ସେ ଔଷଧ ଖାଉ ନ ଥିଲା। ଏହିପରି ମଧ୍ୟ ତା’ ମାମୁ ଆଗରୁ ପେପର ଦେଉଥିଲେ ଏବଂ ସେ ଔଷଧ ନ ଖାଇ ମଧ୍ୟ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ପରେ ଖବରକାଗଜରେ ପଢ଼ିବାକୁ ପାଇଲି ଯେ ସେହି ଲୋକଟି ଛାତିରେ ଯନ୍ତ୍ରଣା ଯୋଗୁ ବଡ଼ ହସ୍ପିଟାଲ ଯାଇଥିଲା। ସେଠାରେ ଭିଡ଼ ଯୋଗୁ ଲାଇନ୍‌ରେ ଠିଆ ହେବା ସମୟରେ ତୁରନ୍ତ ଚିକିତ୍ସା ଅଭାବ ଯୋଗୁ ସେ ଟଳିପଡ଼ିଲା।
ଏକଥା ସତ୍ୟ ଯେ ଜନ୍ମ ଓ ମୃତ୍ୟୁ କାହା ହାତରେ ନାହିଁ। ମୃତ୍ୟୁ ଚିରନ୍ତନ ସତ୍ୟ। ରାଜା ହେଉ ବା ଗରିବ, ମୃତ୍ୟୁର ସମସ୍ତଙ୍କୁ ଛୁଇଁବ। କିନ୍ତୁ ଏହିପରି ଅନେକ ମୃତ୍ୟୁ ଘଟୁଛି, ଯାହାକୁ ଠିକ୍‌ ସମୟରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ବା ଠିକ୍‌ ସମୟରେ ଔଷଧ ସେବନ ଦ୍ୱାରା ଏଡ଼େଇ ଦେଇହେବ। ମୃତ୍ୟୁ ସବୁବେଳେ ସ୍ବାଭାବିକ୍‌ ହେଉ। ଆମ ମତରେ କେବଳ ଉଚ୍ଚ ରକ୍ତଚାପ ଔଷଧ ନିୟମିତ ସେବନ ନ କରିବା ଯୋଗୁ ଦେଶରେ ଲକ୍ଷ ଲକ୍ଷ ଲୋକ ମସ୍ତିଷ୍କାଘାତ ଯୋଗୁ ଅକର୍ମଣ୍ୟ ହେଉଛନ୍ତି ବା ମୃତ୍ୟୁବରଣ କରୁଛନ୍ତି। କିଛି ବ୍ୟକ୍ତି ଜାଣିଶୁଣି ଔଷଧ ଖାଉନାହାନ୍ତି ବା ଅର୍ଥ ଅଭାବରୁ ଔଷଧ ଖାଉନାହାନ୍ତି। ଦେଶରେ ଯେତେବେଳେ ଅମୃତବେଳା, ଅଛେଦିନ୍‌ ଆସିଛି ବୋଲି କୁହାଯାଉଛି, ଯୋଗ ଦିବସ ପାଳନ ହେଉଛି, ବିଭିନ୍ନ ସ୍ବାସ୍ଥ୍ୟ ବୀମା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚଳନ କରିଛନ୍ତି, ସେତେବେଳେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହୋଇ ଅସମୟରେ ମୃତ୍ୟୁବରଣ କାହିଁକି କରୁଛନ୍ତି? ଅସମୟରେ ଯେଉଁ ଲୋକଙ୍କ ମୃତ୍ୟୁ ଘଟୁଛି, ସେଥିପାଇଁ କିଏ ଦାୟୀ । କିନ୍ତୁ ଗୋଟିଏ ପରିବାରର ରୋଜଗାର କରୁଥିବା ଲୋକଟି ମୃତ୍ୟୁବରଣ କଲେ ସେହି ପରିବାର କିପରି ଭୟଙ୍କର ସମସ୍ୟାର ସମ୍ମୁଖୀନ ହୋଇଥାଏ ତାହା ଧନୀ, ଶାସକ ଶ୍ରେଣୀ ବୁଝିପାରିବେ ନାହିଁ। ସେହି ସମସ୍ୟା ଜିଡିପି ଆକଳନ ବେଳେ ବିଚାରକୁ ନିଆଯାଏନାହିଁ।
ଭାରତର ସ୍ବାସ୍ଥ୍ୟ କ୍ଷେତ୍ର ସର୍ବାଧିକ ଘରୋଇ କ୍ଷେତ୍ର ଦ୍ୱାରା ନିୟନ୍ତ୍ରିତ। ସ୍ବାସ୍ଥ୍ୟ ବୀମାର ଉଦ୍ଦେଶ୍ୟ ଥିଲା ଲୋକେ ହାତରୁ ବା ନିଜ ପକେଟ୍‌ରୁ କମ୍‌ ବ୍ୟୟ କରିବେ। ଯଦିଓ ଏଥିରେ ସାମାନ୍ୟ ହ୍ରାସ ପାଇଛି ତାହାର କାରଣ ହେଲା ଧନୀ ଓ ଚାକିରିଆ ଲୋକ, ବିଭିନ୍ନ ସ୍ବାସ୍ଥ୍ୟ ବୀମା ଓ ମେଡିକ୍ଲେମ୍‌ ଯୋଗୁ ଘଟିଛି। କିନ୍ତୁ ଯେଉଁ ପ୍ରିମିୟମ୍‌ ଦେଉଛନ୍ତି ତାହା ସ୍ବାସ୍ଥ୍ୟ ବ୍ୟୟ ସହିତ ମିଶାଇବା ଉଚିତ୍‌। ସ୍ବାସ୍ଥ୍ୟ ବୀମା କଦାପି ସ୍ବାସ୍ଥ୍ୟ ବ୍ୟୟ, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକଳ୍ପ ନୁହେଁ। ଯେତେ ସ୍ବାସ୍ଥ୍ୟ ବୀମା ଥିଲେବି ଯଦି ହସ୍ପିଟାଲରେ ଡାକ୍ତର ନ ଥିବେ, ଆବଶ୍ୟକ ଉପକରଣ ନ ଥିବ, ପାଖରେ ଡାକ୍ତରଖାନା ନ ଥିବ ତେବେ ଲୋକେ ଚିକିତ୍ସା ପାଇବେ କାହାଠାରୁ। ୨୦୧୫-୧୬ ସୁଦ୍ଧା ଦେଶର ଏକ ତୃତୀୟାଂଶରୁ କମ୍‌ ପରିବାର ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ। ସରକାର ଯେଉଁ ସ୍ବାସ୍ଥ୍ୟ ବୀମା ପ୍ରଚଳନ କରିଛନ୍ତି ତାହାର ଫାଇଦା ନେଉଛନ୍ତି ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌। ଏହାସତ୍ତ୍ୱେ ବିଶ୍ୱବ୍ୟାଙ୍କ ଅନୁଯାୟୀ ୨୦୧୯ରେ ବିଶ୍ୱରେ ସ୍ବାସ୍ଥ୍ୟ ବ୍ୟୟ ପାଇଁ ଲୋକେ ହାରାହାରି ପକେଟରୁ ୧୮% ବ୍ୟୟ କରିଲାବେଳେ ଭାରତରେ ଏହା ୫୫%। ପକେଟରୁ ବ୍ୟୟକରି ଦାରିଦ୍ର୍ୟ ଗହ୍ବରକୁ ୧୯୯୯-୨୦୦୦ ସୁଦ୍ଧା ୩.୨୫ କୋଟି ଠେଲିହୋଇଯାଇଥିଲା ବେଳେ ସେହି ସଂଖ୍ୟା ୨୦୧୭ରେ ୫.୫ କୋଟିକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହା ଆହୁରି ଅଧିକ ହେବ।
୨୦୧୭ର ଜାତୀୟ ସ୍ବାସ୍ଥ୍ୟନୀତି ୨୦୨୫ ସୁଦ୍ଧା ସ୍ବାସ୍ଥ୍ୟ ବାବଦ ସରକାରୀ ବ୍ୟୟ ଜିଡିପିର ୨.୫%କୁ ବୃଦ୍ଧି କରିବାକୁ ସୁପାରିସ କରିଛି। କିନ୍ତୁ ଦେଶର ମୋଟ ଜିଡିପିରେ ସରକାରୀ ସ୍ବାସ୍ଥ୍ୟ ଖର୍ଚ୍ଚର ଅଂଶ ୨୦୧୯-୨୦ରେ ୧.୩୫% ଥିଲା, ଯାହା ବିଶ୍ୱରେ ପ୍ରାୟ ସର୍ବନିମ୍ନ। ଅଳ୍ପ କିଛି ଦେଶ ଆମ ତଳେ ଅଛନ୍ତି। ବିଶ୍ୱରେ ଏହା ହାରାହାରି ୬%। ବିଶ୍ୱବ୍ୟାଙ୍କ ଅନୁସାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମୁଣ୍ଡପିଛା ବ୍ୟୟ ଦୃଷ୍ଟିରୁ ୨୦୨୦ରେ ବିଶ୍ବରେ ହାରାହାରି ୧୧୭୭.୧୫ ଡଲାର ହୋଇଥିଲାବେଳେ ଭାରତରେ ଏହା ମାତ୍ର ୫୬.୬୩ ଡଲାର। ଅନ୍ୟସବୁ ଦେଶ ଯଥା ଆମେରିକାରେ ୧୧୭୦୨.୪୧ ଡଲାର, ଜର୍ମାନୀ ୬୫୦୩.୩୬, ଫ୍ରାନ୍ସ ୪୭୬୮.୭୩, କ୍ୟୁବା ୧୧୮୬.୧୬, ରୁଷିଆ ୭୭୩.୮୮ ଡଲାର, ବ୍ରାଜିଲ ୭୦୦.୭୧ ଡଲାର ଏବଂ ଚାଇନାରେ ୫୮୩.୪୩ ଡଲାର ରହିଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ପ୍ରତି ୧୦୦୦ ଜଣକ ପାଇଁ ଜଣେ ଡାକ୍ତର ରହିବା ଆବଶ୍ୟକ। ଆମ ଦେଶରେ ପ୍ରତ୍ୟେକ ୧୪୪୫ ଜଣ ଭାରତୀୟଙ୍କ ପାଇଁ ଜଣେ ଡାକ୍ତର ଥିବା ଜଣାପଡ଼ିଛି। ପୁନଶ୍ଚ ବିନା ନିୟନ୍ତ୍ରଣ ଯୋଗୁ ଔଷଧ ଦର ଅହେତୁକ ଭାବେ ବୃଦ୍ଧିପାଉଛି। ପୁନଶ୍ଚ ଔଷଧର ବାସ୍ତବ ମୂଲ୍ୟ ଓ ସର୍ବାଧିକ ମୂଲ୍ୟ ମଧ୍ୟରେ ଅନେକ ପାର୍ଥକ୍ୟ ରହୁଛି। ଔଷଧ ଦୋକାନୀ କେତେ ଲାଭ ରଖୁଛନ୍ତି, କାହାକୁ କେତେ କମିଶନ ଦେଉଛନ୍ତି ତାହା କେହି ଜାଣିପାରୁନାହାନ୍ତି। ସରକାରୀ ଡାକ୍ତରଖାନାର ଅଭାବ ଯୋଗୁ ହେଉଥିବା ଭିଡ଼ ଏବଂ ଘରୋଇ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ବ୍ୟୟସାପେକ୍ଷ ହୋଇଥିବାରୁ ଅଧିକାଂଶ ଲୋକ ଏପରିକି ଶିକ୍ଷିତ ଲୋକ ମଧ୍ୟ ଔଷଧ ଦୋକାନରେ ପଚାରି ଔଷଧ କିଣି ଖାଇଥା’ନ୍ତି। ଯେତେବେଳେ ରୋଗ ନିୟନ୍ତ୍ରଣ ବାହାରକୁ ଯାଏ ସେତେବେଳେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ବର୍ତ୍ତମାନ ସାମାନ୍ୟ ରୋଗ ପାଇଁ ରୋଗୀକୁ ଅଯଥାରେ ଗୁଡ଼ାଏ ଖର୍ଚ୍ଚ କରିବାକୁ ପଡୁଛି।
ଭାରତର ସ୍ବାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ବିଶ୍ବ ସ୍ବାସ୍ଥ୍ୟସେବା ସୁରକ୍ଷା ସୂଚକାଙ୍କ ଅନୁଯାୟୀ ୨୦୨୧ରେ ଭାରତ ୧୯୫ଟି ଦେଶ ମଧ୍ୟରୁ ୬୬ତମ ସ୍ଥାନରେ ରହିଛି, ଅର୍ଥାତ୍‌ ୬୫ଟି ଦେଶ ତଳେ। ସେହିପରି ୨୦୨୧ ମସିହାରେ ବିଶ୍ୱ ସ୍ବାସ୍ଥ୍ୟ ବ୍ୟବସ୍ଥା ମାନ୍ୟତା ଅନୁଯାୟୀ, ଭାରତ ୧୬୭ଟି ଦେଶ ମଧ୍ୟରୁ ୧୧୧ତମ ସ୍ଥାନରେ ଅଛି, ଅର୍ଥାତ୍‌ ୧୧୦ଟି ଦେଶ ତଳେ। ୨୦୧୬ ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌(ରୋଗ) ଅଧ୍ୟୟନ ରିପୋର୍ଟରେ,”ସ୍ବାସ୍ଥ୍ୟସେବା ଉପଲବ୍ଧି ଏବଂ ଗୁଣବତ୍ତା“ରେ ୧୯୭ଟି ଦେଶ ମଧ୍ୟରୁ ଭାରତ ୧୪୫ ସ୍ଥାନ ପାଇଥିଲା। ଯୁଦ୍ଧ ଯୋଗୁ ଧ୍ବସ୍ତ ବିଧ୍ବସ୍ତ ହୋଇଥିବା ୟେମେନ୍‌, ସୁଦାନ ଏବଂ ଉତ୍ତର କୋରିଆ ପଛରେ ଭାରତ ରହିଛି। ସାଧାରଣତଃ ଗୋଟିଏ ଦେଶର ସ୍ବାସ୍ଥ୍ୟ ବଜେଟ ଏହାର ମୋଟ୍‌ ବଜେଟର ୧୫% ରହିବା ଉଚିତ। କିନ୍ତୁ ୨୦୨୦ରେ ପ୍ରକାଶିତ ଅକ୍ସଫାମ୍‌ର ଏକ ସୂଚକାଙ୍କ ଅନୁସାରେ, ଭାରତରେ ଏହା ମାତ୍ର ୪%ରୁ କମ୍‌। ୧୫୮ଟି ରାଷ୍ଟ୍ରର ସ୍ବାସ୍ଥ୍ୟ ବଜେଟକୁ ନେଇ ପ୍ରସ୍ତୁତ ଏକ ତାଲିକାରେ ଭାରତ ତଳଆଡ଼ୁ ଚତୁର୍ଥ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ଶଯ୍ୟା ଉପଲବ୍ଧତା ଦୃଷ୍ଟିରୁ ୧୬୭ଟି ଦେଶ ମଧ୍ୟରୁ ଭାରତ ୧୫୫ରେ ସ୍ଥାନ ପାଇଛି। ଏଣୁ ସରକାର ଏଣୁତେଣୁ ଗୁଡ଼ାଏ ଯୋଜନା ନ କରି ସମସ୍ତଙ୍କୁ ମାଗଣାରେ ବା ଅଳ୍ପ ଅର୍ଥରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଅନ୍ତୁ।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri