ଗ୍ରାମପଞ୍ଚାୟତ ସୁଦୃଢ଼ ହେବ କିପରି

ଈପ୍ସିତା ମହାନ୍ତି

 

ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ଏକ ପ୍ରାଚୀନତମ ଭାରତୀୟ ପରମ୍ପରା। ଏହି ହେଉଛି ସର୍ବଶ୍ରେଷ୍ଠ ସାମାଜିକ ଓ ରାଜନୈତିକ ଅନୁଷ୍ଠାନ। ଭାରତୀୟ ଇତିହାସର ପ୍ରତିଟି ପର୍ଯ୍ୟାୟରେ ଦୃଷ୍ଟିଗୋଚର ହୋଇଥାଏ ଏହାର ଅସ୍ତିତ୍ୱ। ପଞ୍ଚାୟତ ନାମକ ସଙ୍ଗଠନଟି ସମ୍ବାଦ, ସମ୍ମତ, ସହଯୋଗ, ସହଭାଗ ଏବଂ ସହକାର ଭଳି ପଞ୍ଚତତ୍ତ୍ବ ଆଧାରିତ ଜୀବନଶୈଳୀକୁ ପ୍ରତିନିଧିତ୍ୱ କରିଥାଏ। ସ୍ବାଧୀନ ଭାରତର ସମ୍ବିଧାନ ସଭାରେ ଗାନ୍ଧୀବାଦ ବିଷୟରେ ବହୁବାର ଆଲୋଚିତ ହୋଇଛି ସତ, କିନ୍ତୁ ଏହାକୁ ହୃଦୟ ସହକାରେ ସ୍ବୀକାର କରାଯାଇ ନାହିଁ। ଯେଉଁ ଗାନ୍ଧୀବାଦରେ ପଞ୍ଚାୟତକୁ ‘ପ୍ରକୃତ ଗଣତନ୍ତ୍ର’ ଏବଂ ‘ସ୍ବାଧୀନତାର ପ୍ରାରମ୍ଭିକ ବିନ୍ଦୁ’ ଭାବେ ବିବେଚନା କରାଯାଉଥିଲା; ସମ୍ବଳ ଏବଂ ସମୟର ଅଭାବ ଦର୍ଶାଇ ତାହାକୁ ନୀତି ନିର୍ଦ୍ଦେଶକ ତତ୍ତ୍ବ ଅଧୀନରେ ରାଜ୍ୟ ସରକାରଙ୍କ ବିବେକ ଉପରେ ଛାଡ଼ିଦିଆଗଲା। ୭୩ତମ ସମ୍ବିଧାନ ସଂଶୋଧନ ଅଧିନିୟମ (୧୯୯୨) ଅନୁସାରେ ପଞ୍ଚାୟତଗୁଡ଼ିକୁ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରାଗଲା। ୧୯୮୮ରେ ଗଠିତ ଭି.ଏନ୍‌. ଗାଡ୍‌ଗିଲ କମିଟିର ସୁପାରିସ ଥିଲା ଏହି ସଂଶୋଧନ ବିଧେୟକର ମୂଳାଧାର। ଏହା ସତ୍ତ୍ବେ ପଞ୍ଚାୟତଗୁଡ଼ିକ ସନ୍ତୋଷଜନକ ଫଳାଫଳ ଦେଇପାରିଲେ ନାହିଁ।
ମୁକ୍ତ ବୈଠକ ଆୟୋଜିତ ନ ହେବା ପଞ୍ଚାୟତର ସବୁଠାରୁ ବଡ଼ ସମସ୍ୟା। ପ୍ରଥମେ ପଞ୍ଚାୟତ ଅଧୀନସ୍ଥ ପ୍ରତ୍ୟେକଟି ଗାଁ’ର ବିଭିନ୍ନ ସମସ୍ୟା ଉପରେ ତୃଣମୂଳସ୍ତରୀୟ ମୁକ୍ତ ଆଲୋଚନାର ବୈଠକ ଆୟୋଜନ କରାଯିବ। ପରବର୍ତ୍ତୀ ସମୟରେ ପଞ୍ଚାୟତ ବୈଠକରେ ଉକ୍ତ ବିଷୟରେ ଖୋଲା ଆଲୋଚନା କରାଯାଇ ସର୍ବସମ୍ମତି ନିଷ୍ପତ୍ତି ନେବା ଉଚିତ ହେବ। କିନ୍ତୁ ଅନେକ ସମୟରେ କିଛି ସରପଞ୍ଚ ଓ ପିଇଓ ବା ସମ୍ପାଦକ ବୈଠକ ପାଇଁ କୋରମ ଅଭାବ ବୋଲି ବିବୃତି ଦେଇଥା’ନ୍ତି। ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ, କାରଣ ଗ୍ରାମବାସୀ କେବଳ ଗ୍ରାମରେ ହିଁ ରୁହନ୍ତି। ବୈଠକରେ ଉପସ୍ଥିତ ନ ରହିବାର କ୍ଷତିକୁ ସେମାନେ ବୁଝନ୍ତି ନାହିଁ। ଯେହେତୁ ଅଧିକାରୀମାନଙ୍କୁ ନିଷ୍ପତ୍ତି ନେବାରେ ସୁବିଧା ହେବ; ତେଣୁ ସେମାନେ ବୈଠକର ସୂଚନା ଲୋକଙ୍କୁ ଦିଅନ୍ତି ନାହିଁ। ଏହା ହିଁ ହେଉଛି ବାସ୍ତବତା। ଅବଶ୍ୟ ପ୍ରଶାସନର ସହଯୋଗ ବିନା ଏହା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ବୈଠକ ପୂର୍ବରୁ ମୋବାଇଲ କିମ୍ବା ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମରେ ସୂଚନା ପ୍ରଦାନକୁ ଅନିବାର୍ଯ୍ୟ କରିଦେବା ଉଚିତ ହେବ। ପୁଣି, ଏହି ବୈଠକର ଭିଡିଓ ପ୍ରସ୍ତୁତ କରାଗଲେ ତୃଣମୂଳସ୍ତରୀୟ ଅନୀତି ଓ ଦୁର୍ନୀତିରେ ରୋକ ଲାଗିପାରିବ।
ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥାରେ ସଂସ୍କାର ଆଣିବା, ଆଜି ବି ରାଜ୍ୟ ସରକାରଙ୍କ ତାଲିକାରେ ପ୍ରାଥମିକତା ହାସଲ କରିନାହିଁ। ୧୯୭୭ରେ ଗଠିତ ଅଶୋକ ମେହେଟ୍ଟା କମିଟିର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିଷ୍ଠାନ ଉପରେ ଅଯଥା ହସ୍ତକ୍ଷେପ କରିବା ଉଚିତ ନୁହେଁ। କିନ୍ତୁ ରାଜ୍ୟଗୁଡ଼ିକ ଅନୁଭବ କରନ୍ତି ଯେ, ପଞ୍ଚାୟତଗୁଡ଼ିକର ସୁଗମ ବିକାଶ ସେମାନଙ୍କ ଅଧିକାର କ୍ଷେତ୍ରକୁ ହ୍ରାସ କରିଦେବ। ନିଜ କର୍ମଚାରୀଙ୍କ ଦ୍ବାରା ରାଜ୍ୟ ସରକାର ପଞ୍ଚାୟତଗୁଡ଼ିକୁ ନିୟନ୍ତ୍ରଣ କରିଥା’ନ୍ତି। ତୃଣମୂଳ ସ୍ତରରେ ସରକାର ପ୍ରାଥମିକ ଶିକ୍ଷକ, ଗ୍ରାମ ରୋଜଗାର ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପରିମଳ କର୍ମଚାରୀ, ନଳକୂପ ମରାମତି କର୍ମଚାରୀ, ଅଙ୍ଗନୱାଡି, ଆଶା ଭଳି କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି। ଏମାନେ ଗ୍ରାମବାସୀଙ୍କ ନିକଟରେ ଉତ୍ତରଦାୟୀ। ଅଧିକାଂଶ ସରପଞ୍ଚଙ୍କ ଅଭିଯୋଗ ଯେ, ସେମାନେ କୌଣସି ଭଲ କାମ କରିବାକୁ ଚାହିଁଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବା ପିଇଓମାନେ ସେଥିରେ ବାଧା ସୃଷ୍ଟି କରନ୍ତି। ସମ୍ପ୍ରତି ଜଣେ ଜଣେ ପିଇଓଙ୍କ ଅଧୀନରେ ୨/୩ଟି ପଞ୍ଚାୟତର ଦାୟିତ୍ୱ ରହିଛି। ଦୁର୍ନୀତି ବୃଦ୍ଧିର ଏହା ଏକ ଅନ୍ୟତମ କାରଣ।
ସାମ୍ବିଧାନିକ ଭାବେ ଭାରତରେ ତିନୋଟି ସରକାର ମାନ୍ୟତା ପାଇଛନ୍ତି। ସେମାନେ ହେଲେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ପଞ୍ଚାୟତିରାଜ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ବ କର୍ମଚାରୀ ଅଛନ୍ତି। ଏ ଦୃଷ୍ଟିରୁ ଗ୍ରାମାଞ୍ଚଳ ସେବା ପାଇଁ ଏକ ପୃଥକ୍‌ କ୍ୟାଡର (ସଂବର୍ଗ) ଆବଶ୍ୟକ। ଯେଉଁମାନେ ବିଶେଷକରି ଗ୍ରାମୀଣ ସ୍ତରରେ କାର୍ଯ୍ୟ କରିବେ। ଏହି ନିଯୁକ୍ତିରେ କେବଳ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦିଆଯିବ। ଗ୍ରାମୀଣ ସେବା କ୍ୟାଡର ପାଇଁ ସ୍ଥାନୀୟ ଲୋକଙ୍କୁ ଚୟନ କରିବାରେ ସେଭଳି କିଛି ଅସୁବିଧା ହେବନାହିଁ। ଯଦିଓ ରାଜ୍ୟ, ଜିଲା କିମ୍ବା ଆଞ୍ଚଳିକ ସ୍ତରରେ ଗ୍ରାମୀଣ କ୍ୟାଡର ଚୟନ କରାଯିବ, କିନ୍ତୁ ଗାଁ ରେ ରହିବା ଦ୍ବାରା ଏମାନଙ୍କର ସହଜ ଉପଲବ୍ଧତା ନିଶ୍ଚିତ ହେବ। ନିଜ ଗ୍ରାମ ପାଇଁ ଏମାନେ ବିଶ୍ବାସଭାଜନ ହେବେ। ନିୟମିତ ଅନ୍ତରାଳରେ ସରକାରୀ ସଂସ୍ଥା ବା ଯେକୌଣସି ତୃତୀୟ ପକ୍ଷ ଅବା ନାଗରିକ ସମାଜ ଦ୍ବାରା ଏମାନଙ୍କ କାର୍ଯ୍ୟକୁ ତଦାରଖ କରାଯାଇପାରେ।
ବଞ୍ଚତ୍ତ ସମୂହର ଅଂଶଗ୍ରହଣ, ଉତ୍ତରଦାୟିତ୍ୱ, ପାରଦର୍ଶିତା ଏବଂ ସ୍ବଚ୍ଛତାର ସନ୍ଦର୍ଭରେ ଗ୍ରାମସଭାର ସଶକ୍ତୀକରଣ ଏକ ସଶକ୍ତ ହତିଆର। କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ରାଜ୍ୟ ଗ୍ରାମସଭାର ଅଧିକାରକୁ ସ୍ପଷ୍ଟ କରିନାହାନ୍ତି। ଅନେକ ରାଜ୍ୟରେ ପଞ୍ଚାୟତଗୁଡ଼ିକ ହେଉଛନ୍ତି ବ୍ଲକ ଅଧୀନସ୍ଥ ସଂସ୍ଥା। ତେଣୁ ପଞ୍ଚାୟତର ମୁଖ୍ୟ ଭାବେ ସରପଞ୍ଚମାନେ ପାଣ୍ଠି ଏବଂ ଅନ୍ୟାନ୍ୟ ବୈଷୟିକ ଅନୁମୋଦନ ପାଇଁ ନିୟମିତ ଭାବେ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିଥା’ନ୍ତି। ପଞ୍ଚାୟତର ଅନ୍ୟତମ ସମସ୍ୟା ହେଉଛି ଅଧିକାରୀଙ୍କ ବାବୁଗିରି ଚିନ୍ତାଧାରା, ଯାହା ଗ୍ରାମୀଣ ସମସ୍ୟାକୁ ହେୟ ଦୃଷ୍ଟିରେ ଦେଖେ ଏବଂ ଏଥିପ୍ରତି ଉପେକ୍ଷିତ ମନୋଭାବ ପୋଷଣ କରେ। ୧୯୮୫ରେ ଯୋଜନା ଆୟୋଗ ଦ୍ବାରା ଗଠିତ ହୋଇଥିଲା ଜିବିକେ ରାଓ କମିଟି। ଏହି କମିଟିର ନିଷ୍କର୍ଷ ଅନୁସାରେ ଅମଲାତନ୍ତ୍ର ସହ ଜଡ଼ିତ ହେବା ଦିନରୁ ବିକାଶ ପ୍ରକ୍ରିୟା ପଞ୍ଚାୟତଠାରୁ ଦୂରେଇ ଯାଇଛି। ଏହି ପ୍ରକ୍ରିୟା ଦ୍ୱାରା ପଞ୍ଚାୟତିରାଜ ଅନୁଷ୍ଠାନ କ୍ରମଶଃ ଦୁର୍ବଳ ହୋଇଛି। ଗୋଟିଏ ପଟେ ଅଶିକ୍ଷା ଓ ସଚେତନତାର ଅଭାବ ହେତୁ ଗ୍ରାମୀଣ ସମାଜ ନିଜ ଅଧିକାର ବିଷୟରେ ଅଜ୍ଞ ଅଟନ୍ତି। ଅନ୍ୟପଟେ ଅଧିକାରୀଙ୍କ ଅସହଯୋଗ ଏବଂ ଅହଂକାରୀ ମନୋଭାବ ସେମାନଙ୍କ ଏବଂ ଜନତାଙ୍କ ମଧ୍ୟରେ ଦୂରତା ଓ ଅବିଶ୍ୱାସକୁ ବଢ଼ାଇ ଚାଲିଛି। ସହଯୋଗୀ ଗଣତନ୍ତ୍ର ପାଇଁ ଏହା ଘାତକ ।
ବର୍ତ୍ତମାନର ସବୁଠାରୁ ବଡ଼ ପ୍ରଶ୍ନ, ପଞ୍ଚାୟତକୁ ପ୍ରକୃତ ନ୍ୟାୟିକ କ୍ଷମତା ପ୍ରଦାନ କରିବା। ୧୯୮୬ରେ ଗଠିତ ଏଲ୍‌.ଏମ୍‌. ସିଙ୍ଗଭୀ କମିଟି ଗ୍ରାମ ସମୂହ ପାଇଁ ନ୍ୟାୟିକ ପଞ୍ଚାୟତ ପ୍ରତିଷ୍ଠା ସକାଶେ ସୁପାରିସ କରିଥିଲେ। ପ୍ରାୟ ସମସ୍ତ ଆଇନଜ୍ଞ ସ୍ବୀକାର କରନ୍ତି ଯେ, ଦଶରୁ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ମକଦ୍ଦମା ଲଢ଼ି ଦଶରୁ କୋଡ଼ିଏ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ନ୍ୟାୟାଳୟ ଯେଉଁ ଅନ୍ତିମ ନିଷ୍ପତ୍ତି ଶୁଣାନ୍ତି, ତାହା ଶତ୍ରୁତା ସମାପ୍ତ କରେ ନାହିଁ, ବରଂ ପିଢ଼ି ପରେ ପିଢ଼ି ଏହା ବଳବତ୍ତର ରହିଥାଏ। କିନ୍ତୁ ପଞ୍ଚାୟତ ଶୁଣାଉଥିବା ନିଷ୍ପତ୍ତିକୁ ଲୋକେ ଖୁସିର ସହ ଗ୍ରହଣ କରିନିଅନ୍ତି ଏବଂ ଶତ୍ରୁତାରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିଯାଏ। ଏହା ଯେ କେବଳ ଲୋକଙ୍କ ଅଯଥା ବ୍ୟୟକୁ ରୋକେ ତାହା ନୁହେଁ, ନ୍ୟାୟାଳୟ ଓ ପୋଲିସ ପ୍ରଶାସନର ସମୟ ଏବଂ ଶକ୍ତିକୁ ମଧ୍ୟ ସଞ୍ଚୟ କରିଥାଏ। ଏଥିସହିତ ଗାଁର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟ ଅତୁଟ ରହିଥାଏ।
ପଞ୍ଚାୟତଗୁଡ଼ିକର ଅନ୍ୟ ଏକ ପ୍ରମୁଖ ସମସ୍ୟା ଆର୍ଥିକ ସମ୍ବଳ ପ୍ରୟୋଗର ଅନିଚ୍ଛା ସହ ଜଡ଼ିତ। ଏହା ସତ୍ୟ ଯେ, ପଞ୍ଚାୟତଗୁଡ଼ିକର ଆର୍ଥିକ କ୍ଷମତା ଅତି ସୀମିତ; କିନ୍ତୁ ମହତ୍ତ୍ବପୂର୍ଣ୍ଣ କ୍ଷମତା ସ୍ବରୂପ ହାଟ, ବଜାର, ଯାତ୍ରା, ମେଳା, ସର୍ବସାଧାରଣ ଶୌଚାଳୟର ପରିଚାଳନା ପରି ଅନ୍ୟାନ୍ୟ ଉପଲବ୍ଧ ସେବା ପାଇଁ କର ଆଦାୟ କରିବା ଏବଂ ସମ୍ପତ୍ତି ଉପରେ ଟିକସ ସଂଗ୍ରହ କରିବା କ୍ଷମତା ପଞ୍ଚାୟତର ରହିଛି। ତେବେ କ୍ବଚିତ୍‌ ପଞ୍ଚାୟତ ଆଜି ନିଜ ଆର୍ଥିକ କ୍ଷମତା ପ୍ରୟୋଗ କରିବାରେ ସକ୍ଷମ। ଅସଲରେ ନିଜ ଲୋକଙ୍କଠାରୁ ଟିକସ ସଂଗ୍ରହ କରିବା ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଏକ ଅସହଜ କାର୍ଯ୍ୟ। ଏହା ସେମାନଙ୍କ ବ୍ୟକ୍ତିଗତ ସମ୍ପର୍କକୁ ପ୍ରଭାବିତ କରିବାରେ ଆଶଙ୍କା ରହିଛି। ଏଥିପାଇଁ ପଞ୍ଚାୟତଗୁଡ଼ିକ ଏକ ସହଜ ବିକଳ୍ପ ଚୟନ କରି ବିଭିନ୍ନ ଟିକସ ଆଦାୟରୁ ଦୂରେଇ ରହନ୍ତି। ଫଳସ୍ବରୂପ ସେମାନଙ୍କର ଆର୍ଥିକ ସମ୍ବଳ ହ୍ରାସ ପାଇଥାଏ। ତଥ୍ୟ ଅନୁସାରେ ଦେଶର ପ୍ରାୟ ୨୦ ପ୍ରତିଶତ ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ (ଭବନ) ନାହିଁ। ଦେଶର ପ୍ରାୟ ୨୫ ପ୍ରତିଶତ ପଞ୍ଚାୟତ ପାଖରେ କମ୍ପ୍ୟୁଟରରେ କାମ କରିବା ସୁବିଧା ରହିଛି। ଅବଶିଷ୍ଟ ପଞ୍ଚାୟତର ଅଧିକାଂଶ ସଦସ୍ୟ ଅଶିକ୍ଷିତ କିମ୍ବା ଅର୍ଦ୍ଧଶିକ୍ଷିତ ପୃଷ୍ଠଭୂମିରୁ ଆସିଛନ୍ତି। ଏହି କାରଣରୁ ସେମାନେ ନିଜ ଦାୟିତ୍ୱ, ଅଧିକାର ଏବଂ ପଞ୍ଚାୟତର କାର୍ଯ୍ୟପ୍ରଣାଳୀ ବିଷୟରେ ପ୍ରାୟତଃ ଅବଗତ ନଥା’ନ୍ତି, ଯାହା ପଞ୍ଚାୟତର କାର୍ଯ୍ୟଦକ୍ଷତା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।
ପଦବୀର ସଂରକ୍ଷଣ ମହିଳା ଏବଂ ଦଳିତଙ୍କ ପାଇଁ ସଶକ୍ତୀକରଣର ବାଟ ଫିଟାଇବ ବୋଲି ସମ୍ବିଧାନରେ ପରିକଳ୍ପନା କରାଯାଇଥିଲା। ବର୍ତ୍ତମାନ କ୍ଷମତା ଏବଂ ଅର୍ଥର ଲୋଭ ଏହାର ବିକଳ୍ପ ଖୋଜି ପାଇଛି। ଆଜି ମହିଳା ଏବଂ ଦଳିତମାନଙ୍କୁ ପଦାସୀନ କରାଇ କ୍ଷମତା ହାତେଇବା ପରମ୍ପରା ଅବ୍ୟାହତ ରହିଛି। ସଶକ୍ତୀକରଣର ଅର୍ଥ ଆର୍ଥିକ ସ୍ବାବଲମ୍ବନ ଏବଂ ନିଷ୍ପତ୍ତି ନେବାର ସ୍ବାଧୀନତା। କିନ୍ତୁ ଏହି ଉଦ୍ଦେଶ୍ୟକୁ ପଞ୍ଚାୟତଗୁଡ଼ିକ ସଠିକ ଭାବେ ପୂରଣ କରିପାରୁ ନାହାନ୍ତି। ଭାରତର ଆତ୍ମା ଗ୍ରାମରେ ରହିଛି, ଏକଥା ଗାନ୍ଧିଜୀ ବିଶ୍ୱାସ କରିଥିଲେ। ଅତଏବ ନୂତନ ଭାରତ ନିର୍ମାଣର ସ୍ବପ୍ନକୁ ସାକାର କରିବା ପାଇଁ ଗାଁର ବିକାଶ ନିହାତି ଜରୁରୀ, ଯାହା ତୃତୀୟ ସରକାର ଅର୍ଥାତ୍‌ ପଞ୍ଚାୟତ ଦ୍ୱାରା ସମ୍ଭବ। ବାସ୍ତବିକ ପଞ୍ଚାୟତଗୁଡ଼ିକ ଉପେକ୍ଷିତ ହୋଇ ଚାଲିଲେ ନୂତନ ଭାରତ ନିର୍ମାଣ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେବ।
ବୈପାରୀଗୁଡ଼ା, କୋରାପୁଟ,
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?