ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଅଭିଯୁକ୍ତଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିବା ପରେ ଦିଗପହଣ୍ଡି ପୋଲିସ ଜିମା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ଚୁଡୁଙ୍ଗପୁର ଗ୍ରାମର ସୀମା ପାତ୍ର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଶନିବାର ମଧ୍ୟାହ୍ନ ପ୍ରାୟ ୧୨:୩୦ ସମୟରେ ଯୁବତୀ ଜଣକ ଘରେ ଏକାକୀ ଥିବାର ସୁଯୋଗ ନେଇ ଅଭିଯୁକ୍ତ ସୀମା ଘରେ ପଶି ବଳପୂର୍ବକ ବଳାତ୍କାର ଉଦ୍ୟମ କରିଥିଲେ। ଯୁବତୀ ଜଣକ ଏହାର ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରେ ମାଡ଼ି ବସିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଦୌଡ଼ି ଆସିବାରୁ ଅଭିଯୁକ୍ତ ଜଣକ ନିଜ ପ୍ୟାଣ୍ଟ୍ ଓ ଗାମୁଛା ସେଠାରେ ଛାଡ଼ି ଘର ବାରିପଟ ଦେଇ ଫେରାର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ଗାଁର କିଛି ଯୁବକ ତାଙ୍କୁ କାବୁ କରି ନିର୍ଦ୍ଧୁମ ପ୍ରହାର ଦେଇଥିଲେ।
ଏହି ସାଂଘାତିକ ଘଟଣା ନେଇ ପୀଡ଼ିତାଙ୍କ ଭଉଣୀ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।