ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଛି ହୋଟେଲ, ପୁରୀରେ….

ଭୁବନେଶ୍ୱର,୧୧।୮(ରବିନାରାୟଣ ଜେନା): ପୁରୀ ହେଉଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ଏଠାକୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସନ୍ତି। ଏହାବ୍ୟତୀତ ଏଠାକାର ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ହେଲେ ପର୍ଯ୍ୟଟକମାନେ ଏଠାରେ ଯେଉଁସବୁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ରୁହନ୍ତି ସେଥିମଧ୍ୟରୁ ୧% ପ୍ରତିଷ୍ଠାନର ମଧ୍ୟ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। କେବଳ ଯେ ହୋଟେଲ ଏବଂ ରେଷ୍ଟୁରାଣ୍ଟର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ ତାହା ନୁହେଁ, ନର୍ସିଂ କଲେଜ, ମଲ୍‌ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ମଧ୍ୟ ଏହି ପ୍ରମାଣପତ୍ର ନାହିଁ। ଏଥିସହିତ ଏଠାରେ କୋଷ୍ଟାଲ ରେଗୁଲେଶନ ଜୋନ୍‌(ସିଆର୍‌ଜେଡ୍‌) ନିୟମର ମଧ୍ୟ ଉଲ୍ଲଂଘନ ହେଉଛି। ସିଆର୍‌ଜେଡ୍‌ ନିୟମ ଅନୁଯାୟୀ, ସମୁଦ୍ର ପତ୍ତନଠାରୁ ଯେତିକି ଦୂରରେ ହୋଟେଲ, ନର୍ସିଂ କଲେଜ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ରହିବା କଥା, ତାହା ନାହିଁ। ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଦିନକୁ ଦିନ ଏଠାରେ ବେଆଇନ ଭାବେ ହୋଟେଲ ଓ ରେଷ୍ଟୁରାଣ୍ଟ ଗଢ଼ି ଉଠୁଛି। ମିଳିଥିବା ତଥ୍ୟ ଅନୁସାରେ, ପୁରୀରେ ୧୭୦୦ରୁ ଊର୍ଦ୍ଧ୍ୱ ହୋଟେଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ରହିଥିଲେ ମଧ୍ୟ ମାତ୍ର ୮ଟିର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଛି। ତେବେ ହୋଟେଲ ଓ ରେଷ୍ଟୁରାଣ୍ଟ ମଧ୍ୟରୁ ୭ଟିର ବୈଧତା ରହିଥିବାବେଳେ ମେଡିକାଲ, ନର୍ସିଂ କଲେଜ ଓ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକରୁ ମାତ୍ର ଗୋଟିଏ ବୈଧତା ରହିଛି। ଚଳିତବର୍ଷ ମାର୍ଚ୍ଚରେ କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୧୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ। ହେଲେ ପୁରୀରେ ସବୁ କେବଳ ମହାପ୍ରଭୁଙ୍କ ଭରସାରେ ଚାଲିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରୀ ପହିଲାରୁ ଅଦ୍ୟାବଧି ପୁରୀ ଅଗ୍ନିଶମ କେନ୍ଦ୍ର ପକ୍ଷରୁ ମାତ୍ର ୭ଟି ହୋଟେଲକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପୁରୀ ସିପସରୁବାଲିସ୍ଥିତ ହୋଟେଲ ଷ୍ଟର୍ଲିଂ ହଲିଡେ ରିସର୍ଟସ୍‌ ଲିମିଟେଡ୍‌, ହୋଟେଲ ପ୍ରମୋଦ ହାଉସ୍‌ ଅଫ୍‌ କ୍ଲାସିକ୍ସ, ନୀଳାଦ୍ରି ବିଲ୍ଡଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ହୋଟେଲ ସୋନାର ଇଣ୍ଟରନ୍ୟାଶନାଲ୍‌, ହୋଟେଲ ଏମ୍ପାୟାର୍ସ, ବିଲ୍ଡିଂ ଗାଙ୍ଗୋତ୍ରୀ ନିଳୟମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଭାଇବ୍ରାନ୍ସ ଫୁଡ୍‌ କୋର୍ଟ ରହିଛି। ଏହାବାଦ୍‌ ‘ଇ-୨୪’ ନାମକ ଏକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ମଧ୍ୟ ପ୍ରମାଣପତ୍ର ମିଳିଛି। ହେଲେ ପୁରୀ ଅଗ୍ନିଶମ କେନ୍ଦ୍ର ଅଧୀନରେ ଥିବା କୌଣସି ମେଡିକାଲ କଲେଜ, ନର୍ସିଂ କଲେଜ କିମ୍ବା ଶପିଂ ମଲ୍‌କୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ। ପୁରୀ ସମୁଦ୍ରକୂଳ ଅଞ୍ଚଳରେ ହୋଟେଲକୁ ଅଗ୍ନି ନିରାପତ୍ତା ଅନୁମତି ନେବା ପୂର୍ବରୁ ପ୍ରଥମେ ସିଆରଜେଡ୍‌ ଅନୁମତି ନେବାର ଆବଶ୍ୟକତା ରହିଛି। ସିଆର୍‌ଜେଡ୍‌ ନିୟମ ଅନୁଯାୟୀ, ସମୁଦ୍ରତଟର ପରିସୀମାଠାରୁ ୫୦୦ ମିଟର ମଧ୍ୟରେ କୌଣସି ନିର୍ମାଣ ହେବାକୁ ହେଲେ ଅନୁମତି ଆବଶ୍ୟକ। ସେହିପରି ସିଆର୍‌ଜେଡ୍‌ର ବାଉଣ୍ଡାରି(ପରିସୀମା)କୁ ସଂଲଗ୍ନ ରାସ୍ତା ପରେ ଯାହାକିଛି ନିର୍ମାଣ ହେବ ସେଥିପାଇଁ ମଧ୍ୟ ଅନୁମତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ପୁରୀରେ ଯେତିକି ହୋଟେଲ, ରେଷ୍ଟୁରାଣ୍ଟ, ଶପିଂ ମଲ୍‌ ଏବଂ ମେଡିକାଲ ଓ ନର୍ସିଂ କଲେଜ ରହିଛି ସେସବୁ ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚ ୬ରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ଅଗ୍ନିସେବା ଆଇନ ପ୍ରଣୟନ କରାଯାଇଥିଲା। ସଂଶୋଧିତ ନିୟମ ଅନୁଯାୟୀ, ଅଗ୍ନିସେବା ବିଭାଗର ବିନା ଅନୁମତିରେ ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟ ଅନୁଷ୍ଠାନ, ହୋଟେଲ, ମଲ୍‌, ସିନେମା ହଲ୍‌, ଶିଳ୍ପାନୁଷ୍ଠାନ, ପେଟ୍ରୋଲିୟମ ଡିପ୍ପୋ, ବିମାନବନ୍ଦର, ବ୍ୟବସାୟ ପ୍ରତିଷ୍ଠାନ ଓ ଉଚ୍ଚ ଅଟ୍ଟାଳିକା ପ୍ରଭୃତି ଖୋଲିପାରିବ ନାହିଁ। ପ୍ରତି ପ୍ରତିଷ୍ଠାନକୁ ଥାର୍ଡପାର୍ଟି ଅଡିଟ୍‌ ୬ମାସରେ ଥରେ ହେବା କଥା। ହେଲେ ଏହି ନିୟମ ଏବେ ପୁରୀରେ ବାଟବଣା ହୋଇଛି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ପରିବେଶ ବିଜ୍ଞାନୀ ଡ. ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି।
ଏନେଇ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପୁରୀ ହେଉଛି ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ସମୟରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି। ଏଠାରେ ପ୍ରାୟ ୧୭୦୦ଟି ରେଷ୍ଟୁରାଣ୍ଟ ଏବଂ ହୋଟେଲ ରହିଛି। ହେଲେ ବହୁ ପୂର୍ବରୁ ହୋଟେଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସେଠାରେ ରହିଥିବାରୁ ସେସବୁ ଅଗ୍ନିଶମ ବିଭାଗର ସର୍ତ୍ତାବଳୀ ପାଳନ କରିପାରୁ ନାହାନ୍ତି। ଅଧିକାଂଶ ହୋଟେଲରେ ଅଗ୍ନିଶମ ଗାଡ଼ି ବୁଲିବାକୁ ୩ମିଟର ଅଞ୍ଚଳ ଚତୁଃପାର୍ଶ୍ୱରେ ନାହିଁ। ସେହିପରି ସିଆର୍‌ଜେଡ୍‌ ନିୟମ ରହୁଥିବାରୁ ହୋଟେଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ଅନୁମତି ଦେବାରେ ସମସ୍ୟା ଉପୁଜୁଛି। ଏହାକୁ ନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ତଦାରଖ କରାଯାଉଛି। ପ୍ରତ୍ୟେକ ହୋଟେଲ ଓ ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଅଗ୍ନି ନିର୍ବାପକ ଯନ୍ତ୍ରପାତି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Dharitri – Odisha’s No.1 Odia Daily

Share
Tags: puri hotel