ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବିଧାନସଭାରେ ଥମୁନି ପରୀ ତାତି। ରବିବାର ମଧ୍ୟ ଗୃହରେ ଭାଜପା ସଦସ୍ୟଙ୍କ ହୋ-ହଲ୍ଲା ଦେଖିବାକୁ ମିଳିଛି। ଏପରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ସଦସ୍ୟମାନେ ଚଢ଼ିବାକୁ ଉଦ୍ୟମ କରିଛନ୍ତି। ସେମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାକୁ ନେଇ ବାଚସ୍ପତି ପୂର୍ବାହ୍ନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ତେବେ ଗୃହ ମୁଲତବୀ ପରେ ଭାଜପା ସଦସ୍ୟମାନେ ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ନୟାଗଡ଼ର ୫ ବର୍ଷୀୟ ଶିଶୁକନ୍ୟା ପରୀ ହତ୍ୟା ଘଟଣାର ତଦନ୍ତ ଭାର ସ୍ପେଶାଲ ଇନ୍ଭେଷ୍ଟିଗେଶନ ଟିମ୍(ଏସ୍ଆଇଟି) ବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍କୁ ଦିଆଯାଇଛି। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରାଯିବ ବୋଲି ଶନିବାର ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ।