ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସଆରଟିସି)ର ଏକ ଭଲଭୋ ବସ୍ ‘ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍’ (ଓଡି-୦୨-ସିଆଇ-୨୫୫୭) ଓଭରଟେକ୍ କରିବା ସମୟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଦ୍ମପୁର ଶାଖାର ଏବିଏମ୍ ଦୀପକ ଦାସ ଏବଂ ମହିଳା ଟ୍ରେନି ଓଏଏସ୍ ପ୍ରୀତି ସୁମନ ପ୍ରଧାନ। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁର୍ଲାସ୍ଥିତ ଭୀମସାର (VIMSAR) ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ପକ୍ଷରୁ ଏହି ଘଟଣାର ବର୍ତ୍ତମାନ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ ଯେ, ଉକ୍ତ ବସ୍ଟି ପୁରୀରୁ ଭୁବନେଶ୍ୱର ଓ ସମ୍ବଲପୁର ଦେଇ ବରଗଡ଼ ଜିଲା ପଦ୍ମପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।