ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ ବ୍ୟାପିଛି। ଜୁନ୍‌ ମାସର ଗ୍ରୀଷ୍ମ ପ୍ରବାହ ପରେ ରୋମ ସହରର ଅଧିକାରୀମାନେ ଉତ୍ତପ୍ତ ସ୍ଥିତିର ମୁକାବିଲା ପାଇଁ ଏକ ନୂତନ, ବୈଜ୍ଞାନିକସମ୍ମତ ଯୋଜନା ଘୋଷଣା କରିଛନ୍ତି। ଏହି ଗ୍ରୀଷ୍ମକାଳୀନ ଯୋଜନାରେ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଜରୁରିକାଳୀନ ସେବା, ସବୁଜ ସାର୍ବଜନୀନ ସ୍ଥାନ, ଅଧିକ ପାଣି ଫୁଆରା, ଜଳବାୟୁ ଆଶ୍ରୟସ୍ଥଳ, ଗ୍ରୀଡ୍‌ ସ୍ଥିରତା ପାଇଁ ନିବେଶ ଇତ୍ୟାଦି ଅନ୍ତର୍ଭୁକ୍ତ। ଗ୍ରୀଷ୍ମ ପ୍ରବାହ ମୁକାବିଲାରେ ରୋମର ଏହା ପ୍ରଥମ ପଦକ୍ଷେପ ନୁହେଁ। ୨୦୦୨ରେ ଗ୍ରୀଷ୍ମ ପ୍ରବାହ ସ୍ବାସ୍ଥ୍ୟ ସତର୍କତା ବ୍ୟବସ୍ଥା ଆରମ୍ଭ କରିଥିଲା। ଏହା ୨୦୦୩ ଗ୍ରୀଷ୍ମ ପ୍ରବାହ ସମୟରେ ଉପଯୋଗୀ ହୋଇଥିଲା; ଯେଉଁଥିରେ ୟୁରୋପରେ ୭୦,୦୦୦ରୁ ଅଧିକ ଲୋକ (ରୋମରେ ୧,୦୦୦ ରୁ ଅଧିକ) ପ୍ରାଣ ହରାଇଥିଲେ। ସେହି ଘଟଣା ପରେ ରୋମ ସମେତ ଅନେକ ସହରରେ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା କରିିବା, ଦୁର୍ବଳ ଲୋକଙ୍କ ପଞ୍ଜୀକରଣ କରିବା ଏବଂ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ଜରୁରିକାଳୀନ ଯୋଜନା ପ୍ରଣୟନ କରାଯାଇଥିଲା। କିନ୍ତୁ ୨୦୨୨ରେ ବଡ଼ ଧରଣର ଗ୍ରୀଷ୍ମ ପ୍ରବାହ ବେଳେ ସେହି ଦୁଇ ଦଶନ୍ଧିର ଜରୁରିକାଳୀନ ଯୋଜନା ପର୍ଯ୍ୟାପ୍ତ ହେଲାନାହିଁ। ପୁନର୍ବାର ୬୦,୦୦୦ ଲୋକଙ୍କର ମୃତ୍ୟୁ ଘଟିଲା। ପୁଣି ଥରେ ୟୁରୋପ ସରକାର ବିଦ୍ୟାଳୟ ବନ୍ଦ, କାର୍ଯ୍ୟକ୍ରମ ବାତିଲ ଏବଂ ବାହାରେ କାମ କରିବା ଉପରେ ନିୟମ ଘୋଷଣା କରାଗଲା। ଏହାର କିଛି ସକାରାତ୍ମକ ପ୍ରଭାବ ପଡ଼ିଥିଲେ ମଧ୍ୟ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଦର୍ଶାଇଛି ଯେ ୟୁରୋପ ଏବେ ଏହି ସମସ୍ୟାର ସମାଧାନ କରିବାରେ ବହୁ ପଛରେ ଅଛି।
ସମସ୍ୟା ହେଉଛି ଗ୍ରୀଷ୍ମ ପ୍ରବାହ ଲଗାତର ଦୀର୍ଘଦିନ ଧରି ତୀବ୍ର ଭାବେ ଅନୁଭୂତ ହେଉଛି। ଏହି ଧାରା ଜଙ୍ଗଲ ନିଆଁ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି, ଯାହା ଏବେ ଦକ୍ଷିଣ ୟୁରୋପର ଅନେକ ଦେଶକୁ ପ୍ରଭାବିତ କରିଛି। ଅତ୍ୟଧିକ ବର୍ଷା ଓ ବିନାଶକାରୀ ବନ୍ୟା ମଧ୍ୟ ଘଟିଚାଲିଛି। ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ ଯୋଗୁ ଏସବୁ ଘଟୁଛି। ତେଣୁ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ଶୂନ୍ୟ ସ୍ତରକୁ ଆଣିଲେ ଏସବୁକୁ ଆୟତ୍ତ କରାଯାଇପାରିବ। କିନ୍ତୁ ସେପର୍ଯ୍ୟନ୍ତ ଏବକାରର ପରିସ୍ଥିତି ଆହୁରି ଖରାପ ହୋଇଚାଲିବ।
୨୦୨୩ର ପ୍ରୟଙ୍କରୀ ବନ୍ୟା ପରେ ୟୁରୋପ ପାଇଁ ନୂଆ ଚ୍ୟାଲେଞ୍ଜ ଆସୁଛି ବୋଲି ମୁଁ ଦର୍ଶାଇଥିଲି। ବଦଳୁଥିବା ସ୍ଥିତିକୁ ଦେଖି ୟୁରୋପକୁ ଅର୍ଥନୀତିର ବିକାଶ ପାଇଁ ପଦକ୍ଷେପ ନେବାକୁ ହେବ। ତିନି ବର୍ଷ ମଧ୍ୟରେ ଘଟିଥିବା ଅନେକ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ପରେ ଏବେ ପଦକ୍ଷେପ ନେବାର ସମୟ ଉପନୀତ। ହେଲେ ଆମେ ତତ୍ପରତା ପ୍ରକାଶ କରୁନାହଁୁ। ପ୍ରତ୍ୟେକ ବିପର୍ଯ୍ୟୟ ପରେ କେବଳ ଜରୁରିକାଳୀନ ଯୋଜନା, ବିପର୍ଯ୍ୟୟ ପରିଚାଳନା ଏବଂ ପୁନରୁଦ୍ଧାର ଉପରେ ଧ୍ୟାନ ଦେବା ହୁଏତ ଆନ୍ତଃ-ସରକାରୀ ଜଳବାୟୁ ପରିବର୍ତ୍ତନ ପ୍ୟାନେଲ (ଆଇପିସିସି)ର ପ୍ରତିଷେଧାତ୍ମକ ପଦକ୍ଷେପ ହୋଇପାରେ; କିନ୍ତୁ ଏବର ସ୍ଥିତିରେ ଏହା ଯଥେଷ୍ଟ ନୁହେଁ। ମୁଁ ଦୀର୍ଘ ସମୟ ଧରି ଅର୍ଥନୈତିକ ବିକାଶ ଏବଂ ପରିବେଶ ମଧ୍ୟରେ ଥିବା ବ୍ୟାପକ ତଥା ବିକାଶଶୀଳ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଆସିଛ, ଅନୁଧ୍ୟାନ ମଧ୍ୟ କରିଛିି। ବର୍ଷ ବର୍ଷ ଧରି ଗୋଟିଏ ପରେ ଗୋଟିଏ ଦେଶ ସେମାନଙ୍କ ଭବିଷ୍ୟତର ସ୍ଥିତିକୁ ବଦଳାଇବାରେ ପ୍ରୟାସ କରିଛନ୍ତି। ପ୍ରଗତିଶୀଳ ଯୁଗ ସମୟରେ ଆମେରିକୀୟ ପଶ୍ଚିମାଞ୍ଚଳର ଜଳ-ଭିତ୍ତିଭୂମିର ବିକାଶ, ଚାଇନା ଆଧୁନିକୀକରଣ ପାଇଁ ୟାଙ୍ଗଜେ ନଦୀକୁ ନେଇ ସୁନ୍‌ ୟାଟ-ସେନଙ୍କ ବ୍ଲୁପ୍ରିଣ୍ଟ, ଶିଳ୍ପାୟନ ପାଇଁ ଇଟାଲୀର ବ୍ୟାପକ ଜମି ପୁନରୁଦ୍ଧାର ଏବଂ ଜଳବିଦ୍ୟୁତ ବିକାଶ, ଜବାହରଲାଲ ନେହେରୁଙ୍କ ନଦୀବନ୍ଧ ଏବଂ ପାର୍କ ଚୁଙ୍ଗ-ହିଙ୍କ ଦ୍ୱାରା ଦକ୍ଷିଣ କୋରିଆ ଅର୍ଥନୀତିର ପୁନର୍ଗଠନ ହେଉଛି ଏହାର ଉଦାହରଣ। ମୋ ପୁସ୍ତକ ‘ଦି ଏନ୍‌ଭାଇରନମେଣ୍ଟାଲ ରିପବ୍ଲିକ୍‌’ରେ ମୁଁ ଦର୍ଶାଇଛି, ଏହିସବୁ ପ୍ରୟାସରେ ଅନେକ ତ୍ରୁଟି ଥିଲେ ମଧ୍ୟ ସେଗୁଡ଼ିକ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ। ବଦଳୁଥିବା ପରିସ୍ଥିତିରେ, କେବଳ ବିପଦକୁ ମୁକାବିଲା କରିବାରେ ସହନଶୀଳତା ରହିଲେ ହେବ ନାହିଁ, ବରଂ ବିକାଶ ପ୍ରକ୍ରିୟାକୁ ସେହିଭଳି ଗଢ଼ିବା ଯେପରି ଭବିଷ୍ୟତର ଚ୍ୟାଲେଞ୍ଜକୁ ତାହା ମୁକାବିଲା କରିପାରିବ।
ଜୁନ୍‌ ୨୦୨୬ର ଗ୍ରୀଷ୍ମପ୍ରବାହ ସମୟରେ ଏୟାର କଣ୍ଡିଶନରର ବ୍ୟାପକ ବ୍ୟବହାର ଯୋଗୁ ରୋମର ବିଦ୍ୟୁତ୍‌ ଚାହିଦା ଦୈନିକ ସର୍ବାଧିକ ୨.୧ ଗିଗାୱାଟ୍‌ରେ ପହଞ୍ଚିଗଲା। ଏହାପରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ବିଭ୍ରାଟ ଘଟିଲା। ଇଟାଲୀ ବିଦ୍ୟୁତ୍‌ ଗ୍ରୀଡ୍‌ରେ ନିବେଶ କରୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରମାଣିତ ହେଲା। ଜଳବିଦ୍ୟୁତ୍‌ ମଧ୍ୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବିପଦରେ ଅଛି । ଏହି ସମସ୍ୟାର ସମାଧାନ ଲାଗି ଇଟାଲୀ ଦୀର୍ଘକାଳୀନ ଶକ୍ତି ବିକାଶ ପାଇଁ ମାନଚିତ୍ର ପ୍ରସ୍ତୁତ କରିବା ଆବଶ୍ୟକ। ୟୁରୋପର ଅନେକ ଦେଶ ପରି ଇଟାଲୀ ମଧ୍ୟ ପ୍ରତିଯୋଗିତାମୂଳକ କ୍ଷମତା ହରାଉଛି। ବିଦ୍ୟୁତୀକରଣ, ଅକ୍ଷୟ ଶକ୍ତି, ସ୍ବୟଂଚାଳନ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭଳି ୨୧ଶ ଶତାବ୍ଦୀର ଶିଳ୍ପ ବିପ୍ଲବର ଉପକରଣକୁ ଆପଣେଇ ଇଟାଲୀ ନୂତନତ୍ୱ ତଥା ପ୍ରତିଯୋଗିତାମୂଳକ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ।
ପ୍ରତି ପାଦରେ ୟୁରୋପ ଏହି ଭଳି ଆହ୍ବାନଗୁଡ଼ିକୁ ସାମ୍ନା କରୁଛି। ଏବେ ୟୁରୋପର ହାରାହାରି କାର୍ଯ୍ୟକ୍ଷମ ମଧ୍ୟମ ବୟସ ୪୫ ବର୍ଷ ହୋଇଯାଇଛି। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଏକ-ତୃତୀୟାଂଶ ୟୁରୋପୀୟଙ୍କ ବୟସ ୬୫ ବର୍ଷରୁ ଅଧିକ ହେବ ଏବଂ ଏହି ବୟସର ଲୋକେ ସହଜରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହଜନିତ ମୃତ୍ୟୁର ଶିକାର ହେବା ସମ୍ଭାବନା ଅଧିକ। ତେବେ ହ୍ରାସ ପାଉଥିବା ଶ୍ରମିକ ସଂଖ୍ୟା ଏବଂ ଉତ୍ପାଦନ ଶକ୍ତି ଦ୍ୱାରା ଲୋକମାନେ ଏବକାର ସାମାଜିକ କଲ୍ୟାଣ ସେବାଗୁଡ଼ିକୁ ଚଳାଇବା ଅସମ୍ଭବ ହୋଇଯିବ। ଏହାର ସମାଧାନ କେବଳ ଅତ୍ୟଧିକ ଉତ୍ପାଦନ ବୃଦ୍ଧି, କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟା ବୃଦ୍ଧି କିମ୍ବା ଏହି ଦୁଇଟିର ସମନ୍ବୟ ଦ୍ୱାରା ସମ୍ଭବ ହେବ।
ଦେଖିବାକୁ ଗଲେ ଭୂମଧ୍ୟସାଗର ଆରପଟେ ଥିବା ଆଫ୍ରିକାର ହାରାହାରି କାର୍ଯ୍ୟକ୍ଷମ ମଧ୍ୟମ ବୟସ ୨୦ ବର୍ଷରୁ କମ୍‌ ଏବଂ ୨୦୫୦ ସୁଦ୍ଧା ଏହି ମହାଦେଶର ମୋଟ ଜନସଂଖ୍ୟା ବଢ଼ି ୨.୫ ବିଲିୟନ (୨୫୦ କୋଟି) ଛୁଇଁବ। ରାଜନୀତିକ ଘଟଣାକ୍ରମକୁ ବାଦ୍‌ ଦେଲେ ଉଭୟପକ୍ଷ ପାଇଁ ଏକ ଅଦ୍ଭୁତପୂର୍ବ ଲାଭଦାୟକ ଭାଗୀଦାରି ସକାଶେ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ଅଛି। ହେଲେ ବହୁ ସଂଖ୍ୟାରେ ପ୍ରବାସୀଙ୍କୁ ସ୍ଥାନ ଦେବା ଏବଂ ବାଣିଜ୍ୟ ବୃଦ୍ଧିକୁ ସମ୍ଭାଳିବା ପାଇଁ ନୂତନ ଆବାସ, ପରିବହନ ବ୍ୟବସ୍ଥା ଓ ସେବା ଆବଶ୍ୟକ ହେବ। ଏହା ରୋମ, ଭିଏନା ଓ ପ୍ୟାରିସ ଭଳି ସହରଗୁଡ଼ିକ ଉପରେ ଅଧିକ ଚାପ ସୃଷ୍ଟି କରିବ। ଏହି ସହରଗୁଡ଼ିକର ଭିତ୍ତିଭୂମି ଏକ ଭିନ୍ନ ସମାଜ, ଭିନ୍ନ ଅର୍ଥନୀତି ଓ ଭିନ୍ନ ପ୍ରାକୃତିକ ପରିସ୍ଥିତିକୁ ଧ୍ୟାନରେ ରଖି ନିର୍ମିତ ହୋଇଥିଲେ ମଧ୍ୟ ସମ୍ପ୍ରତି ଏମାନେ ୟୁରୋପର ସାଂସ୍କୃତିକ ଐତିହ୍ୟର ଖୋଲା ସଂଗ୍ରହାଳୟ ପରି ଦେଖାଯାଉଛନ୍ତି। ଯେତେବେଳେ ସିଙ୍ଗାପୁରକୁ ଏକ ସମ୍ପଦହୀନ ବନ୍ଦର ସହରରୁ ଗୋଟିଏ ପିଢ଼ି ମଧ୍ୟରେ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିଥିବା ସଫଳତାର ରହସ୍ୟ ବିଷୟରେ ପଚରାଯାଇଥିଲା, ତାହାର ପ୍ରତିଷ୍ଠାତା ନେତା ଲି କୁଆନ୍‌ ୟୁ କହିଥିଲେ-‘ଏୟାର କଣ୍ଡିଶନିଂ’। ସେ ବୁଝିଥିଲେ ଯେ ଆଧୁନିକତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପହାର ହେଉଛି ଭୌତିକ ତଥା ଭୌଗୋଳିକ ସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିବା।
ବାରମ୍ବାର ଦେଖାଯାଉଥିବା ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାକୁ ୟୁରୋପ ଗୌଣ ଭାବେ ଗ୍ରହଣ କରିପାରିବ ନାହିଁ। ଜଳବାୟୁ ପରିବର୍ତ୍ତନ ଯୋଗୁ ଭୌଗୋଳିକ ସ୍ଥିତିରେ ପରିବର୍ତ୍ତନ ଏବେ ସାଧାରଣ ହୋଇଗଲାଣି। ଇତିହାସ ଆମକୁ ଶିଖାଏ, ସାମାଜିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ମାଧ୍ୟମରେ ଏଭଳି ଆହ୍ବାନଗୁଡ଼ିର ମୁକାବିଲା କରାଯାଇପାରିବ। ଏଣୁ ସଙ୍କଟର ମୁକାବିଲାର କ୍ଷମତା ସହ ସଙ୍କଟଜନକ ସ୍ଥିତିରେ ସହନଶୀଳ ଅଭିବୃଦ୍ଧି ପାଇଁ ୟୁରୋପକୁ ଅନେକ ବୃହତ୍‌ ଯୋଜନା ହାତକୁ ନେବାକୁ ପଡ଼ିବ।
– ଦ ଏନ୍‌ଭାଇରନମେଣ୍ଟାଲ ରିପବ୍ଲିକ ପୁସ୍ତକର ଲେଖକ

Odisha’s No.1 Odia Daily