ଗୃହିଣୀଙ୍କ ମୂଲ୍ୟାୟନ

ପ୍ରକାଶ ତ୍ରିପାଠୀ

 

ମୋ ପତ୍ନୀ କିଛି କରନ୍ତିନି, ସେ ଜଣେ ଗୃହିଣୀ। ସେ କିଛି କରନ୍ତିନି ବୋଲି ଘରେ ରୋଷେଇବାସ କରନ୍ତି, ଘରର ସମସ୍ତଙ୍କୁ ଠିକ୍‌ ସମୟରେ ସକାଳେ, ମଧ୍ୟାହ୍ନରେ ଓ ରାତିରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତକରି ଖାଇବାକୁ ଦିଅନ୍ତି। ଘର ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଘରର ସମସ୍ତ ସଦସ୍ୟଙ୍କ ଲୁଗାପଟା ସଫା କରନ୍ତି। ଘରେ କିଏ ରୋଗରେ ପଡିଲେ ସେବା କରନ୍ତି। ଘରର ବୟୋଜ୍ୟେଷ୍ଠମାନଙ୍କ ସେବାଯତ୍ନ କରିବା ସହ ଛୋଟ ପିଲାମାନଙ୍କୁ ଲାଳନପାଳନ କରନ୍ତି। ପିଲାଙ୍କ ହୋମ୍‌ ୱାର୍କରେ ସାହାଯ୍ୟ କରିବା ସହ ସେମାନେ ଠିକ୍‌ ସମୟରେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ କରାନ୍ତି। ଘରକୁ ବନ୍ଧୁବାନ୍ଧବ ଆସିଲେ ସେମାନଙ୍କୁ ଉଚିତ ସତ୍କାର କରନ୍ତି। ଗୃହିଣୀମାନେ ଘରେ ଏହିଭଳି ଅନେକ କାମ କରିଥାନ୍ତି କାରଣ ସେ ଜଣେ ଗୃହିଣୀ ବା ଆଧୁନିକ ଭାଷାରେ ହାଉସ ୱାଇଫ୍‌। ଘରେ କେହି ଉଠିବା ଆଗରୁ ଗୃହିଣୀମାନେ ପ୍ରଥମେ ଉଠିଥାନ୍ତି ଓ ସମସ୍ତେ ଶୋଇବା ପରେ ସବୁ କାମସାରି ଶୋଇବାକୁ ଯାଇଥାନ୍ତି। ସକାଳେ ଶଯ୍ୟା ତ୍ୟାଗଠାରୁ ରାତ୍ର ଶୋଇବା ପର୍ଯ୍ୟନ୍ତ ଏମାନେ କାର୍ଯ୍ୟ କରୁଥିଲେ ବି ଏମାନଙ୍କ କାର୍ଯ୍ୟକୁ ହିସାବ କରାଯାଇ ନ ଥାଏ। ବାହାରେ କୌଣସି କାର୍ଯ୍ୟାଳୟ ବା ଅନୁଷ୍ଠାନରେ ଏମାନେ ସେବା ଓ ଶ୍ରମ ପ୍ରଦାନ କରି ନ ଥାନ୍ତି ବା କେଉଁଠାରୁ ଦରମା ପାଇ ନ ଥାନ୍ତି। ନିଜ ଘରେ ଅବିରତ କାର୍ଯ୍ୟକରି କୌଣସି ପାରିଶ୍ରମିକ ଦାବି କରୁ ନ ଥିବାରୁ ଏମାନେ କିଛି କାମ କରନ୍ତିନି ବୋଲି ଧରି ନିଆଯାଏ, ଯାହାକି ସମ୍ପୂର୍ଣ୍ଣ ଭୁଲ। ନିକଟରେ ସୁପ୍ରିମକୋର୍ଟ ପରିବାରରେ ଗୃହିଣୀମାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ମତ ରଖିବା ନିଶ୍ଚିତ ଏକ ଭଲ ଖବର ଓ ସେମାନଙ୍କ ଉପରେ ନିକୃଷ୍ଟ ଚିନ୍ତା ରଖୁଥିବା ପୁରୁଷମାନେ ସେମାନଙ୍କ ଭାବନାରେ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଛି।
୨୦୦୬ରେ ଉତ୍ତରାଖଣ୍ଡରେ ବସ୍‌ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଓ ତାଙ୍କର ନାବାଳକ ପୁତ୍ରକୁ କ୍ଷତିପୂରଣ ବାବଦରେ ଅଢେଇ ଲକ୍ଷ ଟଙ୍କା ଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ ନିର୍ଦ୍ଦେଶରେ ଅସନ୍ତୁଷ୍ଟ ହୋଇ ମୃତ ମହିଳାଙ୍କ ସ୍ବାମୀ ଉତ୍ତରାଖଣ୍ଡ ହାଇକୋର୍ଟରେ ଦରଖାସ୍ତ କରିଥିଲେ। ମାତ୍ର ତାଙ୍କର ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ମହିଳା ଜଣଙ୍କ ଜଣେ ଗୃହିଣୀ ଥିଲେ ଓ ତାଙ୍କର ଆୟକୁ ଜଣେ ଦିନ ମଜୁରିଆର ଆୟ ସହ ତୁଳନା କରି ଟ୍ରିବ୍ୟୁନାଲ କ୍ଷତିପୂରଣ ସ୍ଥିରୀକୃତ କରିଥିଲେ, ଯାହାକୁ ହାଇକୋର୍ଟ ଠିକ୍‌ ଦର୍ଶାଇଥିଲେ। ହାଇକୋର୍ଟଙ୍କ ବିଚାରରେ ଅସନ୍ତୁଷ୍ଟ ମୃତ ମହିଳାଙ୍କ ସ୍ବାମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ। ସୁପ୍ରିମକୋର୍ଟ ମାମଲାର ବିଚାର କରି ରାୟ ଦେଇଥିଲେ ଯେ ଜଣେ ଗୃହିଣୀର ଆୟକୁ କିପରି ଜଣେ ଦିନମଜୁରିଆର ଆୟ ସହ ତୁଳନା କରାଯିବ? କୌଣସି କାର୍ଯ୍ୟାଳୟରେ ଚାକିରି କରୁଥିବା ଜଣେ ପୁରୁଷର ରୋଜଗାରଠାରୁ ଘରେ ଥିବା ତା’ର ଗୃହିଣୀ ବା ପତ୍ନୀଙ୍କ ରୋଜଗାର କମ୍‌ ନୁହେଁ। ପରିବାର ପ୍ରତି ଗୃହିଣୀଙ୍କ ସମର୍ପିତ ସମୟ, ସେବା ଓ କାର୍ଯ୍ୟକୁ ଅଣଦେଖା କରାଯିବା ଅନୁଚିତ। କ୍ଷତିପୂରଣ ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ଏହାକୁ ତୁରନ୍ତ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
୨୦୧୧ ଜନଗଣନା ଅନୁଯାୟୀ, ପ୍ରାୟ ୧୬ କୋଟି ମହିଳା ଘରୋଇ କାର୍ଯ୍ୟକୁ ସେମାନଙ୍କର ମୁଖ୍ୟ ବୃତ୍ତି ଭାବରେ ଉଲ୍ଲେଖ କରିଥିବା ବେଳେ ମାତ୍ର ୫.୭୯ ନିୟୁତ ପୁରୁଷ ଘରୋଇ କାର୍ଯ୍ୟ କରୁଥିବା ତଥ୍ୟ ପ୍ରକାଶ ପାଇଥିଲା। ଜାତୀୟ ପରିସଂଖ୍ୟାନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ‘ଭାରତରେ ମହିଳାମାନେ ହାରାହାରି ଦିନକୁ ପ୍ରାୟ ୨୯୯ ମିନିଟ ଘର ପାଇଁ ବ୍ୟୟ କରୁଥିବା ବେଳେ ପୁରୁଷମାନେ ମାତ୍ର ୯୭ ମିନିଟ ଉପଯୋଗ କରିଥାନ୍ତି। ପୁରୁଷଙ୍କ ଅପେକ୍ଷା ଘର ପାଇଁ ଅଧିକ ସମୟ ବ୍ୟୟ କରୁଥିବା ମହିଳାଙ୍କୁ ଗୁରୁତ୍ୱ ଦିଆ ନ ଯିବା ଓ ତାଙ୍କର କାର୍ଯ୍ୟ ବା ସେବାକୁ ଅଣଦେଖା କରାଯିବା ପରିତାପର ବିଷୟ। ଜଣେ ଗୃହିଣୀ ଆବଶ୍ୟକତା ଅନୁଯାୟୀ ଘରର ଆର୍ଥିକ ବ୍ୟବସ୍ଥାର ସୁପରିଚାଳନା କରନ୍ତି, ଏହା ସହ ପରିବାରରେ ରୋଜଗାର ବୃଦ୍ଧି ପାଇଁ ସ୍ବାମୀଙ୍କୁ କୃଷି କାର୍ଯ୍ୟରେ ସହଯୋଗ କରିବା, ଘରେ ଗୃହପାଳିତ ପ୍ରାଣୀ ରଖିବା, ବଡି, ପାମ୍ପଡ, ଆଚାର, ଶୁଖୁଆ ପ୍ରସ୍ତୁତି କରି ବିକିବା ଇତ୍ୟାଦି ଅନେକ ରୋଜଗାରଭିତ୍ତିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତି। ୨୦୨୦ରେ ଅଭିନେତା-ରାଜନେତା କମଲ ହାସନ ଗୃହିଣୀମାନଙ୍କ ଅବଦାନକୁ ଉପଲବ୍ଧି କରିଥିଲେ। ସେଥିପାଇଁ ସେମାନଙ୍କ ଅଜ୍ଞାତ ତଥା ଅଣସଂଗଠିତ ଶ୍ରମ ପାଇଁ ଗୃହିଣୀମାନଙ୍କ ଲାଗି ଦରମା ପ୍ରତିଶ୍ରୁତି ଦେଇଥିଲେ ନିଜର ରାଜନୈତିକ ଦଳର ନିର୍ବାଚନ ଇସ୍ତାହାରରେ।
ଏହି ପ୍ରସ୍ତାବ ତାଙ୍କ ନିର୍ବାଚନୀ ଇସ୍ତାହାରର ଏକ ଅଂଶ ଥିଲେ ବି ରାଜ୍ୟ ନିର୍ବାଚନରେ ଦଳ ହାରିଯିବାରୁ ତାହା ଅନ୍ଧାର ଭିତରେ ରହିଗଲା।
ଯେହେତୁ ଜଣେ ଗୃହିଣୀ ନିଜର ପିଲାମାନଙ୍କର ବୌଦ୍ଧିକ, ଭାବଗତ ତଥା ସାମାଜିକ ସୁସ୍ଥତାକୁ ଆକୃଷ୍ଟ କରିବା ଦିଗରେ ଯେପରି କାର୍ଯ୍ୟ କରନ୍ତି, ଯାହା ସାଧାରଣତଃ ଟଙ୍କା ବିନିମୟରେ ଜଣେ ବାହାର ଲୋକ ଦ୍ୱାରା କରାଯାଇପାରିବ ନାହିଁ। ସେହିପରି ପରିବାର ସଦସ୍ୟଙ୍କ ପାଇଁ ରନ୍ଧାବଢା ହେଉ ବା ଘରେ ହଠାତ୍‌ କେହି ଅସୁସ୍ଥ ହେଲା ପରେ ତାଙ୍କର ସେବାଯତ୍ନ ହେଉ, ଏପରି ଆନ୍ତରିକତା ସମ୍ପନ୍ନ ସେବା ପ୍ରଦାନ ଟଙ୍କା ବିନିମୟରେ କୌଣସି ବାହାର ଲୋକଙ୍କ ଦ୍ବାରା ସମ୍ପନ୍ନ ହୋଇପାରିବ ନାହିଁ। ଯଦି ସକାଳୁ ରାତ୍ରି ପର୍ଯ୍ୟନ୍ତ ଜଣେ ଗୃହିଣୀଙ୍କ କାର୍ଯ୍ୟକୁ ତର୍ଜମା କରାଯାଏ, ତେବେ ତାହାର ମୂଲ୍ୟାୟନ କରିବା ସମ୍ପୂର୍ଣ୍ଣ ଅସମ୍ଭବ। ମାତ୍ର ଲିଙ୍ଗଗତ ଅସମାନତା କାରଣରୁ ତଥା ପୁରୁଷପ୍ରାଧାନ୍ୟ ମାନସିକତା କାରଣରୁ ଗୃହଣୀମାନଙ୍କ କାର୍ଯ୍ୟ ଓ ସେବାକୁ ସର୍ବଦା ଅଣଦେଖା କରାଯାଇ ଆସୁଛି।
ଆମର ବେଦ ଓ ଉପନିଷେଦରେ ମଧ୍ୟ ଗୃହିଣୀମାନଙ୍କ ଗୁରୁତ୍ୱକୁ ପ୍ରତିପାଦିତ କରାଯାଇଛି। ଗୃହକୁ ତଥା ରାଷ୍ଟ୍ରକୁ ଉତ୍ତମ ସନ୍ତାନ ଉତ୍ପନକରି ପ୍ରଦାନ କରୁଥିବାରୁ ସେମାନଙ୍କୁ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଜଣେ ଗୃହିଣୀ ମା’ ହେବା ପରେ ନିଜ ସନ୍ତାନର ପ୍ରଥମ ନିର୍ମାତ୍ରୀ ତଥା ପ୍ରଥମ ଶିକ୍ଷାଦାତ୍ରୀ ଭାବେ ପରିଗଣିତ ହୋଇଥାଏ। ସେଥିପାଇଁ କୁହାଯାଏ ମା’ ପରି କେହି ଗୁରୁ ହୋଇପାରନ୍ତି ନାହିଁ। ଆଜି ପର୍ଯ୍ୟନ୍ତ କୌଣସି ଗୃହିଣୀ ନିଜ ଘର ପାଇଁ କରୁଥିବା କାର୍ଯ୍ୟ ଓ ସେବା ପାଇଁ ପାରିଶ୍ରମିକ ଦାବି କରିନାହାନ୍ତି କି ସେମାନଙ୍କ କାର୍ଯ୍ୟର ମୂଲ୍ୟାୟନ କରିନାହାନ୍ତି। ଏହା ହିଁ ସେମାନଙ୍କର ମହାନତା ଓ ଉଦାରତା। ସେମାନଙ୍କ ସେବା ଓ କାର୍ଯ୍ୟ ମୂଲ୍ୟାୟନ ବି ଅସମ୍ଭବ। ସେ କରୁଥିବା ବିଭିନ୍ନ କାର୍ଯ୍ୟ ଓ ସେବା ପାଇଁ ଯଦି ଲୋକ ନିଯୁକ୍ତି କରାଯାଏ, ତେବେ ସେ ବାବଦରେ କେତେ ପାରିଶ୍ରମିକ ବ୍ୟୟ କରିବାକୁ ପଡିବ ତାହା ବିଚାର ସାପେକ୍ଷ। ଗୃହକର୍ତ୍ତାଟିଏ ବାହାରେ ରୋଜଗାର କରି ଯେତିକି ଅର୍ଥ ଘରକୁ ଆଣେ, ତା’ର କାହିଁ କେତେଗୁଣ ଅର୍ଥ ଗୃହିଣୀଟିଏ ନିଜ ଘରର ସବୁକାମ କରି ବ୍ୟୟ ବଞ୍ଚାଇ ଥାଏ। ଏହାକୁ ସମଗ୍ର ପୁରୁଷ ସମାଜ ବୁଝିବା ଦରକାର।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri