Categories: ଖେଳ

ବ୍ରାଭୋ କେତୋଟି ମ୍ୟାଚ୍‌ ଖେଳିବେନି

ଆବୁଧାବି,୨୧।୯(ପି.ଟି.): ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆଗାମୀ କେତୋଟି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ ହେଡ୍‌ କୋଚ୍‌ ଷ୍ଟିଫାନ ଫ୍ଲେମିଂ କହିଛନ୍ତି। ବ୍ରାଭୋଙ୍କ ଅନୁପସ୍ଥିତି ସତ୍ତ୍ୱେ ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ବ୍ରାଭୋ ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି। କ୍ୟାରିବିୟାନ ପ୍ରିମିୟର ଲିଗ୍‌ ଅବସରରେ ସେ ଆହତ ହୋଇଥିଲେ ଓ ଫାଇନାଲ ମ୍ୟାଚ୍‌ରେ ଆଣ୍ଠୁ ଆଘାତ ସମସ୍ୟା ଯୋଗୁ ବୋଲିଂ କରି ନ ଥିଲେ। ବ୍ରାଭୋଙ୍କ ସ୍ଥାନରେ ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ ଖେଳିଥିଲେ ଓ ୬ ବଲରୁ ୧୮ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ବୋଲିଂ କରି ସେ ୨୮ ରନ ବ୍ୟୟ କରି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ସେ ବିପଜ୍ଜନକ କ୍ୱିଣ୍ଟନ ଡିକକ୍‌ଙ୍କୁ ଆଉଟ କରିଥିଲେ। କୁରାନ ଦମ୍‌ଦାର ପ୍ରଦର୍ଶନ କରିଥିଲେ ବୋଲି ଫ୍ଲେମିଂ କହିଛନ୍ତି। ୨୨ ତାରିଖରେ ଚେନ୍ନାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ।

Share