ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍ ଲାଗିନାହିଁ। IPL, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ବିଭିନ୍ନ ବ୍ୟବସାୟ ତାଙ୍କ ଆୟର ପ୍ରମୁଖ ଉତ୍ସ। ଏହା ବ୍ୟତୀତ BCCI ପକ୍ଷରୁ ମଧ୍ୟ ତାଙ୍କୁ ପ୍ରତିମାସରେ ପେନସନ ମିଳୁଛି।
ଧୋନୀ ଭାରତ ପାଇଁ ୯୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। BCCIର ବର୍ତ୍ତମାନର ପେନସନ ବ୍ୟବସ୍ଥା ଅନୁଯାୟୀ, ୨୫ କିମ୍ବା ତା’ଠାରୁ ଅଧିକ ଟେଷ୍ଟ ଖେଳିଥିବା ପୂର୍ବତନ ପୁରୁଷ କ୍ରିକେଟରଙ୍କୁ ପ୍ରତିମାସରେ ୭୦,୦୦୦ ଟଙ୍କା ପେନସନ ଦିଆଯାଏ। ଏହି ହିସାବରେ ଧୋନୀ ମଧ୍ୟ ଏହି ବର୍ଗରେ ଆସୁଛନ୍ତି।
ଅର୍ଥାତ୍ BCCIରୁ ଧୋନୀଙ୍କୁ ପ୍ରତିମାସରେ ୭୦ ହଜାର ଟଙ୍କା ପେନସନ ମିଳୁଛି। ତେବେ ତାଙ୍କ ମୋଟ ଆୟ ତୁଳନାରେ ଏହି ରାଶି ଅତ୍ୟନ୍ତ କମ।
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ପରେ ମଧ୍ୟ ଧୋନୀ IPLରେ ଖେଳୁଛନ୍ତି। ୨୦୨୬ IPL ସିଜନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ୪ କୋଟି ଟଙ୍କାରେ ରିଟେନ କରିଛି।
ଯଦି ୪ କୋଟି ଟଙ୍କାକୁ ୧୨ ମାସରେ ବାଣ୍ଟି ହିସାବ କରାଯାଏ, ତେବେ ଏହା ପ୍ରତିମାସ ପ୍ରାୟ ୩୩.୩ ଲକ୍ଷ ଟଙ୍କା ହେବ। ତେବେ ଏହା କେବଳ ବୁଝିବା ପାଇଁ ହାରାହାରି ହିସାବ। IPLର ଏହି ଟଙ୍କା ବାସ୍ତବରେ ପୂରା ସିଜନ୍ର କନ୍ଟ୍ରାକ୍ଟ ଭାବେ ମିଳିଥାଏ। ଏହା ବ୍ୟତୀତ ୨୦୨୬ IPLରେ ଖେଳାଳିଙ୍କ ପାଇଁ ମ୍ୟାଚ ଫି ମଧ୍ୟ ଲାଗୁ ହେଉଛି। ତେଣୁ ଧୋନୀ କେତେଟି ମ୍ୟାଚ ଖେଳୁଛନ୍ତି, ତାହା ଅନୁଯାୟୀ ତାଙ୍କ ଆୟରେ ପରିବର୍ତ୍ତନ ହୋଇପାରେ।ୟ
ଧୋନୀଙ୍କ ଆୟର ଏକ ବଡ଼ ଅଂଶ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆସୁଛି। ୨୦୨୬ର ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, IPL, ବିଜ୍ଞାପନ ଏବଂ ବ୍ୟବସାୟ ସମେତ ଧୋନୀଙ୍କ ବାର୍ଷିକ ଆୟ ୭୫ କୋଟି ଟଙ୍କାରୁ ଅଧିକ ବୋଲି ଦାବି କରାଯାଇଛି।
କିଛି ରିପୋର୍ଟରେ ୨୦୨୫-୨୬ ଆର୍ଥିକ ବର୍ଷରେ ତାଙ୍କ ଆନୁମାନିକ ଆୟ ୯୫ରୁ ୧୦୫ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଇଛି। ଏଥିରେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ତାଙ୍କ ଆୟର ଏକ ବଡ଼ ଉତ୍ସ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

