ସ୍ବାସ୍ଥ୍ୟସେବା ଉପରେ ତୁଟୁଛି ଭରସା

ଭୋଗରାଇ, ୧୬।୧୨(ଡି.ଏନ.ଏ.)  ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରାଜ୍ୟରେ ସର୍ବବୃହତ୍‌ ବ୍ଲକ ଭାବେ ପରିଚିତ ଥିଲେ ମଧ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ରହିଛି। ଏହି ବ୍ଲକର ୫୦ ପଞ୍ଚାୟତରେ ଜନସଂଖ୍ୟା ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ୱ। ଉପାନ୍ତ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା କରାଯାଇପାରୁନାହଁି। ବ୍ଲକ ମୁଖ୍ୟାଳୟଠାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ୧୦୦ କି.ମି. ଦୂରତା ହୋଇଥିବାରୁ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବାକୁ ଅଢ଼େଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ ଚିକିତ୍ସା ନିମନ୍ତେ ସାଢ଼େ ୩ଶହ କି.ମି. ଦୂର କଟକ କିମ୍ବା ଭୁବନେଶ୍ୱରକୁ ନେବାକୁ ପଡୁଛି। ଏଭଳି ସ୍ଥିତିରେ ବହୁ ଖର୍ଚ୍ଚାନ୍ତ କରି ମଧ୍ୟ ରୋଗୀଙ୍କୁ ଠିକ୍‌ ସମୟରେ ମେଡ଼ିକାଲରେ ପହଞ୍ଚାଇବା ସମ୍ଭବ ହୋଇପାରୁ ନ ଥିବାରୁ ଅକାଳରେ ଜୀବନହାନି ହେଉଛି।
ବ୍ଲକରେ ଜଳେଶ୍ୱରପୁର ଓ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ୮ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏତଦ୍‌ଭିନ୍ନ ୪ଟି ହୋମିଓପ୍ୟାଥିକ ଓ ଦୁଇଟି ଆୟୁର୍ବେଦିକ ଡାକ୍ତରଖାନା ରହିଛି। ଦହମୁଣ୍ଡା, ଭୋଗରାଇ, ଶ୍ରଦ୍ଧାପୁର, କଖଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ବହୁଦିନରୁ ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ଏ ସମସ୍ତ ଡାକ୍ତରଖାନାରେ କମ୍ପାଉଣ୍ଡର କିମ୍ବା ଆୟୁର୍ବେଦିକ ଡାକ୍ତର କାର୍ଯ୍ୟ ତୁଲାଉଛନ୍ତି। ସେହିପରି ଶଙ୍ଖାରୀ ହୋମିଓପ୍ୟାଥିକ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ଜଣେ ଡାକ୍ତର ଡେପୁଟେଶନ୍‌ରେ ସପ୍ତାହକୁ ୩ଦିନ ଆସୁଛନ୍ତି। ବାରବାଟିଆ, ଶୁଖଷଣ୍ଡା ଓ ପୁରୁଷୋତ୍ତମପୁର ହୋମିଓ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଓଳି ଡାକ୍ତର ରୋଗୀ ଦେଖୁଥିବା ବେଳେ ଅପରାହ୍ନରେ ଚିକିତ୍ସା କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଓ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ଜଣ ଡାକ୍ତର ଅଛନ୍ତି। ଦୀର୍ଘଦିନରୁ ଏଠାରେ ଭେଷଜ, ଶିଶୁ, ଅସ୍ଥିଶଲ୍ୟ, ଦନ୍ତ ଓ ଚକ୍ଷୁ ବିଶେଷଜ୍ଞ ନ ଥିବାରୁ ସ୍ବାସ୍ଥ୍ୟସେବା ବେହାଲ ହୋଇପଡିଛି। ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ଅଦ୍ୟାବଧି ସ୍ବାସ୍ଥ୍ୟସେବାରେ ଡାକ୍ତର ନିଯୁକ୍ତି ନ ହେବା ଓ ଆବଶ୍ୟକ ପରୀକ୍ଷା ନୀରିକ୍ଷା ପାଇଁ ଉପକରଣ ଯୋଗାଇ ନ ଦେବା ଏହି ଯୋଜନା ଫଳପ୍ରଦ ହେଉ ନ ଥିବା ବେଳେ ଆଖିଜନିତ ସମସ୍ୟା ପାଇଁ ଲୋକେ କଟକ, ଭୁବନେଶ୍ୱର କିମ୍ବା କୋଲକାତା ଯିବାକୁ ପଡୁଛି। ସର୍ବବୃହତ୍‌ ବ୍ଲକ ଓ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଭୋଗରାଇରେ ସ୍ବାସ୍ଥ୍ୟସେବା ଉପରୁ ଭରସା ତୁଟୁଥିବାରୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘଦିନର ଦାବି ହୋଇଆସୁଛି। ସରକାର ଅଦ୍ୟାବଧି ତାହା ପୂରଣ କରି ନ ଥିବାରୁ ଜନଅସନ୍ତୋଷ ଦେଖାଦେଇଛି। ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଭୋଗରାଇ ସ୍ବାସ୍ଥ୍ୟସେବାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାରଙ୍କଠାରେ ଦାବି କରିବା ପରେ ରାଜ୍ୟ ସରକାର ୧.୬୯ କୋଟିର ଆର୍ଥିକ ଅନୁଦାନ ଦେଇଥିବାର ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି ବୋଲି କଂଗ୍ରେସ ନେତା ସତ୍ୟଶିବ ଦାସ କହିଛନ୍ତି। ଭୋଗରାଇରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଥିବାରୁ ଲୋକେ ସ୍ବାସ୍ଥ୍ୟ ସେବା ଉପରେ ଭରସା ନ ରଖି କଟକ, ଭୁବନେଶ୍ୱରକୁ ଦୌଡ଼ି ନୟାନ୍ତ ହେଉଥିବାରୁ ସାମାଜିକ କର୍ମୀ ହରନାରାୟଣ ରାଉତ ପ୍ରକାଶ କରିଛନ୍ତି।