ଖେଳାଳିଙ୍କ ପ୍ରତି କେତେ ସମ୍ବେଦନ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ ସପ୍ତାହରେ ପ୍ରବଳ ଶୀତରେ ସମଗ୍ର ଉତ୍ତର ଭାରତ ଥରୁଥିବା ବେଳେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦେଶର ପ୍ରମୁଖ କୁସ୍ତି ଖେଳାଳିମାନେ ଭିନ୍ନ ଏକ କୁସ୍ତିରେ ବ୍ୟସ୍ତ ଥିଲେ। ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନଙ୍କ ଏହି କୁସ୍ତିଟି କୌଣସି ବିଦେଶୀ ଖେଳାଳି ବିିରୋଧରେ ନୁହେଁ ବରଂ ନିଜ ଦେଶର କୁସ୍ତି ଫେଡେରେଶନର ଅଧ୍ୟକ୍ଷ ତଥା ଭାଜପାର ବାହୁବଳୀ ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଉଦ୍ଦିଷ୍ଟ ଥିଲା। ଭିନେଶ୍‌ ଫୋଗଟ୍‌ଙ୍କଠାରୁ ଆରମ୍ଭକରି ସାକ୍ଷୀ ମଲ୍ଲିକ୍‌, ବଜରଙ୍ଗ ପୁନିଆଙ୍କ ପର୍ଯ୍ୟନ୍ତ ଭାରତର ସ୍ବନାମଧନ୍ୟ କୁସ୍ତିଯୋଦ୍ଧାମାନେ ଲଗାତର ୨ଦିନ ଧାରଣାରେ ବସି ମହିଳା ଖେଳାଳିମାନଙ୍କୁ କୁସ୍ତି ଫେଡେରେଶନର ଅଧ୍ୟକ୍ଷଙ୍କ ଦ୍ୱାରା ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ। ତାହା କେବଳ ସାଙ୍ଘାତିକ ନ ଥିଲା ବରଂ ସେମାନଙ୍କ ମନରେ ସୃଷ୍ଟି ହୋଇଥିବା ଗଭୀର କ୍ଷତ ଓ ଯନ୍ତ୍ରଣାକୁ ଉଜାଗର କରୁଥିଲା। ଯନ୍ତ୍ରରମନ୍ତ୍ରରରେ ମହିଳା ଖେଳାଳି ଭିନେଶ୍‌ ଫୋଗଟ୍‌ଙ୍କ ଆଖିରୁ ଯେଉଁ ଲୁହ ବହୁଥିଲା, ତାହା ଜଣେ ମହିଳାଙ୍କ ଅସହାୟତା ଓ ଭାବନାତ୍ମକ ଲୁହ ନ ଥିଲା, ବରଂ ଏକ ପିତୃସତ୍ତାତ୍ମକ ସମାଜରେ ଜଣେ ଝିଅ ଘରୁ ବାହାରି ଖେଳର ମଇଦାନରେ ପହଞ୍ଚତ୍ ସଫଳତାର ଶୀର୍ଷକୁ ଯିବା କ୍ରମରେ ସାମ୍‌ନା କରୁଥିବା ଭେଦଭାବ ଓ ହିଂସାର ନଗ୍ନ ଅଭିବ୍ୟକ୍ତି ଥିଲା। ଖେଳାଳିମାନଙ୍କ ଏହି ଅଭୂତପୂର୍ବ ପ୍ରତିବାଦଟି କେବଳ ଦେଶର ଖେଳପ୍ରେମୀ ନୁହନ୍ତି ବରଂ ସମଗ୍ର ଦେଶବାସୀଙ୍କୁ ମର୍ମାହତ କରିଛି।
ଦେଶରେ ଖେଳ କ୍ଷେତ୍ରରେ ଖେଳାଳିମାନଙ୍କ ପ୍ରତି ପାତରଅନ୍ତର ଓ ମାନସିକ ତଥା ଶାରୀରିକ ଶୋଷଣର ଅଭିଯୋଗଟି ଆଦୌ ନୂଆ ନୁହେଁ। କାରଣ ଦେଶରେ ଗତ ୭୫ ବର୍ଷ ମଧ୍ୟରେ ଖେଳ ରାଜନୀତିର ଆଖଡ଼ାରେ ପରିଣତ ହୋଇଯାଇଛି। ରାଜନୈତିକ ଦଳର ନେତାମାନେ କ୍ରିକେଟଠାରୁ ଆରମ୍ଭକରି କୁସ୍ତି ପର୍ଯ୍ୟନ୍ତ ସବୁ ଖେଳର ସଙ୍ଗଠନରେ ଶୀର୍ଷ ପଦପଦବୀରେ ରହି ଆସିଛନ୍ତି। କିନ୍ତୁ ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଯୌନଶୋଷଣ ଅଭିଯୋଗ ନିଶ୍ଚିତ ରୂପେ ଅଭୂତପୂର୍ବ। ଦେଶର ପ୍ରମୁଖ ମହିଳା କୁସ୍ତିଯୋଦ୍ଧାମାନେ ପ୍ରମାଣ ସହ ଅଧ୍ୟକ୍ଷଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଉଦ୍‌ବେଗର ବିଷୟ ହେଲା, ଏତେ ସଂଖ୍ୟାରେ ଖେଳାଳି ଖୋଲାଖୋଲି ଭାବେ ଅଭିଯୋଗ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଓ କ୍ଷମତାସୀନ ଭାଜପା ନେତାମାନେ ଏହି ସାଂଘାତିକ ଅଭିଯୋଗର ତଦନ୍ତ କରିବାକୁ ଏପରିକି ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ଆଗେଇ ନ ଆସି ନିଜର ସମ୍ବେଦନହୀନତାର ହିଁ ପରିଚୟ ଦେଇଛନ୍ତି। କେବଳ ଖେଳାଳିମାନଙ୍କ ପ୍ରତିବାଦ ୨ଦିନ ପୂରିବା ପରେ ସେମାନଙ୍କ ପାଇଁ ସାରା ଦେଶରୁ ଯେଉଁ ସମର୍ଥନ ଆସିଲା, ତା’ପରେ ଯାଇ ସରକାର ଏହି ଅଭିଯୋଗର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅଲିମ୍ପିକ୍‌ ଓ ଏସିଆନ୍‌ ପରି ଅନ୍ତର୍ଜାତୀୟ ଖେଳ ମହାକୁମ୍ଭରେ ବର୍ଷ ବର୍ଷ ଧରି ଭାରତ ପାଇଁ ପଦବୀର ଯେଉଁ ମରୁଡ଼ି ଦେଖାଦେଇଛି, ତାକୁ ଏହି ଖଳାଳିମାନେ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କେନ୍ଦ୍ର ଓ କେତେକ ରାଜ୍ୟ ସରକାର ନିଜର ଅନେକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏମାନଙ୍କ ସହଯୋଗ ନେଇ ଆସିଛନ୍ତି। ବଡ଼ କଥା ହେଲା, ଏମାନେ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରି ସଫଳତାର ଶିଖର ଛୁଇଁବାରେ ସଫଳ ହୋଇଛନ୍ତି; ଦେଶର ଲକ୍ଷ ଲକ୍ଷ ତରୁଣ ତରୁଣୀଙ୍କୁ ପ୍ରୋତ୍ସାହିତ କରିଛି। ଏଭଳି ପରିସ୍ଥିତିରେ ଏହି ଝିଅମାନଙ୍କ ପ୍ରତି ଲଜ୍ଜାଜନକ ଆଚରଣ ଏବଂ ସେନେଇ ସରକାରଙ୍କ ନୀରବତା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଖେଳାଳିମାନେ ବାହୁବଳୀ ସାଂସଦ ବ୍ରିଜଭୂଷଣଙ୍କୁ କୁସ୍ତିସଂଘର ଅଧ୍ୟକ୍ଷ ପଦରୁ ହଟାଇ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଥିଲେ। ସେମାନଙ୍କ ଦାବି ଅଯଥାର୍ଥ ନ ଥିଲା। ଅବଶ୍ୟ ସେମାନେ ପ୍ରଥମକରି ଏପରି ଅଭିଯୋଗ କରି ନ ଥିଲେ। ବର୍ଷକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ବି ସେମାନେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେମାନେ ବାଧ୍ୟହୋଇ ଗଣତାନ୍ତ୍ରିକ ପ୍ରତିବାଦର ରାସ୍ତାକୁ ଆପଣେଇଥିଲେ। ବ୍ରିଜଭୂଷଣଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଲେ ଉତ୍ତର ପ୍ରଦେଶରେ ଭାଜପା ପାଇଁ ଆଗାମୀ ନିର୍ବାଚନରେ କ୍ଷତି ପହଞ୍ଚତ୍ବାର ସମ୍ଭାବନା ଥିବାରୁ ‘ବେଟୀ ବଚାଓ, ବେଟୀ ପଢ଼ାଓ’ର ନାରା ଦେଉଥିବା କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଏ ଦିଗରେ ଚୁପ୍‌ ରହିବାକୁ ଶ୍ରେୟ ମନେ କରିଥିଲେ।
କୁସ୍ତି ପରି ଖେଳରେ ଅଂଶଗ୍ରହଣ କରୁଥିବା ଝିଅମାନେ ସାଧାରଣତଃ ଦେଶର ଗ୍ରାମାଞ୍ଚଳର ଗରିବ ପରିବାରରୁ ଆସିଥାନ୍ତି। ସେମାନେ ଗରିବୀକୁ ସାମ୍‌ନା କରି ଖେଳ ମଇଦାନକୁ ଆସିବାରେ ସମର୍ଥ ହୋଇଥାନ୍ତି। କୁସ୍ତିକୁ ନେଇ ପ୍ରସ୍ତୁତ ଅମୀର ଖାନ୍‌ଙ୍କ ‘ଦଙ୍ଗଲ’ ଚଳଚ୍ଚିତ୍ର ଓ ଅନ୍ୟ ଚଳଚ୍ଚିତ୍ରଗୁଡ଼ିକରେ ଆମେ ଏମାନଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା ଦେଖିବାକୁ ପାଇଛେ। ଏତେ ସବୁ ସଂଘର୍ଷ ସତ୍ତ୍ୱେ ପୁଅ ଖେଳାଳିଙ୍କ ତୁଳନାରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ମେଡାଲ ପାଉଥିବା ଏହି ସାହସୀ ଝିଅମାନଙ୍କ ପ୍ରତି ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ଝିଅ ଖେଳାଳିମାନଙ୍କୁ ଏଭଳି ଯୌନ ଶୋଷଣର ଘଟଣା ଖେଳ ପାଇଁ ଆଗ୍ରହ ରଖୁଥିବା ଦେଶର ଅନ୍ୟ ଝିଅମାନଙ୍କୁ ନିରୁତ୍ସାହିତ ଓ ହତାଶ କରିବ। ଖେଳକୁ ଏକ କ୍ୟାରିୟର ଭାବେ ଆପଣେଇବାକୁ ନିଜ ଝିଅକୁ ବାରଣ କରୁଥିବା ଅଭିଭାବକମାନଙ୍କୁ ସୁଯୋଗ ଦେବ।
ଉତ୍ତର ପ୍ରଦେଶ ବିଶେଷକରି ଭାଜପାର ରାଜନୀତିରେ ବ୍ରିଜଭୂଷଣ ଶରଣ ସିଂହଙ୍କ ପ୍ରଭାବ ରହିଛି। ସେହି ଦୃଷ୍ଟିରୁ ତାଙ୍କ ବିରୋଧରେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେବେନି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତପ୍ରକାଶ କରିଛନ୍ତି। ହୁଏତ କିଛି କାରଣ ଦେଖାଇ ସରକାର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଯଥାସ୍ଥିତି ଅବ୍ୟାହତ ରଖିବେ। ଖେଳକୁ ରାଜନୈତିକ ସ୍ବାର୍ଥରୁ ମୁକ୍ତ ରଖିବା ଆଶାଟି ଆଶାରେ ହିଁ ରହିଯାଇପାରେ। କିନ୍ତୁ ସରକାରଙ୍କ ଉପରୋକ୍ତ ଆଚରଣ ଭବିଷ୍ୟତରେ ଦେଶରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ କେତେ ଯେ କ୍ଷତି ପହଞ୍ଚାଇବ, ତାକୁ କଳନା କରାଯାଇ ନ ପାରେ।
୧୪୦ କୋଟି ଲୋକଙ୍କ ଦେଶ ହୋଇ ଆମେ କ୍ରମାଗତ ଭାବେ ବିଫଳ ହୋଇ ଆସିଛେ। ଏପରିକି ଯୁବ ସଂଖ୍ୟାରେ ଆମେ ଚାଇନାଠାରୁ ଆଗରେ ଥିଲେ ମଧ୍ୟ ଆମର କ୍ରୀଡ଼ା ପ୍ରଦର୍ଶନ ତା’ ତୁଳନାରେ ନୈରାଶ୍ୟଜନକ। ତେବେ ଏହା ପଛରେ ଖେଳରେ ରହିଥିବା ରାଜନୈତିକ ହସ୍ତକ୍ଷେପ ସବୁଠାରୁ ବଡ଼ କାରଣ ହୋଇ ଆସିଛି। ରାଜ୍ୟ ଓ ଜାତୀୟ ସ୍ତରରେ ସବୁ ଖେଳର ସଙ୍ଗଠନରେ ଖେଳ ନେଇ କୌଣସି ଅଭିଜ୍ଞତା ଓ ଦୂରଦୃଷ୍ଟି ନ ଥିବା ରାଜନେତାମାନେ ବର୍ଷ ବର୍ଷ ଧରି କବ୍‌ଜା କରି ବସିଛନ୍ତି। ସେମାନଙ୍କ ପାଇଁ ଏହା ଅର୍ଥ ଓ କ୍ଷମତାର ଏକ ମାଧ୍ୟମ ମାତ୍ର। ଯଦି ସରକାର ଦେଶକୁ କ୍ରୀଡ଼ା କ୍ଷେତ୍ରରେ ଆଗେଇନେବାକୁ ଚାହାନ୍ତି, ତା’ହେଲେ ସରକାର ଅଧିକରୁ ଅଧିକ ପ୍ରତିଭାଶାଳୀ ଯୁବକ ଓ ଯୁବତୀ ଖେଳକୁ ଆସିବାକୁ ଏବଂ ତାକୁ ଏକ କ୍ୟାରିଅର ଭାବେ ଆପଣେଇବାକୁ କିଭଳି ଆଗ୍ରହୀ ହେବେ, ସେ ପ୍ରକାର ଏକ ପରିବେଶ ତିଆରି କରିବାକୁ ହେବ। ବିଶେଷକରି ଯେଉଁ ଝିଅମାନେ ଖେଳିବାକୁ ଆସୁଛନ୍ତି, ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ନିଶ୍ଚିତ କରିବାକୁ ପଡ଼ିବ। ଖେଳ ପ୍ରତିଷ୍ଠାନଗୁଡ଼ିକରେ ଜାତି, ଧର୍ମ, ଲିଙ୍ଗ ଓ କ୍ଷେତ୍ର ପରି ସମସ୍ତ ପ୍ରକାର ଭେଦଭାବ ଓ ହିଂସାରୁ ମୁକ୍ତ ହୋଇ ଖେଳାଳିମାନେ ସମ୍ପୂର୍ଣ୍ଣ ପେସାଗତ ମନୋଭାବ ନେଇ ଖେଳିପାରିବେ, ସେପରି ଏକ ଗଣତାନ୍ତ୍ରିକ ପରିବେଶକୁ ନିଶ୍ଚିତ କରିବାକୁ ହେବ। ଏକ ପାରଦର୍ଶୀ, ପ୍ରତିସ୍ପର୍ଦ୍ଧାମୂଳକ ତଥା ବିଶ୍ୱସ୍ତରୀୟ ଖେଳ ଢାଞ୍ଚାକୁ ତିଆରି କରିବାକୁ ବଜେଟରେ ଅଧିକ ବ୍ୟୟବରାଦ କରାଯିବା ଆବଶ୍ୟକ। ତା’ହେଲେ ଜଣେ ଖେଳାଳି ଦକ୍ଷତାର ସର୍ବୋଚ୍ଚ ପ୍ରଦର୍ଶନ କରି ଦେଶର ଗୌରବ ଓ ସମ୍ମାନ ବଢ଼ାଇପାରିବ।
ମୋ-୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri