ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ: ଆଦିବାସୀଙ୍କ ଅଧିକାର କେତେ ସୁରକ୍ଷିତ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୭୦ଟି ଦେଶରେ ୩୭ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଆମ ଦେଶର ଜନସଂଖ୍ୟାର ପ୍ରାୟ ୮ ଭାଗ ହେଉଛନ୍ତି ଆଦିବାସୀ। ଆମ ରାଜ୍ୟର ବି ପ୍ରତି ଚାରି ଜଣରେ ଜଣେ ଅର୍ଥାତ୍‌ ପ୍ରାୟ ଏକଚତୁର୍ଥାଂଶ (୨୦୧୧ ଜନଗଣନା ଅନୁଯାୟୀ ୨୨.୮୫%) ଜନସଂଖ୍ୟା ହେଉଛନ୍ତି ଆଦିବାସୀ, ଯାହାକି ଦେଶର ମୋଟ ଆଦିବାସୀଙ୍କ ୯.୧୭%। ଯଦିଓ ରାଜ୍ୟରେ ସରକାରୀ ଭାବେ ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟଙ୍କୁ ହିଁ ଅନୁସୂଚିତ ଜନଜାତିର ସ୍ବୀକୃତି ଦିଆଯାଇଛି। ଏମାନଙ୍କ ବ୍ୟତୀତ ମାଲକାନଗିରିର କୋଣ୍ଡାଦୋରା, ଗଜପତିର ଶୁଦ୍ଧ ଶବର, ରାୟଗଡ଼ାର ଝୋଡ଼ିଆ, ଅନୁଗୋଳର କାନ୍ଧିଆ ପରି ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି, ଯେଉଁମାନେ ଆଜିଯାଏ ଆଦିବାସୀ ରୂପେ ସରକାରୀ ସ୍ବୀକୃତି ପାଇପାରି ନାହାନ୍ତି।
ସାମ୍ରାଜ୍ୟବାଦୀ ବିକାଶର ବିପଜ୍ଜନକ ଅଭିଯାନ ଆଦିବାସୀଙ୍କ ଜଙ୍ଗଲ ଓ ପରିବେଶକୁ ଧ୍ୱଂସ କରି ସେମାନଙ୍କୁ ଉଦ୍‌ବାସ୍ତୁ କରିବାରେ ଲାଗିଥିବା ବେଳେ ସେମାନଙ୍କ ପ୍ରକୃତିକୈନ୍ଦ୍ରିକ ସଂସ୍କୃତି, ଭାଷା ଓ ଧର୍ମ ଆଜି ସଙ୍କଟର ସମ୍ମୁଖୀନ ହୋଇଛି। ଆଣ୍ଡାମାନର ଜାରୱା, ଓଡ଼ିଶାର ମାଙ୍କଡ଼ିଆଙ୍କ ପରି ବିଶ୍ୱରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଭାଷା ଧୀରେଧୀରେ ବିଲୁପ୍ତ ହେବାରେ ଲାଗିଛି। ବିଶ୍ୱରେ ଆଦିବାସୀମାନଙ୍କ ଏହି ସଙ୍କଟମୟ ସ୍ଥିତିକୁ ହିଁ ଲକ୍ଷ୍ୟ କରି ମିଳିତ ଜାତିସଂଘ ୧୯୯୪ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ବା ଆଦିମ ଜନଜାତି ଦିବସ ରୂପେ ପାଳନ କରିଆସୁଛି।
ପ୍ରଥମେ ସାମନ୍ତବାଦୀ ବ୍ୟବସ୍ଥାରେ ଆଦିବାସୀମାନେ ରାଜା ଓ ଜମିଦାରଙ୍କ ଦ୍ୱାରା ଶୋଷିତ ତଥା ଅତ୍ୟାଚାରିତ ହୋଇ ଆସିଥିଲେ। ତେବେ ବ୍ରିଟିଶ୍‌ମାନଙ୍କ ଆଗମନ ପରେ ସେମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାରର ମାତ୍ରା ବହୁଗୁଣରେ ବଢ଼ିଯାଇଥିଲା। ଦେଶର ବିଶାଳ ଜଙ୍ଗଲ ସମ୍ପଦକୁ ଲୁଟ୍‌ କରିବା ଲକ୍ଷ୍ୟରେ ବ୍ରିଟିଶ୍‌ମାନେ ହିଁ ସର୍ବପ୍ରଥମେ ୧୮୬୫ରେ ଜଙ୍ଗଲ ବିଭାଗ ଗଠନ କରି ଆଦିବାସୀମାନଙ୍କୁ ଜଙ୍ଗଲ ଉପରେ ଥିବା ସେମାନଙ୍କ ପାରମ୍ପରିକ ଅଧିକାରରୁ ବଞ୍ଚତ୍ତ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୮୯୪ର ଔପନିବେଶିକ ଜମି ଅଧିଗ୍ରହଣ ଆଇନ ‘ବିକାଶ’ର ନଁାରେ ଆଦିବାସୀଙ୍କୁ ସେମାନଙ୍କ ଭିଟାମାଟିରୁ ବଳପୂର୍ବକ ଉଦ୍‌ବାସ୍ତୁ କରିବାର ବାଟ ଖୋଲିଥିଲା। ଆଦିବାସୀ ଅଞ୍ଚଳଗୁଡ଼ିକୁ ନିଜର ଆଇନଗତ ଓ ପ୍ରଶାସନିକ ନିୟନ୍ତ୍ରଣ ଭିତରକୁ ଆଣିବାକୁ ବ୍ରିଟିଶ୍‌ମାନେ ଅତ୍ୟନ୍ତ ସୁନିୟୋଜିତ ଭାବେ ସମତଳ ଅଞ୍ଚଳରୁ ବହୁସଂଖ୍ୟାରେ ଅଣଆଦିବାସୀ ସମ୍ପ୍ରଦାୟର ସାହୁକାର ଏବଂ ସୁଧଖୋର ମହାଜନ ଓ କର୍ମଚାରୀମାନଙ୍କୁ ଆଦିବାସୀ ବହୁଳ ଅଞ୍ଚଳରେ ଅନୁପ୍ରବେଶର ବ୍ୟବସ୍ଥା କରିଥିଲେ। ଏହାଦ୍ୱାରା ସେମାନଙ୍କ ଉପରେ ଶୋଷଣ ତଥା ଅତ୍ୟାଚାରର ମାତ୍ରା ବୃଦ୍ଧି ପାଇଯାଇଥିଲା।
ଦେଶର ମୁଖ୍ୟଭୂମିରେ ବିଧିବଦ୍ଧ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହେବାର ଅନେକ ପୂର୍ବରୁ ଔପନିବେଶିକ ଶାସନ ବିରୋଧରେ ଆଦିବାସୀମାନଙ୍କ ସଶସ୍ତ୍ର ବିଦ୍ରୋହ ଆରମ୍ଭ ହୋଇଯାଇଥିଲା। ଜମି ଓ ଜଙ୍ଗଲ ଉପରେ ଥିବା ପାରମ୍ପରିକ ଅଧିକାରର ସୁରକ୍ଷା ପାଇଁ ୧୮୦୮ ରୁ ୧୯୪୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ତିଲକା ମାଝୀ, ବୀରସା ମୁଣ୍ଡା, ସିଦ୍ଧୁ-କାନୁ, ଆଲୁରୀ ସୀତାରାମ ରାଜୁ, କୋମରାମ୍‌ ଭୀମ୍‌, ଚକରା ବିଷୋୟୀ, ରିନ୍ଦୋ ମାଝୀ, ଲକ୍ଷ୍ମଣ ନାୟକ, ଧରଣୀଧର ଭୂୟଁାଙ୍କ ପରି ଅନେକ ଆଦିବାସୀ ଯୋଦ୍ଧାଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ବଡ଼ ବଡ଼ ବିଦ୍ରୋହ ସବୁ ସଙ୍ଗଠିତ ହୋଇଥିଲା। ଏସବୁ ଆନ୍ଦୋଳନଗୁଡ଼ିକରେ ଲକ୍ଷ ଲକ୍ଷ ସଂଖ୍ୟାରେ ଆଦିବାସୀ ବୀରତ୍ୱର ସହ ଭାଗ ନେଇ ପ୍ରାଣବଳୀ ଦେଇଥିଲେ।
ଦେଶର ସ୍ବାଧୀନତା ଆନ୍ଦୋଳନରେ ଆଦିବାସୀମାନଙ୍କ ବିପୁଳ ତ୍ୟାଗ ଓ ବଳିଦାନ ସତ୍ତ୍ୱେ ୧୯୪୭ରେ ବ୍ରିଟିଶ୍‌ମାନେ ଯିବା ପରେ ବି ତଥାକଥିତ ଦେଶୀ ଶାସନରେ ସେମାନଙ୍କ ସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିଲାନି। ବ୍ରିଟିଶ୍‌ମାନଙ୍କ ଦ୍ୱାରା ଅପହୃତ ସେମାନଙ୍କ ଜଙ୍ଗଲ ଅଧିକାର ତ ଫେରିଲାନି, ବରଂ ତାକୁ ଆହୁରି କଡ଼ାକଡ଼ି କରାଗଲା। ଏପରିକି ଆଦିବାସୀଙ୍କ ଦୀର୍ଘ ଲଢ଼େଇର ଫଳସ୍ବରୂପ ସରକାର କରିଥିବା ଜଙ୍ଗଲ ଅଧିକାର ଆଇନ-୨୦୦୬ ଆଦିବାସୀମାନଙ୍କୁ ଜଙ୍ଗଲ ଉପରେ ପୂର୍ଣ୍ଣ ଅଧିକାର ଦେବାରେ ବିଫଳ ହେଲା। ଆଇନ ମୁତାବକ ଜଙ୍ଗଲ ଜମିରେ ଚାଷବାସ କରି ରହୁଥିବା ଆଦିବାସୀଙ୍କ ଗୋଷ୍ଠୀଗତ ଓ ପ୍ରାକୃତିକ ବାସସ୍ଥାନ (ହେବିଟାଟ୍‌) ଅଧିକାରକୁ ବହୁତ କମ୍‌ ସ୍ବୀକୃତି ଦିଆଯାଉଥିବା ପ୍ରାୟତଃ ବ୍ୟକ୍ତିଗତ ଅଧିକାରକୁ ହିଁ ତାହା ବି ଖଣ୍ଡିତ ଭାବେ ସ୍ବୀକୃତି ଦିଆଯାଉଛି। ଫଳସ୍ବରୂପ ଜଙ୍ଗଲ ଉପରେ ପୂର୍ଣ୍ଣ ଅଧିକାରରୁ ବଞ୍ଚତ୍ତ ଆଦିବାସୀମାନେ ପୂର୍ବ ଭଳି ଜଙ୍ଗଲ ବିଭାଗ ଦ୍ୱାରା ଶୋଷଣ ତଥା ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି।
କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଅମଳରେ କର୍ପୋରେଟ୍‌ଙ୍କ ସ୍ବାର୍ଥରେ ଗୋଟିଏ ପଟେ ଅଧିକାରରୁ ବଞ୍ଚତ୍ତ ଲକ୍ଷ ଲକ୍ଷ ଆଦିବାସୀ ପରିବାରକୁ ଜଙ୍ଗଲରୁ ଉଚ୍ଛେଦ କରିବାକୁ ଚେଷ୍ଟା ସହ ସଂଶୋଧନ ଜରିଆରେ ଏହି ଐତିହାସିକ ଆଇନକୁ ଦୁର୍ବଳ କରିବାକୁ ମଧ୍ୟ ଷଡ଼ଯନ୍ତ୍ର ଚାଲିଛି। ମୋଦି ସରକାରଙ୍କ କ୍ଷତିପୂରଣକାରୀ ବନୀକରଣ (କାମ୍ପା) ଆଇନ, କମ୍ପାନୀଗୁଡ଼ିକ ବିକାଶ ନଁାରେ ଶିଳ୍ପ, ଖଣି ଓ ନଦୀବନ୍ଧ ପାଇଁ କରୁଥିବା ଜଙ୍ଗଲ ନଷ୍ଟକୁ ସ୍ବୀକୃତି ଦେଉଥିବା ବେଳେ ତା’ର ତଥାକଥିତ ଭରଣା ଆଦିବାସୀଙ୍କ ଦଖଲରେ ଥିବା ଜମିରେ ବଳପୂର୍ବକ ଗଛ ଲଗାଇ ସେମାନଙ୍କୁ ଅଧିକାରରୁ ବଞ୍ଚତ୍ତ କରାଯାଉଛି। ସେହିପରି ଭାରତୀୟ ଜଙ୍ଗଲ ଆଇନ-୧୯୨୭ରେ ସଂଶୋଧନ କରି ଜଙ୍ଗଲ ବିଭାଗକୁ ଅସୀମିତ କ୍ଷମତା ପ୍ରଦାନ କରିବାକୁ ଚେଷ୍ଟା ଚାଲିଛି। କର୍ପୋରେଟ୍‌ମାନଙ୍କୁ ଜଙ୍ଗଲ ଜମିର ହସ୍ତାନ୍ତରକୁ ସହଜ କରିବାକୁ ପରିବେଶ ଆଇନରେ ବି ସଂଶୋଧନ କରି ଅଧ୍ୟାଦେଶ ଆଣିଛନ୍ତି।
ବିକାଶ ନଁାରେ ଦେଶରେ ଯେତେସବୁ ବଡ଼ବଡ଼ ନଦୀବନ୍ଧ, ଶିଳ୍ପ ଓ ଖଣି ପ୍ରକଳ୍ପ ହୋଇଛି, ତା’ର ଲାଭ ଅନ୍ୟମାନେ ପାଇଥିବା ବେଳେ ଆଦିବାସୀମାନଙ୍କ ଭାଗ୍ୟରେ କେବଳ ବିସ୍ଥାପନ ହିଁ ପଡ଼ିଛି। ଯଦିଓ ସେମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ମାତ୍ର ୮%, ଅଥଚ ଦେଶର ମୋଟ ବିସ୍ଥାପିତଙ୍କ ଅଧାରୁ ଅଧିକ ଆଦିବାସୀ ରହିଛନ୍ତି। ବିକାଶ ନଁାରେ ସେମାନଙ୍କୁ ଉପଯୁକ୍ତ, ଯଥାପୂର୍ବରୁ ଏବଂ ଯଥେଷ୍ଟ କ୍ଷତିପୂରଣ ବିନା ଭିଟାମାଟିରୁ ବଳପୂର୍ବକ ଉଚ୍ଛେଦ କରାଯାଉଛି। ଏବେବି ଦେଶର ବିଶେଷକରି ଓଡ଼ିଶାର ଅଧିକାଂଶ ଆଦିବାସୀ ଉତ୍କଟ ଦାରିଦ୍ର୍ୟ, ଅନାହାର, ପୁଷ୍ଟିହୀନତାର ଶିକାର ହୋଇଛନ୍ତିି। ରାଜ୍ୟର ୯୫% ଆଦିବାସୀ ମହିଳା ଓ ୬୫% ଆଦିବାସୀ ଶିଶୁ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ଅଟନ୍ତି। ସେମାନଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟସେବା, ପିଇବା ପାଣି, ବିଦ୍ୟୁତ୍‌ ଆଦି ସର୍ବନିମ୍ନ ମୌଳିକ ସୁବିଧା ଏକରକମ ସ୍ବପ୍ନ ହୋଇ ରହିଛି। ନିରକ୍ଷରତା, ଅଧାରୁ ପାଠଛଡ଼ା, ଅପପୁଷ୍ଟି, ଅନାହାର, ରକ୍ତହୀନତା ଆଦିର ହାରଟି ଆଦିବାସୀଙ୍କ କ୍ଷେତ୍ରରେ ଅପେକ୍ଷାକୃତ ବେଶି। ୧୯୫୦ରେ ଦେଶର ଅଧିକାଂଶ ଆଦିବାସୀ ଅଞ୍ଚଳକୁ ସମ୍ବିଧାନର ୫ମ ଓ ୬ଷ୍ଠ ଅନୁଚ୍ଛେଦରେ ସାମିଲ କରାଯାଇଥିଲେ ମଧ୍ୟ ଆଜି ବି ଅନେକ ଆଦିବାସୀ ଗଁା ସେଥିରେ ସାମିଲ ହୋଇ ନ ପାରି ବିଭିନ୍ନ ପ୍ରକାର ସାମ୍ବିଧାନିକ ସୁରକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଆଦିବାସୀଙ୍କ ପାଇଁ ଅନେକ ଆଇନ ଓ ଯୋଜନା ତିଆରି ହୋଇଛି ସତ, କିନ୍ତୁ ଶାସକ ଶ୍ରେଣୀର ଆନ୍ତରିକତା ଅଭାବରୁ ସେସବୁ ଠିକ୍‌ ରୂପେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରିକି ବଜେଟରେ ଆଦିବାସୀ ସବ୍‌-ପ୍ଲାନ୍‌ରେ ଦିଆଯାଇଥିବା ଅନୁଦାନକୁ ବି ଆଦିବାସୀଙ୍କ ପମାଇଁ ଖର୍ଚ୍ଚ କରାଯାଇ ପାରୁନି। ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ଅର୍ଥର ସିଂହଭାଗଟି ଠିକାଦାର-ଅଫିସର-ରାଜନେତାଙ୍କ ଦ୍ୱାରା ହରିଲୁଟ୍‌ ହେଉଛି।
ଆଦିବାସୀଙ୍କ ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ବିକାଶ ଭାରତ ପରି ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ସାମ୍ବିଧାନିକ କର୍ତ୍ତବ୍ୟ। କିନ୍ତୁ ଏଥିପ୍ରତି ଘୋର ଅବହେଳା କାରଣରୁ ଆଜି ଆଦିବାସୀଙ୍କ ଜୀବନ, ଜୀବିକା, ଭାଷା ଓ ସଂସ୍କୃତି ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଛି। ଆମର ଶାସକ ଶ୍ରେଣୀ ସେମାନଙ୍କ ଭାଷା ଓ ସଂସ୍କୃତିର ସ୍ବାଧୀନ ବିକାଶ ପାଇଁ ସୁଯୋଗ ଦେବା ପରିବର୍ତ୍ତେ ତାକୁ ଅଣଦେଖା କରିବା ଓ ଦବେଇବା ଦେଖାଯାଇଛି। ଅତ୍ୟନ୍ତ ସୁନିୟୋଜିତ ଭାବେ ଓଡ଼ିଆ, ତେଲୁଗୁ, ମରାଠୀ, ଗୁଜରାଟୀ, ହିନ୍ଦୀ ପରି ଅନ୍ୟାନ୍ୟ ପ୍ରଭାବଶାଳୀ ଭାଷାଭାଷୀଙ୍କ ଭିତରେ ଆଦିବାସୀମାନଙ୍କ ଭାଷାଗୁଡ଼ିକୁ ବଳପୂର୍ବକ ସମ୍ମିଳିତ କରିବାର ନୀତିକୁ ଆପଣେଇ ଆସିଛନ୍ତି। ଓଡ଼ିଶାର ଏକଚତୁର୍ଥାଂଶ ଆଦିବାସୀ ହୋଇଥିଲେ ବି ଏବଂ ସେମାନେ ୭୪ଟି ବୋଲିରେ କଥାଭାଷା ହେଉଥିଲେ ବି ସେମାନଙ୍କ ଭାଷାକୁ ବିକଶିତ କରିବାରୁ ଅଥବା ସେମାନଙ୍କ ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ପାଇବାରୁ ବଞ୍ଚତ୍ତ କରାଯାଉଛି। ଓଡ଼ିଶାର ପ୍ରମୁଖ ଆଦିବାସୀ ଭାଷାରେ ନା କୌଣସି ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦିଆଯାଉଛି ନା ବହି କିମ୍ବା ପତ୍ରପତ୍ରିକା ପ୍ରକାଶ ପାଉଛି! ଅଧିକାଂଶ ଆଦିବାସୀ ଭାଷାର ଲିପିକୁ ବି ବିକଶିତ କରିବାରେ ସରକାର ବିଫଳ ହୋଇଛନ୍ତି।
ଅନ୍ତର୍ଜାତୀୟ ଆଦିବାସୀ ଦିବସ (ଅଗଷ୍ଟ ୯) ଅବସରରେ ଆଜି ଜମି, ଜଙ୍ଗଲ ଉପରେ ଆଦିବାସୀମାନଙ୍କ ଅଧିକାରକୁ ପୂର୍ଣ୍ଣ ସ୍ବୀକୃତି ପ୍ରଦାନ ସହିତ ସେମାନଙ୍କ ଭାଷା, ସଂସ୍କୃତି ତଥା ସ୍ବୟଂଶାସନର ଅଧିକାର ପାଇଁ ଜୋରଦାର ଦାବି କରିବାର ସମୟ ଆସିଛି। ଆଦିବାସୀମାନଙ୍କ ଉପରେ ଦମନ ଓ ଅତ୍ୟାଚାର ପରିବର୍ତ୍ତେ ପ୍ରାକୃତିକ ସମ୍ପଦ ଉପରେ ମାଲିକାନା ଦେଇ ସେମାନଙ୍କୁ ମର୍ଯ୍ୟାଦାର ସହିତ ଜୀବନଯାପନ କରିବାର ସୁଯୋଗ ଦେବା ଜରୁରୀ ହୋଇପଡ଼ିଛି।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri