ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ସୋମବାର ଆୟୋଜିତ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସହର କେବଳ ବାସସ୍ଥାନ ନୁହେଁ, ସହର ହେଉଛି ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର। ଆମକୁ ସହରଗୁଡ଼ିକୁ ଏଭଳି ଅର୍ଥନୈତିକ କେନ୍ଦ୍ର ଭାବେ ଗଢ଼ିବାକୁ ହେବ, ଯେଉଁଠି ଯୁବ ପିଢ଼ି ନୂଆ ସୁଯୋଗ ପାଇବେ, ଉଦ୍ୟୋଗୀମାନେ ଆଗକୁ ବଢ଼ିବେ ଏବଂ ନୂଆ ରୋଜଗାର ସୃଷ୍ଟି ହେବ। ଏହି ଅବସରରେ ନବଗଠିତ ୨୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରତ୍ୟେକ ଏନ୍‌ଏସି ପାଇଁ ୨୦ କୋଟି ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ରାସ୍ତା, ଡ୍ରେନ୍‌, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ହେବ। ସେହିପରି ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କା ବିନିଯୋଗରେ ୫୯୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧୀନରେ କାର୍ଯ୍ୟକାରୀ ହେବ। ଏଥିରେ ୧୦୨ କୋଟି ଟଙ୍କା ମୂଲ୍ୟର ୪୨୩ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବାବେଳେ ୨୨୧ କୋଟି ଟଙ୍କା ମୂଲ୍ୟର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୌର ସଂସ୍ଥାଗୁଡ଼ିକରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର, କାର୍ଯ୍ୟପଦ୍ଧତିର ସରଳୀକରଣ ଓ ସମୟଭିତରେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ହେବ। ଏହାସହିତ ପ୍ରତ୍ୟେକ ସହର ଯେପରି ରାଜ୍ୟର ଅର୍ଥନୈତିକ ବିକାଶର ଶକ୍ତିଶାଳୀ ଇଞ୍ଜିନ ହୋଇପାରିବ ସେଥିପ୍ରତି ସମସ୍ତଙ୍କ ସହଯୋଗ ଆବଶ୍ୟକ। ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ରିଜନ (ବିକେପିପିଆର୍‌) ଅଞ୍ଚଳକୁ ନେଇ ଅର୍ଥନୈତିକ କରିଡର ସୃଷ୍ଟି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହାସହିତ କ୍ୟାପିଟାଲ ରିଜନ ରୋଡ୍‌ ଓ କୋଷ୍ଟାଲ ହାଇଓ୍ବେ ଦ୍ୱାରା ରାଜ୍ୟର ବିକାଶ ତ୍ୱରାନ୍ବିତ ହୋଇପାରିବ। ୨୦୩୬ ସୁଦ୍ଧା ଓଡ଼ିଶାର ବିକାଶ ହେବ ଏବଂ ୫୦୦ ମିଲିୟନ ଡଲାରରେ ରାଜ୍ୟ ଅର୍ଥନୀତି ପହଞ୍ଚିବ। ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଲକ୍ଷ୍ୟ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଲୋକଙ୍କ ଆଶା, ଆକାଂକ୍ଷା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର କାମ କରୁଛନ୍ତି। ଲୋକଙ୍କ ସହିତ ରହି, ଲୋକଙ୍କ ସମସ୍ୟାକୁ ଶୁଣି ଅଧିକାରୀମାନଙ୍କ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ପୌର ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଅର୍ବାନ ଏକାଡେମୀ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ ଏବଂ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅର୍ବାନ ଆଫାୟାର୍ସର ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏଥିସହିତ ‘କ୍ରୁଟ୍‌’ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କାର୍ଯ୍ୟକ୍ରମ ଅବସରରେ ୧୧୫ଟି ପୌର ସଂସ୍ଥାରେ ‘ଓସ୍ବାନ’ ଭିଡିଓ କନ୍‌ଫରେନ୍ସିଂ ସୁବିଧା ଏବଂ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ବନ୍ଧୁ’, ଓଡ଼ିଶା ଯାତ୍ରୀ ଏସ୍‌ଓଏସ୍‌ ଆପ୍‌ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଉପସ୍ଥିତ ପୌର ସଂସ୍ଥାଗୁଡ଼ିକର କର୍ମଚାରୀ, ସ୍ବଚ୍ଛ ସାଥୀ, ଜଳ ସାଥୀ, ପରିମଳ କର୍ମୀ ଏବଂ ‘କ୍ରୁଟ୍‌’ର କର୍ମଚାରୀମାନଙ୍କୁ ନିଷ୍ଠାପର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଫୁଲବାଣୀ ପୌର ପରିଷଦର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ରୁନୁ ପ୍ରଧାନଙ୍କ ସହିତ ଘର ନିର୍ମାଣ ସମ୍ପର୍କରେ ଆଲୋଚନା କରି ଧାର୍ଯ୍ୟ ସମୟସୀମା ଭିତରେ ଘର ସମ୍ପୂର୍ଣ୍ଣ କରିଥିବାରୁ ପ୍ରଶଂସା କରଛନ୍ତି। ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ସ୍ବାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଆମ ସରକାର ଦାୟିତ୍ୱ ନେବା ପରେ ୨୮ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ, ୭ଟି ନୂତନ ପୌର ପରିଷଦ ଗଠନ ସହିତ ପୁରୀକୁ ମହାନଗର ନିଗମର ମାନ୍ୟତା ଦିଆଯାଇଛି। ଆମେ କେବଳ ରାଜ୍ୟର ବଡ଼ ସହର ନୁହେଁ, ଛୋଟ ଛୋଟ ଏନ୍‌ଏସି ଓ ମ୍ୟୁନିସିପାଲିଟି ଅଞ୍ଚଳର ସହରୀୟ ଭିତ୍ତିଭୂମି ବିକାଶକୁ ସମାନ ଗୁରୁତ୍ୱ ଦେଉଛୁ।
ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ୱରକୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକା ଅର୍ଜନ କ୍ଷେତ୍ରରେ ଏକ ଶ୍ରେଷ୍ଠ ସହର ଭାବେ ଗଢ଼ି ତୋଳିବା ପାଇଁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଛନ୍ତି, ସହରାଞ୍ଚଳବାସୀଙ୍କ ସହଯୋଗରେ ହିଁ ସହରାଞ୍ଚଳର ବିକାଶ ସମ୍ଭବ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share