ଆମର ଅଛି କେତେ-ନାହିଁ କେତେ

ଡ. ସତ୍ୟ ନାରାୟଣ ମିଶ୍ର

 

ସାଧାରଣତଃ ମଣିଷ ନିକଟରେ ଯେତେବେଳେ କିଛି ଥାଏ ସେତେବେଳେ ସେ ଆନନ୍ଦିତ ହୋଇ ଖୁସି ବ୍ୟକ୍ତ କରିଥାଏ ଯେ ମୋ ନିକଟରେ ଏତିକି ଅଛି। କିନ୍ତୁ ସାଂପ୍ରତିକ ସମାଜରେ ବର୍ତ୍ତମାନ ମଣିଷ ନିକଟରେ ଯେଉଁଟା ନାହିଁ, ଯାହା ଜୀବନର ଚଲାପଥକୁ ସୁଗମ କରିଥାଏ ତାହା ଆଜି ବିଲୁପ୍ତ ହେବାକୁ ବସିଲାଣି ଓ ସେଥିପାଇଁ ମଣିଷ ଚିନ୍ତା କରିବା କଥା। ବର୍ତ୍ତମାନ ଆମ ନିକଟରେ ଯାହା ଅଛି ତାହା କେବଳ ଲୋକଦେଖାଣିଆ ଓ ଯାହା ନାହିଁ ତାକୁ ପାଇବାକୁ ମଣିଷ କୁଣ୍ଠାବୋଧ କରୁଅଛି। ଯେଉଁଟା ନାହିଁ ସେଥିପ୍ରତି ଉଦାସ ଓ ନିଃଷ୍ପ୍ରୟୋଜନ ମନେକରି ଯେଉଁଟା ଅଛି ସେଥିପ୍ରତି ଅଧିକ ସମ୍ବେଦନଶୀଳ ହୋଇ ସମାଜରେ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରି ଆଡମ୍ବର ଆଭିଜାତ୍ୟର ଗତାନୁଗତିକ ପ୍ରତିଯୋଗିତାରେ ବଞ୍ଚିବା ପାଇଁ ସଂଗ୍ରାମ ପରିବର୍ତ୍ତେ ଆଡ଼ମ୍ବର ଓ ଆଭିଜାତ୍ୟର ଉତ୍ତରୋତ୍ତର ବୃଦ୍ଧି ନିମନ୍ତେ ପ୍ରୟାସ କରୁଅଛି। ଉନ୍ନତି ଓ ବିକାଶ ହେଉଛି ପ୍ରତ୍ୟେକ ମଣିଷସମାଜର ଆଦର୍ଶ ଓ ଲକ୍ଷ୍ୟ। ଲକ୍ଷ୍ୟ ଭେଦର ଗତି ଭିନ୍ନ ଭିନ୍ନ ଦିଗ ଉପରେ ନିର୍ଭର କରିଥାଇପାରେ, ମାତ୍ର ସାମଗ୍ରିକ ଭାବରେ ଚିନ୍ତା କଲେ ମଣିଷ ଉନ୍ନତିକୁ ଭଲ ପାଏ ଓ ଚିନ୍ତା ଚେତନାର ବିକାଶରେ ସେ ମାର୍ଜିତ ହୋଇଥାଏ ବୋଲି ଖୁସି ବ୍ୟକ୍ତ କରିଥାଏ। ଜୀବନର ସାର୍ଥକତାର ଉପଲବ୍ଧି ସେତିକିବେଳେ ହୋଇଥାଏ ଯେତେବେଳେ ମଣିଷ ନିଜର ଈପ୍ସିତ ଉଦ୍ଦେଶ୍ୟର ପୂର୍ଣ୍ଣାଙ୍ଗ ରୂପରେଖ ହୋଇଥାଏ। ଅର୍ଥନୈତିକ ମାନଦଣ୍ଡକୁ ଶୃଙ୍ଖଳିତ ଅର୍ଥନୈତିକ ବ୍ୟବସ୍ଥା ଦ୍ୱାରା ସୁଧାର କରାଯାଇ ପାରେ, ମାତ୍ର ଅପ୍ରାପ୍ତ ବସ୍ତୁକୁ ପ୍ରାପ୍ତ ପାଇଁ ଓ ନିଜଠାରେ ଥିବା ଲୁକ୍କାୟିତ ସମ୍ପଦକୁ ଯଦି ମଣିଷ ନାହିଁ ନାହିଁରେ ସମାଜକୁ ଜଣାଇ ଦିଏ, ତେବେ ଜୀବନର ସମସ୍ୟା କେବଳ କେତେ ଅଛି ଓ କେତେ ନାହିଁରେ ନିମର୍ଜିତ ହୋଇଯିବ। ଯାହା ଅଛି ତାହାର ମାନ ଓ ଯାହା ନାହିଁ ତାହାର ଆବଶ୍ୟକତା କେତେ ପ୍ରୟୋଜନ ତାହା ସମୟ, ସ୍ଥିତି ଓ ପରିସ୍ଥିତି ଦ୍ୱାରା ଆଚ୍ଛାଦିତ।
ବିଶ୍ୱ ଦରବାରରେ ମଣିଷ ଆଜି ନିଜର ପରାକାଷ୍ଠାକୁ ପ୍ରତିପାଦନ କରିବାକୁ ଯାଇ କେବଳ ସର୍ବାଙ୍ଗୀନ ଉନ୍ନତି କଳ୍ପେ ଧାବମାନ। ହେଲେ ଏ ମଣିଷ ସମାଜ ନିଜେ ନିଜର ବିଚାରକ ହୋଇ ନିଜକୁ ପ୍ରଶ୍ନ ପଚାରୁ ଆମର ଅଛି କେତେ ଓ ନାହିଁ କେତେ। ଉଭୟର ତର୍ଜମାରେ ସେ ନିଜେ ବିଚାର କରି ନିଜକୁ ନିଜେ ଆଦେଶ, ନିର୍ଦ୍ଦେଶ ଦେଇ ନିଜ ଦ୍ୱାରା ସୃଷ୍ଟି କରିଥିବା ସମ୍ବିଧାନରେ ନ୍ୟାୟାଳୟର ବିଚାରପତି ହୋଇ ବିଚାର କରିବା ଉଚିତ। ବର୍ତ୍ତମାନ ପ୍ରତ୍ୟେକ ସରକାର, ମାନବ ସମାଜ, ଅନୁଷ୍ଠାନ ଆଦି ଗର୍ବର ସହ ଯେଉଁଟା ଆମେ ଉପଲବ୍ଧି କରୁଅଛୁ ସେଥିରେ ଆନନ୍ଦ ଓ ଗର୍ବ ଅନୁଭବ କରୁଛନ୍ତି, ମାତ୍ର ଯାହା ଉପଯୁକ୍ତ, ଯାହା ଆବଶ୍ୟକ ସେଥିପ୍ରତି ଅଧିକ ଉଦାସୀନତା ପରିଲକ୍ଷିତ ହେଉଅଛି। ନ୍ୟାୟାଳୟରେ ବିଚାର ଅଛି ହେଲେ ସତ୍ୟ ନାହିଁ । ଯେଉଁମାନେ ମିଥ୍ୟା ଅନ୍ୟାୟ ଅନୀତିରେ ଆଶ୍ରୟ ନେଉଛନ୍ତି ସେମାନେ ନ୍ୟାୟାଳୟରୁ ନିର୍ଦ୍ଦୋଷ ହେଉଛନ୍ତି ଓ ସେମାନେ ‘ଅଛି’ ସଂଜ୍ଞାରେ ଗର୍ବିତ, କାରଣ ସତ୍ୟ ଧର୍ମ ନ୍ୟାୟ ଆଦି ଆଜି ‘ନାହିଁ ’ ଗୁଣରେ ନ୍ୟାୟାଳୟରେ ଭୂଲୁଣ୍ଠିତ। ସତ କଥା ବ୍ୟକ୍ତ କରିବା ଯେପରି ଏକ ଅପରାଧ ମନେ କରାଯାଉଛି। ବର୍ତ୍ତମାନ ଶିକ୍ଷାର ଯଥେଷ୍ଟ ଉନ୍ନତ ଭିତ୍ତିଭୂମି ଅଛି ହେଲେ ଉତ୍ତମ ଗୁଣାତ୍ମକ ଶିକ୍ଷାର ମାନଦଣ୍ଡ ନାହିଁ, ଚିକିତ୍ସାଳୟ ଅଛି ହେଲେ ଉତ୍ତମ ଚିକିତ୍ସାର ଉପଲବ୍ଧି ନାହିଁ, ସୁରମ୍ୟ ସୌଖୀନ ଅଟ୍ଟାଳିକା ବା ଗୃହ ଅଛି ହେଲେ ଘର ନାହିଁ, ଯେଉଁଠି ପରସ୍ପର ମଧ୍ୟରେ ଶାନ୍ତି ସୌହାର୍ଦ୍ଦ୍ୟ ଓ ଆତ୍ମୀୟତାର ବନ୍ଧନ ରହିଥାଏ। ପରିବାର ଅଛି, ପାରିବାରିକ ସମ୍ପର୍କ ଓ ସ୍ନେହ ନାହିଁ। ଖାଦ୍ୟ ଅଛି ଭୋକ ନାହିଁ, ଶଯ୍ୟା ଅଛି ନିଦ୍ରା ନାହିଁ, ପୁସ୍ତକ ଅଛି ପଢ଼ିବାର ଇଚ୍ଛା ନାହିଁ, ଆଇନ ଅଛି ସୁରକ୍ଷା ନାହିଁ, ରାସ୍ତା ଅଛି ପଥିକ ନାହିଁ, ଜଙ୍ଗଲ ଅଛି ଗଛ ନାହିଁ, ମାନ ଅଛି ସମ୍ମାନ ନାହିଁ, ସ୍ବର୍ଣ୍ଣ ଅଳଙ୍କାର ଅଛି ହେଲେ ପରିଧାନ କରିବାର ସାହସ ନାହିଁ, ଶରୀର ଅଛି ହେଲେ ବିବେକ ନାହିଁ, ଉପସ୍ଥାନ ଅଛି କର୍ମ ନାହିଁ, ସମାଜ ଅଛି ସାମାଜିକତା ନାହିଁ, ଧନ ଅଛି ମନ ନାହିଁ, ଜ୍ଞାନ ଅଛି ଗୌରବ ନାହିଁ, ଅବିଶ୍ୱାସ ଅଛି ବିଶ୍ୱାସ ନାହିଁ, ଗଣତନ୍ତ୍ର ଅଛି ଗୁଣାତ୍ମକ ମାନ ନାହିଁ ଇତ୍ୟାଦି ଇତ୍ୟାଦି। ତେବେ ଉକ୍ତ ‘ଅଛି’ରେ ବର୍ତ୍ତମାନ ମଣିଷ ଅଧିକ ଆନନ୍ଦିତ ଓ ଗର୍ବିତ, ମାତ୍ର ଯାହା ନାହିଁ ତାହା ଅତ୍ୟନ୍ତ ଜରୁରୀ, କାରଣ ଯାହା ବର୍ତ୍ତମାନ ନାହିଁ ତାହା ଦିନେ ଆମ ନିକଟରେ ଥିଲା ଓ ତାହା ହେଉଛି ଜୀବନର ସଂଜ୍ଞା।
ବର୍ତ୍ତମାନ ମଣିଷ ସବୁକିଛି ବିଶ୍ୱ ସ୍ତରୀୟ ହେବା ପାଇଁ ଚିନ୍ତିତ ଓ ବିଶ୍ୱସ୍ତରୀୟ ଉନ୍ନତିର ସ୍ବପ୍ନରେ ନିଜକୁ ସାମିଲ କରୁଛି । ରେଳଷ୍ଟେସନ, ବସ୍‌ ଷ୍ଟାଣ୍ଡ, ବିମାନବନ୍ଦର, ଧାର୍ମିକ ସ୍ଥଳ, ପାର୍କ, ଶିକ୍ଷାନୁଷ୍ଠାନ ଇତ୍ୟାଦି ଇତ୍ୟାଦି ବିଶ୍ୱ ସ୍ତରୀୟ ପାଇଁ ମଣିଷ ଆଶାବାଦୀ । ମାତ୍ର ବିଶ୍ୱସ୍ତରୀୟ କର୍ମାନୁଷ୍ଠାନ କରିବା ପୂର୍ବରୁ ବିଶ୍ୱସ୍ତରୀୟ ଚିନ୍ତାଧାରା ସର୍ବାଗ୍ରେ ଏକାନ୍ତ ଆବଶ୍ୟକ। ସେଥିପାଇଁ ଶିକ୍ଷାର ଅନ୍ତିମ ଶିକ୍ଷାଳୟକୁ ବିଶ୍ୱବିଦ୍ୟାଳୟ କୁହାଯାଏ କାରଣ ଏଠାରେ ଉଭୟ ଶିକ୍ଷକ ଓ ଛାତ୍ର ସଙ୍କୀର୍ଣ୍ଣତାର ହୀନମନ୍ୟତାରୁ ଊର୍ଦ୍ଧ୍ୱରେ ରହି ବିଶ୍ୱ ସ୍ତରୀୟ ଚିନ୍ତାଧାରାରେ ନିଜକୁ ନିମର୍ଜିତ କରିବା ଆବଶ୍ୟକ। ତେବେ ଯାଇ ବିଶ୍ୱସ୍ତରୀୟ ସଂଜ୍ଞାର ପ୍ରତିପାଦନ ହୋଇପାରିବ ।
ଆଜି ଆମ ପାଖରେ ‘ନାହିଁ’ ଅନେକ କିନ୍ତୁ ‘ଅଛି’ର ଅଦୃଶ୍ୟ ମରୀଚିକାକୁ ଆଲିଙ୍ଗନ କରି ଏ ମଣିଷ ନିଷ୍କ୍ରିୟ ହୋଇଗଲାଣି। ସାମଗ୍ରିକ ଭାବେ ବିଚାର କଲେ ଆମ ନିକଟରେ ଯେଉଁଗୁଡିକ ନାହିଁ ଆମେ ତାହା ଗ୍ରହଣ ନ କରି ଯେଉଁଟା ଅଛି ଓ ଯାହା କ୍ଷତିକାରକ ସେଥିପ୍ରତି ମଣିଷର ଧାବମାନ ଅଧିକରୁ ଅଧିକ ପରିଲକ୍ଷିତ ହେଉଅଛି। ଏକବିଂଶ ଶତାବ୍ଦୀର ହୃଦୟ ଉପରେ ଦଣ୍ଡାୟମାନ ହୋଇ ମଣିଷ ନିଜର ପରିଚୟ ଖୋଜିବାକୁ ଅନ୍ୟ ଜଣଙ୍କୁ ପଚାରୁଛି ବିଶ୍ୱ ଦରବାରରେ ମୋର ପରିଚୟ ବିଶ୍ୱସ୍ତରରେ ନା ଅବିଶ୍ୱସନୀୟର ପର୍ବତରେ ଥିବା ଏକ ବୃଥା ଆସ୍ଫାଳନର ପ୍ରତିବିମ୍ବ। ପ୍ରତ୍ୟେକ ମଣିଷର ବିବେକ ହେଉଛି ତା’ର ଅନ୍ତରର ଧ୍ୱନି ଓ ପ୍ରତିଧ୍ୱନି। କୌଣସି କର୍ମାରମ୍ଭ ପୂର୍ବରୁ ଯେପରି ଏକ ଧ୍ୱନିର ସଙ୍କେତ ଦିଆଯାଇଥାଏ, ଠିକ୍‌ ସେହିପରି ମଣିଷର ଯେକୌଣସି ନିଷ୍ପତ୍ତି ତଥା ବକ୍ତବ୍ୟ ପୂର୍ବରୁ ବିବେକ ଏକ ସତ୍ୟର ନିର୍ବିବାଦୀୟ ଧ୍ୱନିର ତରଙ୍ଗ ସୃଷ୍ଟି କରିଥାଏ, ଯାହା ମଣିଷ କେତେବେଳେ ମାନିନେଇଥାଏ ତ କେତେବେଳେ ଅମାନ୍ୟ କରିଥାଏ। ଦିଗହରା ମଣିଷର ଲକ୍ଷ୍ୟ ସବୁବେଳେ ପ୍ରାପ୍ତିରେ ସନ୍ତୋଷ ଲାଭ କରିଥାଏ, ମାତ୍ର ଦିଗ ପ୍ରତି ତୀକ୍ଷଣ ଦୃଷ୍ଟି ଓ ଭେଦ କରିବାର ଅଭିପ୍ରାୟ ନ ଥାଏ। ପରୀକ୍ଷା ନ ଦେଇ କୃତକାର୍ଯ୍ୟ ଚିନ୍ତାଧାରାରେ ମଣିଷ ଯଦି ନିର୍ଣ୍ଣୟାତ୍ମକ ପଦ୍ଧତି ଅନୁସରଣ କରେ ତେବେ ଭବିଷ୍ୟତରେ ପ୍ରଶ୍ନ ପାଇଁ ନିଶ୍ଚିତ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ। ତେଣୁ ସର୍ବ ପ୍ରଥମେ ନିଜ ମଧ୍ୟରେ ଥିବା ଆତ୍ମବଡ଼ିମା, ଗ୍ଳାନି, ଅନ୍ୟାୟ, ଅନୀତି ଆଦିର ଭୂତାଣୁଗୁଡ଼ିକୁ ପରିତ୍ୟାଗ କରି ପାରିଲେ ପ୍ରଥମେ ପାରିବାରିକ ସମ୍ବନ୍ଧ ଦୃଢ଼ ହେବା ସଙ୍ଗେ ସଙ୍ଗେ ସାମାଜିକ ଓ ରାଷ୍ଟ୍ରୀୟ ଏକତା ବୃଦ୍ଧି ହେବ। ବିଶ୍ୱମାନସିକତାରେ ବିଶ୍ୱ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହେଲେ ସଭ୍ୟତା ଓ ଶାଳୀନତାର ସେତୁ ବନ୍ଧରେ ମଣିଷ ଧାବମାନ କରିପାରିବ। ପରିଶେଷରେ ନିଜକୁ ମାର୍ଜିତ କରି ଆମ ନିକଟରେ ଥିବା ଲୁକ୍କାୟିତ ସମ୍ପଦର ସୁବିତରଣ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ।
ଜୀବନରେ ସମସ୍ତଙ୍କର ଭିନ୍ନ ପରିସ୍ଥିତି ଥାଏ। ସମସ୍ତେ ଜୀବନର ଏକ ନିଜସ୍ବ ପରିସ୍ଥିତିରୁ କର୍ମ ଆରମ୍ଭ କରନ୍ତି ଏବଂ ସଫଳତା ଆଡ଼କୁ ନିଜର ଯାତ୍ରା କରନ୍ତି। ସର୍ବଦା ନିଜକୁ ଅନ୍ୟମାନଙ୍କ ସହିତ ଆଡ଼ମ୍ବର ଓ ଆଭିଜାତ୍ୟର ତୁଳନା କରିବାର ଅଭ୍ୟାସରେ ରହିଲେ ତାହା ନିଶ୍ଚୟ ମଣିଷକୁ କ୍ରମାଗତ ଅସନ୍ତୋଷ ଅବସ୍ଥାରେ ରଖିବ। ତେଣୁ ପ୍ରଥମେ ମୌଳିକତାକୁ ପ୍ରାଧାନ୍ୟ ଦେଇ ଆମ ନିକଟରେ ଥିବା ଗୁଣାତ୍ମକ ଶକ୍ତିର ‘ନାହିଁ’ ଗୁଡ଼ିକୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରୟୋଗ କଲେ ବିଜୟର ପଥ ସୁଗମ ହୋଇପାରିବ; ଯେଉଁଠି ନ ଥିବ ଆମର ଅଛି କେତେ ଓ ନାହିଁ କେତେର ଅଦୃଶ୍ୟ ପ୍ରତିଯୋଗିତା।
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର, ଭାରତ ସରକାର, ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri